ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୨/୦୩) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ଅଧିନ ପାଇକପଡା ଗ୍ରାମଠାରେ ତିନିଦିନ ଧରି ଶ୍ରୀ ଜଗନ୍ନାଥ ଓ ମାତା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରତିଷ୍ଠା ଉତ୍ସବ ଗତ ଜାନୁୟାରୀ ୩୦ ତାରିଖ ପ୍ରତିପଦା ତିଥି ଗୁରୁବାର ଠାରୁ ଆରମ୍ଭ ହୋଇ ଆଜି ଶୁଭପଞ୍ଚମୀ ତିଥି ରବିବାରରେ ମାତା ଲକ୍ଷ୍ମୀଙ୍କ ମନ୍ଦିର ଓ ନୂତନ ବିଗ୍ରହ ସହ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାପନ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ସହ ଗ୍ରାମବାସୀଙ୍କ ସହଯୋଗରେ ଏହି ତିନିଦିନିଆ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ମଣ୍ଡଳ କରଣ ଓ ଅଙ୍କୁରାପଣ, ଦ୍ଵିତୀୟ ଦିବସରେ ଦୀକ୍ଷାଗ୍ରହଣ, ଜଳଯାତ୍ରା, ଜନଯାଗ, ଅଗ୍ନି ସ୍ଥାପନ ଓ ଧନ୍ୟାଧିବାସ କାର୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ତୃତୀୟ ଦିବସରେ ସୂର୍ଯ୍ୟପୂଜା, ଅଧିବାସ, ରତ୍ନମୁଦ ମହାସ୍ନାନ ଓ ଗୟନି ବାସ ଓ ପ୍ରାଣ ପ୍ରତିଷ୍ଠା ପାଳନ କରାଯାଇଥିଲା ।
ଶେଷ ଦିବସରେ ସିଂହାସନ ସଂସ୍କାର, ଧ୍ଵଜା ଭ୍ରମଣ ପୂଜା କରିବା ପରେ ଆଜି ସନ୍ଧ୍ୟା ସମୟରେ ଦେବତା ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିବା ବେଳେ, ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ ଯଞ ଓ ହୋମ କାର୍ଯ୍ୟକ୍ରମ ଗୁଡ଼ିକ ହୋଇଥିଲା। ତିନିଦିନ ବ୍ୟାପି ଉକ୍ତ ଅଞ୍ଚଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରା ଯାଇଥିଲା।