ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଫୁଲବାଣୀ, (୦୫/୦୨) : ଦୁଇ ଜଣ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ଟଙ୍କା ଲୁଟ କରିବା ଅଭିଯୋଗରେ ଟାଉନ ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହ ଜଣେ ନାବାଳକଙ୍କୁ ଅଟକ ରଖିଛି ।
ଗିରଫ ମାନେ ହେଲେ, ଫୁଲବାଣୀ ପେଞ୍ଜିସାହିର କରନ ମୂଖୀ (୨୭) ଓ ହେରନ ବେହେରା (୨୧)। ସୂଚନା ଅନୁଯାୟୀ, ଜି ଉଦୟଗିରିର ସନ୍ଦୀପ କୁମାର ପ୍ରଧାନ ରବିବାର ରାତିରେ ତାଙ୍କର ଜନୈକ ବନ୍ଧୁଙ୍କ ସହିତ ଫୁଲବାଣୀ ବସଷ୍ଟାଣ୍ଡରୁ ବାହାରି ବଜାର ଆଡକୁ ଯାଉଥିବା ବେଳେ ପେଞ୍ଜିସାହି ଛକ ଠାରେ ଅଭିଯୁକ୍ତ ମାନେ ଖଣ୍ଡା, ଲୁହା ରଡ ଇତ୍ୟାଦି ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ଦୁଇ ହଜାର ଟଙ୍କା ଛଡାଇ ନେଇଥିଲେ ।
ଏ ନେଇ ସନ୍ଦୀପ ଟାଉନ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର, ମୋବାଇଲ ଓ ୧୩୦୦ ଟଙ୍କା ଜବତ ହୋଇଛି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।