ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୫/୦୨) : ଯାତ୍ରୀବାହୀ ରେଳଗାଡିରେ ଯାତ୍ରୀ ମାନଙ୍କ ଠାରୁ ଲୁଟ କରୁଥିବା ପେପର ଗ୍ୟାଙ୍ଗର ୪ ଜଣଙ୍କୁ ଜିଆରପି ଧରିଛି । ଚଳଚିତ୍ର ଷ୍ଟାଇଲରେ ଧରାଯାଇଥିବା ଏହି ଲୁଟେରା ମାନଙ୍କ ନିକଟରୁ ଲୁଟ ସୁନା ଆଦି ଜବତ କରାଯାଇଛି ।
ଜିଆରପି ଦେଇଥିବା ସୂଚନାନୁଯାୟୀ, ରାଉରକେଲା ଷ୍ଟେସନରୁ ସୋମବାର ସକାଳୁ ପେପର ଗ୍ୟାଙ୍ଗର କିଛି ଲୁଟେରା ଇନ୍ଟରସିଟି ଏକ୍ସପ୍ରେସରେ ଚଢ଼ି ଭୁବନେଶ୍ୱର ଅଭିମୁଖେ ଯାଉଥିବାର ଖବର ମିଳିଥିଲା । ଏଣୁ ଜିଆରପିର ଏକ ଦଳ ଝାରସୁଗୁଡା ଠାରେ ଲୁଟେରାମାନେ ଥିବା ବଗିକୁ ଚଢ଼ି ଛକି ରହିଥିଲା । ଏହି ଲୁଟେରା ଗ୍ୟାଙ୍ଗର ସଦସ୍ୟମାନେ ଉପର ସିଟରେ ବସି ପେପର ପଢ଼ିବା ଆଳରେ ରହି ସେଠାରେ ରଖାଯାଇଥିବା ଯାତ୍ରୀ ମାନଙ୍କର ବ୍ୟାଗ ଗୁଡିକରୁ ସୁନା, ରୂପା ଗହଣା ଆଦି ଲୁଟ କରିବା ସମୟରେ ୪ ଜଣଙ୍କୁ ଧରିଥିଲା ।
ଗିରଫ ହୋଇଥିବା ଲୁଟେରାମାନେ ହେଉଛନ୍ତି ମଧ୍ୟପ୍ରଦେଶ ରାଜ୍ୟର ଦୁର୍ଗ ଜିଲା ସୁରଜ ନିଶାଦ, ବିହାର ରାଜ୍ୟ ଭାଗଲପୁର ଜିଲାର ପଙ୍କଜ କୁମାର ଯାଦବ, ଖଗରିଆ ଜିଲା ଧର୍ମେନ୍ଦ୍ର କୁମାର ମଣ୍ଡଳ ଓ ସୌରଭ ମଣ୍ଡଳ। ଲୁଟେରା ମାନଙ୍କ ନିକଟରୁ ଗୋଟିଏ ସୁନା ମାଳି ଓ ରୁପାର ମାଳି ଜବତ କରାଯାଇଛି । ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ଲୁଟିଆ ମାନଙ୍କୁ ଧରିବା ଦଳରେ ଏସଆଇ ଚାରୋ ତିର୍କୀ, ଜିଆରପିର କର୍ମଚାରୀ, ଆପିଏଫର ସିଆଇବ ୟୁନିଟର ବିବେକ, ଜି.ପି. ରାଜୁ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଥିଲେ। ଏହି ଲୁଟେରା ଗ୍ୟାଙ୍ଗ ପେପର ପଢ଼ିବା ଆଳରେ ଲୁଟ ଗୁଡିକୁ କରୁଥିବାରୁ ପେପର ଗ୍ୟାଙ୍ଗ ନାମରେ କୁଖ୍ୟାତି ରହିଛି ।