ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୫/୦୨) : ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଯୋଡାବର ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ସ୍ଥାନୀୟ ଲୁଣତରା ନାଳ ନିକଟରେ ଟ୍ରାକ୍ଟର ଓଲଟି ଏକ ପରିବାରର ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଛି ।
ଧାନ ଆଣିବାକୁ ବିଲକୁ ଯାଉଥିବା ବେଳେ ନାଳ କଡରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଧାନ ଝଡା ମେସିନ ନେଇ ବିଲକୁ ଯାଉଥିଲା ଟ୍ରାକ୍ଟର । ଟ୍ରାକ୍ଟର ଓଲଟି ପଡ଼ିଥିବା ବେଳେ ମେସିନଟି ଦୁଇ ଭଉଣୀଙ୍କ ଉପରେ ପଡ଼ିଯାଇ ସେମାନଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଯାଜପୁର ରୋଡ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ OD34S-7543 ନଂ ଟ୍ରାକ୍ଟରରେ ଧାନଝଡା ମେସିନ ନେଇ ବିଲକୁ ଧାନ ଅମଳ କରିବାକୁ ଯାଉଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି ।
ମୃତା ଦୁଇ ଭଉଣୀ ହେଉଛନ୍ତି ମାଝୀସାହି ଅଞ୍ଚଳର ରାଜୁ ହାଂସଦାଙ୍କ ଝିଅ ଦୁଲାରୀ ହାଁସଦା ଓ ରାଣୀ ହାଁସଦା ବୋଲି ଜଣାପଡିଛି । ଯାଜପୁର ରୋଡ ମେଡିକାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଦୁଇ ଭଉଣୀ ଟ୍ରାକ୍ଟର ଉପରେ ବସି ବାପାଙ୍କ ପାଖକୁ ଭାତ ନେଇ ବିଲକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ ମୃତଦେହ ଦୁଇଟି ଜବତ କରି ଦାନଗଦି ମେଡ଼ିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।