ରାଜଧାନୀ ଦିଲ୍ଲୀରୁ ଧରା ପଡ଼ିଥିବା ପାକିସ୍ତାନୀ ଆତଙ୍କବାଦୀକୁ ୧୪ ଦିନିଆ ରିମାଣ୍ଡରେ ପଠାଇଲେ କୋର୍ଟ

0
215

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ନୂଆଦିଲ୍ଲୀ,(୧୩/୧୦) : ଦେଶର ରାଜଧାନୀ ଦିଲ୍ଲୀରୁ ଧରା ପଡ଼ିଥିବା ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅଶରଫ ଠାରୁ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ହାସଲ କରିବା ଲକ୍ଷ୍ୟରେ ପୁଲିସ୍‌ । ଏଥିପାଇଁ ତା’କୁ ୧୪ ଦିନିଆ ପୁଲିସ୍‌ ହେପାଜତକୁ ପଠାଇ ଦିଆଯାଇଛି | ସୋମବାର ରାତି ୯.୩୦ ରେ ତା’କୁ ଗିରଫ କରାଯିବା ପରେ ମଙ୍ଗଳବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା ।

ରାଜଧାନୀ ଦିଲ୍ଲୀରୁ ଧରା ପଡ଼ିଥିବା ପାକିସ୍ତାନୀ ଆତଙ୍କବାଦୀକୁ କୋର୍ଟ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଏହି ସମୟରେ ପୁଲିସ୍‌ ଭାରତ ବିରୋଧରେ ପାକିସ୍ତାନ କରିଥିବା ଷଡ଼ଯନ୍ତ୍ରର ଖିଅ ବାହାର କରିବ । ଗିରଫ ପାକ୍‌ ଆତଙ୍କୀ ଦୀର୍ଘ ବର୍ଷ ହେଲାଣି ନକଲି ଦସ୍ତାବିଜ ଜରିଆରେ ଭାରତରେ ରହି ଆସୁଥିଲା । ଏହି ସମୟରେ ସେ ଅନେକ ଲୋକଙ୍କ ସହ ସମ୍ପର୍କ ରଖିଥିଲା ।

ଏପରି କି ସେ ଜଣେ ଭାରତୀୟ ମହିଳାଙ୍କୁ ବିବାହ ମଧ୍ୟ କରିଥିଲା । ଭାରତ ବିରୋଧରେ ସେ କରୁଥିବା ‌ଆତଙ୍କୀ ଷଡ଼ଯନ୍ତ୍ରରେ ଆଉ କେଉଁମାନେ ରହିଛନ୍ତି ସେକଥା ପୁଲିସ୍‌ ଜାଣିବାକୁ ଚେଷ୍ଟା କରୁଛି । ୧୪ ଦିନିଆ ରିମାଣ୍ଡ ସମୟରେ ତା’ଠାରୁ ସବୁ କଥା ଆଦାୟ କରାଯିବ । ତେବେ ସେ ପାକିସ୍ତାନ ନାଗରିକ ହୋଇଥିବା ବେଳେ କେମିତି ଦିଲ୍ଲୀରେ ପହଞ୍ଚିଲା ସେକଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଥିସହ ସେ ଦୀର୍ଘ ବର୍ଷ ହେଲାଣି ଭାରତରେ ରହୁଥିବା ବେଳେ କେମିତି ତା’କୁ କେହି ଠାବ କରି ପାରୁ ନଥିଲେ ? ଏସବୁ ଭିତରେ ମହମ୍ମଦକୁ ନେଇ କିଛି ଅଜଣା ତଥ୍ୟ ସାମ୍ନାକୁ ଆସିଛି ।

ମହମ୍ମଦ ଅଶରଫ ନିଜକୁ ଅହମଦ ନୁର ନାଁରେ ପରିଚିତ କରାଇଥିଲା । ଏଥିପାଇଁ ନକଲି ପରିଚୟପତ୍ର, ଆଧାର କାର୍ଡ ଓ ଅନ୍ୟାନ୍ୟ ଦସ୍ତାବିଜ ପ୍ରସ୍ତୁତ କରିଥିଲା । ଏହାପରେ ସେ ଦିଲ୍ଲୀର ଅରମ ପାର୍କ ନିକଟରେ ରହୁଥିଲା । ନିଜକୁ ପୀର ବାବା କହୁଥିବା ଅଶରଫ ପାର୍ବଣ ସମୟରେ ଭାରତରେ ବିସ୍ଫୋରଣ କରି ହିଂସାକାଣ୍ଡ ଘଟାଇବାକୁ ଲକ୍ଷ୍ୟ ରଖିଥିଲା । ଅଶରଫ ବିହାରରେ ତା’ର ଫେକ ଆଇଡି ତିଆରି କରିଥିଲା ଓ ଗାଜିବାଦାର ବୈଶାଲୀରେ ଜଣେ ମହିଳାଙ୍କୁ ବିବାହ କରିଥିଲା । ଶିଲିଗୁଡ଼ିକୁ ଲାଗିଥିବା ବାଂଲାଦେଶ ସୀମାନ୍ତ ଦେଇ ସେ ଭାରତରେ ପ୍ରବେଶ କରିଥିଲା ବୋଲି ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ମୁଖ୍ୟ କହିଛନ୍ତି ।

ଭାରତରେ ପ୍ରବେଶ କରିବା ପରେ ଅଶରଫ ପ୍ରଥମେ ଆଜମେର ଯାଇଥିଲା । ସେଠାରେ ଥିବା ଗୋଟିଏ ମସଜିଦର ମୌଲବୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା । ୨୦୦୬ ମସିହାରେ ସେ ମୌଲବୀଙ୍କୁ ଧରି ଦିଲ୍ଲୀ ଆସିଥିଲା । ମୌଲବୀଙ୍କ ଜଣେ ସମ୍ପର୍କୀୟଙ୍କ ଫ୍ୟାକ୍ଟ୍ରୀ ନିକଟରେ ଅଶରଫ ରହିଥିଲା । ସମୟକ୍ରମେ ମୌଲବୀଙ୍କ ସମ୍ପର୍କୀୟଙ୍କ ଆଇଡିକୁ ବ୍ୟବହାର କରି ଅଶରଫ ଆଇଏସଆଇ ହ୍ୟାଣ୍ଡେଲର ନାସିର ଠାରୁ ଟଙ୍କା ଆଣିବାରେ ଲାଗିଥିଲା । ଭାରତରେ ରହିବା ସମୟରେ ସେ ନିୟମିତ ଭାବେ ନାସିର ସହ ବିଭିନ୍ନ ମାଧ୍ୟମରେ ଯୋଗଯୋଗ ବି କରୁଥିଲା ।

ପୁଲିସ୍‌ କହିଛି ଯେ ଅଶରଫ ୨୦୧୪ ରେ ତା’ର ପାସପୋର୍ଟ ତିଆରି କରିଥିଲା । ସେ ତା’ର ଠିକଣାକୁ ୫ ରୁ ୬ ଥର ବଦଲାଇଛି । ଖାଲି ସେତିକି ନୁହେଁ ସେ ପାକିସ୍ତାନ ହ୍ୟାଣ୍ଡେଲରଙ୍କ ସହ ବିଭିନ୍ନ ପ୍ରକାରର ସୋଶାଲ ମିଡିଆ ଆପ୍‌ ଜରିଆରେ ଯୋଗାଯୋଗ କରୁଥିଲା । ସେ ଅନେକ ନକଲି ପରିଚୟପତ୍ର ତିଆରି କରିଥିବା ପୁଲିସ୍‌ ଜାଣିବାକୁ ପାଇଛି ।