ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀମାନେ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଚିରିଲେ

0
186

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୧୫/୦୭) : ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ଶତାଧିକ ମହିଳା କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀମାନେ ଗ୍ୟାସ୍ ଟାଙ୍କି, ପ୍ଲା କାର୍ଡ, ବ୍ୟାନର ଧରି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍ ଛକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ୍ ଦେବାସହ ଘଣ୍ଟି ବଜାଇ ପ୍ରତିବାଦ କରିଥିଲେ ।

୨୦୧୪ ନିର୍ବାଚନ ପୂର୍ବରୁ ମୋଦି ମହାଶୟ କ୍ଷମତାକୁ ଆସିଲେ ଆଚ୍ଛେଦିନ ଦେବାକୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ବୁରେଦିନ୍‌ରେ ପରିଣତ ହୋଇଛି । ପେଟ୍ରୋଲ୍ ଓ ଡିଜେଲ୍ ୧୦୦ ଟଙ୍କା ପାର୍ ହୋଇଥିବା ବେଳେ ରନ୍ଧନ ଗ୍ୟାସ୍ ଦାମ୍ ୮୭୦ଟଙ୍କା, ସୋରିଷ ତେଲ ୧୮୦ଟଙ୍କାରେ ପହଞ୍ଚିବା ମୋଦି ସରକାରଙ୍କ ଆଚ୍ଛେଦିନର ନଗ୍ନ ନମୂନା ବୋଲି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ମତବ୍ୟକ୍ତ କରିଥିଲେ । ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀମାନେ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଚିରିଲେ |

କଂଗ୍ରେସ ଭବନରୁ ବାହାରିବା ପୂର୍ବରୁ ମହିଳା କଂଗ୍ରେସ ପକ୍ଷରୁ ଏକ ମିଶ୍ରଣ ପର୍ବ କଂଗ୍ରେସ ଭବନ ସଭାକକ୍ଷରେ ଆୟୋଜିତ ହୋଇଥିଲା । ଶ୍ରୀମତୀ ଶତାବ୍ଦୀ ସୂର୍ଯ୍ୟସ୍ନାତା ଓ ଶ୍ରୀମତୀ ସ୍ୱାତୀ ଦାସ କଂଗ୍ରେସ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସଭାରେ ଉପସ୍ଥିତ ଥିବା ପି.ସି.ସି. ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଏ.ଆଇ.ସି.ସି. ସମ୍ପାଦକ ଜି. ରୁଦ୍ର ରାଜୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ପ୍ରମୁଖ ନେତୃମଣ୍ଡଳୀଙ୍କ ଠାରୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଗ୍ରହଣ କରି ବିଧିବଦ୍ଧ ଭାବେ ଆଜିଠୁ କଂଗ୍ରେସ ଦଳରେ ସାମିଲ୍ ହେଲେ ।

ପୁରୀ ଜିଲ୍ଲା ମହିଳା କଂଗ୍ରେସର ପ୍ରାକ୍ତନ ସଭାନେତ୍ରୀ ବିଳାସିନୀ ଦାଶ ଓ ଏ.ଆଇ.ସି.ସି. ସଦସ୍ୟ ତଥା ପି.ସି.ସି.ର ପ୍ରାକ୍ତନ ଉପସଭାପତି ସୂର୍ଯ୍ୟଭାନୁ ମିଶ୍ରଙ୍କ ବିୟୋଗରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ଅମର ଆତ୍ମା ଦ୍ୱୟଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଉଭୟ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିଜୟଲକ୍ଷ୍ମୀ ସାହୁ, ମଧୁମିତା ପଣ୍ଡା, ମମତା କୁଣ୍ଡୁ, ପ୍ରତିମା ମଲ୍ଲିକ, ଦିପ୍ତୀରାଣି ପ୍ରଧାନ, ନିରୂପମା ଦାସ, ସୋଭା ସିଂହ, ଅନୁଶୟା ଜେନା, ଶ୍ରୀୟାସ୍ମିତା ପଣ୍ଡା, କୁସୁମ୍ ପ୍ରଧାନ, ସ୍ୱାଧୀନବାଳା ଦାସ, ପ୍ରଣତୀ ମିଶ୍ର, ସରୋଜିନୀ ବାଙ୍କ୍ରା, ଚୈତାଳୀ ପଟ୍ଟନାୟକ, ପ୍ରଭାବତି ପଟ୍ଟନାୟକ, ଗୀତାଞ୍ଜଳି ମହାନ୍ତି, କନକଲତା ମଲ୍ଲିକ, ଏଲ୍‌. ମାଣିକପ୍ରଭା, ଉର୍ବଶୀ ଦାସ, ସିଲି ସେଠୀ, ମୁନି ଠାପା, ପ୍ରମୁଖ ମହିଳା କଂଗ୍ରେସର ନେତ୍ରୀଗଣ ସାମିଲ୍ ହୋଇଥିଲେ ।