ଅଗଷ୍ଟ ୧ ତାରିଖ ଯାଏ ବଢିଲା ଆଂଶିକ ଲକଡାଉନ : ପୁରୀକୁ ଛାଡି ସବୁଠି ଗଡିବ ବସ୍, ଖୋଲିବ ଜିମ୍ 

0
184

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୬/୦୭) : ରାଜ୍ୟରେ କରୋନାର ସ୍ଥିତି ପୂର୍ବାପେକ୍ଷା ସୁଧୁରିଛି । କିନ୍ତୁ ସ୍ଥିତି ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣକୁ ଆସି ନଥିବାରୁ ଜାରି ହୋଇଥିବା ଆଂଶିକ ଲକଡାଉନକୁ ଆହୁରି ୨ ସପ୍ତାହ ବଢ଼ାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ଆସନ୍ତା ଅଗଷ୍ଟ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ ଜାରି ରହିବ ।

ଅଗଷ୍ଟ ୧ ତାରିଖ ଯାଏ ବଢିଲା ଆଂଶିକ ଲକଡାଉନ | ଏହି ଆଂଶିକ ଲକଡାଉନ ସମୟରେ ସାରା ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି ଦିଆଯାଇଛି । ଏନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ପୂର୍ବଭଳି ଜିଲ୍ଲା ଗୁଡ଼ିକୁ ଦୁଇଟି କ୍ୟାଟେଗୋରୀ ରେ ରଖାଯାଇଛି । କ୍ୟାଟେଗୋରୀ-ଏ’ରେ ୨୦ଟି ଓ କ୍ୟାଟେଗୋରୀ-ବି’ରେ ୧୦ଟି ଜିଲ୍ଲା ରହିଛନ୍ତି । କ୍ୟାଟେଗୋରୀ-ଏ’ରେ ଥିବା ଜିଲ୍ଲା ଗୁଡ଼ିକରେ ସପ୍ତାହରେ ସାତଦିନ ଯାଏ ଦୋକାନ ଖୋଲିବ । ସେହିପରି କ୍ୟାଟେଗୋରୀ-ବି’ରେ ସପ୍ତାହକୁ ୫ ଦିନ ଦୋକାନ ଖୋଲିବ । ପୂର୍ବଭଳି କ୍ୟାଟେଗୋରୀ-ବି’ ଜିଲ୍ଲାରେ ଶନିବାର ଓ ରବିବାର ଶଟଡାଉନ୍ ବଳବତ୍ତର ରହିବ ।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଥିବା ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଂଗପୁର, ଗଂଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାକୁ କ୍ୟାଟଗୋରୀ -ଏ’ ରେ  ଏବଂ ଉପକୂଳ ଓ ଉତ୍ତର ଓଡ଼ିଶାରେ ଥିବା ଜିଲ୍ଲା କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକକୁ କ୍ୟାଟାଗୋରୀ-ବି’ରେ ରଖାଯାଇଛି ।

ଉପକୂଳବର୍ତ୍ତୀ ଜିଲ୍ଲା ତଥା ଖୋର୍ଦ୍ଧା, ପୁରୀ, କଟକ ଆଦି ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରି ନାହିଁ  । କେବଳ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ରାଜ୍ୟର ସଂକ୍ରମଣର ୪୦ ପ୍ରତିଶତ ରହୁଛି  ।

କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ ସପ୍ତାହକ ସାତ ଦିନ ଯାଏ ସକାଳ ୬ଟାରୁ ରାତି ୮ଟା ଯାଏ ଦୋଦାନ ବଜାର ଖୋଲିବ । ସେହିପରି କ୍ୟାଟେଗୋରୀ-ବି’ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲିବ । ଏହି ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ମଧ୍ୟ ବଳବତ୍ତର ରହିବ । ତେବେ କ୍ୟାଟେଗୋରୀ-ବି’ରେ ପୂର୍ବଭଳି ନାଇଟ୍ କର୍ଫ୍ୟୁ ଜାରି ରହିବ ।

ଜୁଲାଇ ୧୬ ତାରିଖ ଠାରୁ ଅନ୍ତଃରାଜ୍ୟ ବସ ସେବା ଆରମ୍ଭ ହୋଇଯିବ । କିନ୍ତୁ ବସ୍ ଗୁଡ଼ିକରେ କେବଳ ସିଟରେ ଯାତ୍ରୀ ଯାଇପାରିବେ । ବସ ଚଳାଚଳ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ନାହିଁ  । ଅର୍ଥାତ ବସ୍ ଗୁଡ଼ିକ ଯେକୌଣସି ସମୟରେ ଚଳାଚଳ କରିପାରିବ । ରଥଯାତ୍ରା ଯୋଗୁଁ ଜୁଲାଇ ୨୫ ତାରିଖ ଯାଏଁ ପୁରୀ ସହରକୁ କୌଣସି ବସ ଗଡ଼ିପାରିବ ନାହିଁ । ବସ୍ ରେ କୌଣସି ଯାତ୍ରୀ ଛିଡ଼ା ହୋଇପାରିବେ ନାହିଁ  । ଟ୍ୟାକ୍ସି ଓ ଅଟୋ ସବୁ ଜିଲ୍ଲାରେ ଚାଲିବ । କିନ୍ତୁ ଏଥିରେ ଡ୍ରାଇଭର ବ୍ୟତୀତ କେବଳ ୨ ଜଣ ଯାତ୍ରୀ ଯାଇପାରିବେ ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ସାରା ରାଜ୍ୟରେ ଏଣିକି ଟ୍ୟାକ୍ସି ଓ ଅଟୋ ରିକ୍ସା ଚଳାଚଳା କରିପାରିବ । ସବୁ ଜିଲ୍ଲାରେ ଯେତିକି ସମୟ ଦୋକାନ ବଜାର ଖୋଲିବ, ସେହି ସମୟ ଭିତରେ ହିଁ ଗାଡ଼ି ଚଳାଚଳ କରିପାରିବ । ସେହିପରି ଦୀର୍ଘଦିନ ଧରି ବନ୍ଦ ଥିବା ପାଲର୍ର, ସ୍ପା, ଜିମ୍, ସେଲୁନ୍ ମଧ୍ୟ କାଲିଠାରୁ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ

ଏହା ବ୍ୟତୀତ ଆଉଟ୍ ଡୋର୍ ସ୍ପୋର୍ଟସ୍ ପାଇଁ ମଧ୍ୟ ସରକାର ଅନୁମତି ଦେଇଛନ୍ତି । ସେହି ସେଠାକୁ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ । ରାଜ୍ୟ ସରକାର ସାରା ରାଜ୍ୟରେ ଇନଡୋର୍ ଓ ଆଉଟ୍ ଡୋର୍ ଫିଲ୍ମ ଶୁଟିଂକୁ ଅନୁମତି ଦେଇଛନ୍ତି । କିନ୍ତୁ ପୂର୍ବଭଳି ପାର୍କ, ଶପିଂ ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ ।

ବିବାହ କାର୍ଯ୍ୟକ୍ରମ, ଶୁଦ୍ଧିକ୍ରିୟା ପାଇଁ ପୂର୍ବରୁ ଯେଉଁ କଟକଣା ଥିଲା ତାହା ପୂର୍ବ ପରି ଲାଗୁ ହେବ । ସ୍କୁଲ୍, କଲେଜ, କୋଚିଂ ସେଣ୍ଟର ଗୁଡ଼ିକ ପୂର୍ବଭଳି ବନ୍ଦ ରହିବ । ରାଜ୍ୟରେ ବାର୍ ଖୋଲିବାକୁ ଅନୁମତି ମିଳିବ ନାହିଁ । ହେଲେ ରେଷ୍ଟୁରାଣ୍ଟ ଖୋଲିବ । କିନ୍ତୁ ରେଷ୍ଟୁରାଣ୍ଟରେ ବସି ଖାଇବାକୁ ଅନୁମତି ଦିଆଯାଇ ନାହିଁ । କେବଳ ଖାଦ୍ୟ ପାର୍ସଲ୍ ନେଇପାରିବେ ।

କାଟାଗୋରୀ-ବି ଜିଲ୍ଲାରେ ସପ୍ତାହିକ ଓ ଦୈନିକ ବଜାର ବନ୍ଦ ରହିବ  । କିନ୍ତୁ କାଟାଗୋରୀ-ଏ ଜିଲ୍ଲା ଗୁଡ଼ିକ ପାଇଁ ଏହି କଟକଣା ନାହିଁ ।