ହ୍ୱାଟସଆପ୍‌ ବନ୍ଦ କଲା ୨୦ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ

0
169

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୧୬/୦୭) : ହ୍ୱାଟସଆପ୍‌ ବନ୍ଦ କଲା ୨୦ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ | ଦେଶରେ ନୂଆ ଡିଜିଟାଲ ଆଇନ କାର୍ଯ୍ୟକାରୀ ହେବା ପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମେସେଜିଂ ଆପ୍‌ ହ୍ୱାଟସଆପ୍ । ଅଶ୍ଳୀଳ ତଥା ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିବା ଅଭିଯୋଗରେ ମେ’ ୧୫ ରୁ ମେ’ ୨୫ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ହ୍ୱାଟସଆପ୍‌ ନିଜ ତରଫରୁ ବନ୍ଦ କରି ଦେଇଛି ।

ହ୍ୱାଟସଆପ୍‌ ବନ୍ଦ କଲା ୨୦ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ | ସଂସ୍ଥା ପକ୍ଷରୁ ଜାରି ସୁରକ୍ଷା ସମ୍ପର୍କିତ ନିୟମକୁ ଏହି ଆକାଉଣ୍ଟଗୁଡ଼ିକ ଉଲ୍ଲଙ୍ଘନ କରିଥିବାରୁ ଏପରି ପଦକ୍ଷେପ ନିଆଯାଇଛି । ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଏହି ଆକାଉଣ୍ଟ ଗୁଡ଼ିକ ଜାରି ନିୟମ ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଥିଲା । ଏହାପରେ ଏଗୁଡ଼ିକ ବନ୍ଦ କରାଯାଇଛି ବୋଲି ହ୍ୱାଟସଆପ୍‌ କହିଛି।

ନୂଆ ଡିଜିଟାଲ ଆଇନ ଅନୁସାରେ, ସୋସିଆଲ ମିଡିଆ ସଂସ୍ଥା ଗୁଡ଼ିକ ନିୟମ ଉଲ୍ଲଙ୍ଘନ କରୁଥିବା ଆକାଉଣ୍ଟଧାରୀଙ୍କ ବିରୋଧରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି, ତା’ର ମାସିକ ରିପୋର୍ଟ ସାର୍ବଜନୀନ କରିବେ । ଏହି ଆଧାରରେ ହ୍ୱାଟସଆପ୍‌ ତା’ର ମାସିକ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟରେ ଏପରି ତଥ୍ୟ ରହିଛି ।

ଏହାପୂର୍ବରୁ ଫେସବୁକ ୩୦ ନିୟୁତରୁ ଅଧିକ ପୋଷ୍ଟ, ଇନଷ୍ଟାଗ୍ରାମ ୨ ନିୟୁତ ପୋଷ୍ଟ ଓ ଗୁଗଲ ୫୯,୩୫୦ ଲିଙ୍କ ନିଜ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଥିଲେ । ମେ’ ୧୫ରୁ ଜୁନ୍‌ ୧୫ ମଧ୍ୟରେ ଅଶ୍ଳୀଳ ଓ ଆପତ୍ତିଜନକ ପୋଷ୍ଟର ଆଳରେ ସଂସ୍ଥାଗୁଡ଼ିକ ଏପରି ପଦକ୍ଷେପ ନେଇଥିବା କହିଥିଲେ ।

ଏହି ୩ ସଂସ୍ଥା ସହ ଭାରତରେ ତିଆରି କୁ ଆପ୍‌ ମଧ୍ୟ ୫୫୦୨ଟି ଅଭିଯୋଗ ଆଧାରରେ ୧୨୫୩ଟି ଆକାଉଣ୍ଟ ବିରୋଧରେ ପଦକ୍ଷେପ ନେଇଥିବା ସୂଚନା ଦେଇଥିଲା ।