ଚଳିତ ବର୍ଷ ମୌସୁମୀ ଅସ୍ୱାଭାବିକ : କମ୍‌ ବର୍ଷିଲା, ବିଳମ୍ବରେ ଫେରିଲା

0
258

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୨୩/୧୦) : ଆଜି (ଶନିବାର) ଓଡ଼ିଶାରୁ ବାହୁଡ଼ି ଯିବ ମୌସୁମୀ । ସ୍ୱାଭାବିକ ଭାବେ ଅକ୍ଟୋବର ୧୫ରେ ମୌସୁମୀ ଓଡ଼ିଶାରୁ ବିଦାୟ ନେଇଥାଏ । ଚଳିତ ବର୍ଷ ମୌସୁମୀ ଅସ୍ୱାଭାବିକ ଥିଲା |

କିନ୍ତୁ ଚଳିତ ବର୍ଷ ମୌସୁମୀ ଠିକ୍‌ ସମୟରେ ଓଡ଼ିଶାକୁ ପ୍ରବେଶ କରିଥିଲେ ହେଁ ଫେରିବାରେ ୭ ଦିନ ବିଳମ୍ବ କରିଛି । ଚଳିତ ଥର ର ମୌସୁମୀର ବ୍ୟବହାର ଟିକେ ବିଚିତ୍ର ଥିଲା । ଜୁଲାଇ ଓ ଅଗଷ୍ଟରେ ଭଲ ବର୍ଷା ହୋଇ ନ ଥିବା ବେଳେ ସେପ୍ଟେମ୍ବର ର ବର୍ଷା ରେକର୍ଡ ସୃଷ୍ଟି କରିଥିଲା । ୧୯୪୫ ମସିହାରୁ ୨୦୨୧ ମଧ୍ୟରେ ଚଳିତ ସେପ୍ଟେମ୍ବରରେ ହୋଇଥିବା ବର୍ଷା ହେଉଛି ୪ ର୍ଥ ସର୍ବାଧିକ ବର୍ଷା ।

ଏହା ବ୍ୟତୀତ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସମୁଦାୟ ୧୧ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଅକ୍ଟୋବରରେ ମଧ୍ୟ ୨ଟି ଲଘୁଚାପ କାରଣରୁ ଅକ୍ଟୋବର ତୃତୀୟ ସପ୍ତାହ ବର୍ଷାରେ ଭିଜିଥିଲା । କେବଳ ଅକ୍ଟୋବର ୧୪ରୁ ୨୦ ମଧ୍ୟରେ ରାଜ୍ୟରେ ୪୭.୧ ମିମି ବର୍ଷା ରେକର୍ଡ ହୋଇଛି । ଏହା ସ୍ବାଭାବିକଠାରୁ ଖୁବ୍‌ ଅଧିକ । ତଥାପି ‌ଅକ୍ଟୋବରର ବର୍ଷାର ପରିମାଣ ନିଅଣ୍ଟିଆ ସ୍ଥିତିରେ ରହିଛି । ଅକ୍ଟୋବରରେ ସ୍ୱାଭାବିକ ଭାବେ ୧୦୦.୨ମିମି ବର୍ଷା ହୋଇଥାଏ । ବର୍ତ୍ତମାନ ସୁଦ୍ଧା ‌ରାଜ୍ୟରେ କେବଳ ଅକ୍ଟୋବରରେ ୭୬.୫ମିମି ବର୍ଷା ରେକର୍ଡ ହୋଇଛି । ଆସନ୍ତା‌ ୮ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ନଥିବାରୁ ନିଅଣ୍ଟିଆ ବର୍ଷାରେ ଅକ୍ଟୋବର ସରିବ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ଚଳିତ ମୌସୁମୀରେ ପୁରୀ ଓ ଜଗତସିଂହପୁରରେ ସ୍ବାଭାବିକଠାରୁ ଖୁବ୍‌ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଏଥିସହ ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା, ସମ୍ବଲପୁର ଓ ଯାଜପୁର ଆଦି ୬ ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଥିଲା । ଅବଶିଷ୍ଟ ୨୨ ଜିଲ୍ଲାରେ ସ୍ବାଭାବିକ ବର୍ଷା ‌ରେକର୍ଡ ହୋଇଛି । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟ‌ରେ ୧୧୪୬ମିମି ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ଠାରୁ ୯% କମ୍‌ ହୋଇଥିଲେ ବି ସ୍ୱାଭାବିକ ପରିସର ଭୁକ୍ତ ବୋଲି କୁହାଯାଇ ପାରେ ।

କିନ୍ତୁ ମାସ ଅନୁଯାୟୀ ସମୀକ୍ଷା କଲେ କେବଳ ସେପ୍ଟେମ୍ବର ଛଡ଼ା ବାକି ୩ ମୌସୁମୀ ମାସରେ ବର୍ଷା ସ୍ୱାଭାବିକ ଠାରୁ କମ୍‌ ରହିଛି । ଜୁନ୍‌ରେ ୩%, ଜୁଲାଇରେ ୧୯% ଓ ଅଗଷ୍ଟରେ ୨୯% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଅକ୍ଟୋବରରେ ବର୍ତ୍ତମାନ ସୁଦ୍ଧା ୧୧% ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ କେବଳ ସେ‌ପ୍ଟେମ୍ବରରେ ରାଜ୍ୟରେ ସ୍ୱାଭାବିକ ଠାରୁ ୭୦% ଅଧିକ ବର୍ଷା ରେକର୍ଡ ହୋଇଛି ।

ମୌସୁମୀ (ଜୁନ୍‌ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ) ସମୁଦାୟ ୧୧ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ସେଥିମଧ୍ୟରେ ସେପ୍ଟେମ୍ବରରେ କେବଳ ୫ଟି ଲଘୁଚାପ ବର୍ଷା ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ବାତ୍ୟା, ଗୋଟିଏ ଗଭୀର ଅବପାତ, ଗୋଟିଏ ସ୍ପଷ୍ଟଚିହ୍ନିତ ଲଘୁଚାପ ଓ ୨ଟି ଲଘୁଚାପ ବର୍ଷା । ସେପ୍ଟେମ୍ବର ୧୨ରୁ ୧୪ ଓଡ଼ିଶାରେ ସର୍ବାଧିକ ୧୫୫.୬ ମିମି ବର୍ଷା ହୋଇଛି । ସ୍ୱାଭାବିକ ଭାବେ ସେପ୍ଟେମ୍ବରରେ ସମୁଦାୟ ୨୨୬.୬ମିମି ବର୍ଷା ହୋଇଥାଏ । ଅର୍ଥାତ ସେପ୍ଟେମ୍ବର ମାସର ସମୁଦାୟ ବର୍ଷାର କେବଳ ୭୦% ବର୍ଷା ଏହି ୩ ଦିନରେ ହୋଇଥିଲା ।

ମୌସୁମୀର ଏଭଳି ବିଚିତ୍ର ପ୍ରଭାବ ପରେ ଚଳିତଥର ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ମଧ୍ୟ ଅସ୍ଵାଭାବିକତା ଦେଖାଯାଇଛି । ସ୍ୱାଭାବିକ ଭାବେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ସେପ୍ଟେମ୍ବର ୧ ରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଥାଏ । ଏହାର ୪୫ ଦିନ ପରେ ଅର୍ଥାତ ଅକ୍ଟୋବର ୧୫ ରୁ ଓଡ଼ିଶାରୁ ମୌସୁମୀ ଫେରିବା ଆରମ୍ଭ କରେ ।

କିନ୍ତୁ ଚଳିତବର୍ଷ ୩୬ ଦିନ ବିଳମ୍ବରେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାକୁ ହିସାବକୁ ନେଲେ ନଭେମ୍ବର ଶେଷ ସପ୍ତାହରେ ଓଡ଼ିଶାରୁ ମୌସୁମୀ ଫେରିବାର ଥିଲା । କିନ୍ତୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ତ୍ୱରିତ ବେଗରେ ସରିଥିବା ବେଳେ ମାତ୍ର ୨୦ ଦିନରେ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଯାଇଛି ।