Thursday, March 28, 2024

Top 5 This Week

Related Posts

ରାଜ୍ୟର ପ୍ରତ୍ୟେକ ପୋଲିସ ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୭/୧୦) : ରାଜ୍ୟରେ ୩୪ ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସମୁଦାୟ ୩୪ ଟି ପୋଲିସ ଜିଲ୍ଲା ରହିଛି | ରାଜ୍ୟର ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଥିବା ଅନେକ ପିଲା ତଥା ସହାୟତା ଆବଶ୍ୟକତା କରୁଥିବା ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ୱତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତାକୁ ଅନୁଭବ କରି ରାଜ୍ୟର ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ଏହି ସବୁ ପୋଲିସ ଷ୍ଟେସନରେ ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯିବ । ଏହି ସବୁ ଥାନାରେ ସ୍ୱତନ୍ତ୍ର ଲୋଗୋ ଓ ଫଳକ ରହିବା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ମଧ୍ୟ କରାଯିବ । ଏଥିରେ ବିଭିନ୍ନ ରୁଚି ସଂପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ । ପିଲାମାନଙ୍କ ସୁବିଧା ପାଇଁ ବିଛଣା, ଚୌକି ଓ ଟେବୁଲ ମଧ୍ୟ ରଖାଯିବ । ଏହାସହିତ ଶିଶୁମାନଙ୍କ ଅଧିକାର ସଂପର୍କିତ ଫଳକ ଏବଂ ପୋଲିସ ପାଇଁ ‘କଣ କରିବେ ବା ନ କରିବେ’ ସେ ସଂପର୍କରେ ମଧ୍ୟ ସୂଚନା ଫଳକ ରହିବ ।

ଶିଶୁ କଲ୍ୟାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ତାଙ୍କ ନାମ ଓ ଅନ୍ୟାନ୍ୟ ସୂଚନା ସଂପର୍କରେ ଏକ ସ୍ୱତନ୍ତ୍ର ଫଳକ ରହିବ । ଏହା ସହିତ ପିଲାଙ୍କ ପାଇଁ ଖେଳନା ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ରଖାଯିବ । ଥାନା ପରିସର ମଧ୍ୟରେ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ କାନ୍ଥ ଗୁଡିକରେ ସୁନ୍ଦର ଚିତ୍ର ରହିବା ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ ।

ସାଧାରଣ ଥାନା ଗୁଡିକ ଠାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗଢ଼ା ଯିବା ଦ୍ୱାରା ଥାନାକୁ ଯାଉଥିବା ଶିଶୁ ମାନଙ୍କ ମାନସିକ ଚାପ ହ୍ରାସ କରିବା ରେ ସହାୟକ ହେବବୋଲି ଆଶା କରାଯାଏ ।

Popular Articles