ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ : ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ଓଡିଶା ଗସ୍ତ

0
201

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୭/୧୦) : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଅତ୍ୟନ୍ତ ହୃଦୟ ବିଦାରକ । ମମିତାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡି ଦେଇ ମାଟି ତଳେ ପୋତି ଦେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ସନସାଇନ ସ୍କୁଲର ମୁଖ୍ୟ ସଞ୍ଚାଳକ ଗୋବିନ୍ଦ ସାହୁ ସେକ୍ସ ରାକେଟରେ ସଂପୃକ୍ତ ରହି ଛାତ୍ରୀ ଓ ମହିଳାମାନଙ୍କୁ ଶୋଷଣ କରୁଥିଲେ ।

ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀଶ୍ରୀ ମିଶ୍ରଙ୍କ ଘନିଷ୍ଠ ସଂପର୍କ ଏବଂ ପ୍ରାୟ ଦିନ ମହାଲିଙ୍ଗ ସ୍ଥିତ ସନସାଇନ ସ୍କୁଲକୁ ଆସି ରାତ୍ରିଯାପନ କରିବା, ମମିତାଙ୍କ ନିଖୋଜ ସଂପର୍କରେ ଏଫ.ଆଇ.ଆର. କୁ ପୋଲିସ ଗ୍ରହଣ ନକରିବା, ବିଦ୍ୟୁତ କାଟ କରାଯାଇ ଅଭିଯୁକ୍ତ ଗୋବିନ୍ଦଙ୍କୁ ପୋଲିସ ହେପାଜତରୁ ଖସାଇଦେବା, ସନସାଇନ ସ୍କୁଲକୁ ଆସିଲେ, ମୁଁ ଯୁବକ ହୋଇଯାଏ’ ଭଳି ମନ୍ତ୍ରୀଙ୍କ ବିବୃତି, ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦାଙ୍କ ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଦି ଶ୍ରୀ ମିଶ୍ରଙ୍କ ସମ୍ପୃକ୍ତି କୁ ସ୍ପଷ୍ଟ ପ୍ରମାଣିତ କରୁଛି ।

କ୍ଷମତାର ଅପବ୍ୟବହାର କରି ମନ୍ତ୍ରୀ ଶ୍ରୀ ମିଶ୍ର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସୁରକ୍ଷା ଯୋଗାଇ ଦେବା ସହ ହତ୍ୟାକାଣ୍ଡ ସଂପର୍କରେ ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିବାର ଷଡଯନ୍ତ୍ର କରିଛନ୍ତି । ଏ ସମସ୍ତ ଷଡଯନ୍ତରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବାର ସନ୍ଦେହ ଦୃଢୀଭୂତ ହେଉଛି ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ଦିଲ୍ଲୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ମମିତା ହତ୍ୟାକାଣ୍ଡ ଘଟଣାକୁ ଭାରତୀୟ ଜନତା ପାର୍ଟୀ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାରକୁ ନେଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦେଶକ୍ରମେ ୩ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତ କରି ଘଟଣା ସଂପର୍କରେ ବିସ୍ତୃତ ଅନୁଧ୍ୟାନ କରିବେ । ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ଭାନଥୀ ଶ୍ରୀନିବାସନ, ସାଂସଦ ସୁନୀତା ଦୁଗଲ, ବିଧାୟିକା ରୁପା ମିତ୍ର ଚୈାଧୁରୀ ସାମିଲ ଅଛନ୍ତି । ଏହି ପ୍ରତିନିଧି ଦଳ ଘଟଣା ସଂପର୍କରେ ସମ୍ପୂର୍ଣ୍ଣ ରିପୋର୍ଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କୁ ପ୍ରଦାନ କରିବେ ବୋଲି ଡ.ପାତ୍ର ସୁଚନା ଦେଇଛନ୍ତି ।