ବହିଷ୍କୃତ କନଷ୍ଟେବଲ୍‌ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0
202

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ଭୁବନେଶ୍ୱର,(୨୮/୧୦) : ଗିରଫ ହେବା ପରେ ଚାକିରିରୁ ବହିଷ୍କୃତ କନଷ୍ଟେବଲ୍‌ ପ୍ରସନ୍ନ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ତାଙ୍କ ଘର ସମେତ ମୋଟ ୫ ଟି ସ୍ଥାନରେ ଭିଜିଲାନ୍ସର ୫ ଟି ଟିମ୍ ଏକ ସଙ୍ଗେ ଚଢ଼ାଉ କରିଛି ।

ବହିଷ୍କୃତ କନଷ୍ଟେବଲ୍‌ ପ୍ରସନ୍ନ ଙ୍କ କଳ୍ପନା ସ୍ଥିତ ବାସଭବନ, ଡୁମ୍‌ଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରର ଶାନ୍ତିବିହାର ସ୍ଥିତ ଫର୍ଣ୍ଣିଚର ୱାର୍କଶପ୍‌, ପାତ୍ରପଡ଼ା ସ୍ଥିତ ସାଉଥ୍ ସିଟି ବାର୍‌ ଓ ଖୋର୍ଦ୍ଧା ଜିଲ୍ଲା ନୂଆପଡ଼ା ଗାଁରେ ଥିବା ତାଙ୍କର ୨ ମହଲା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଦୁଇ ଜଣ ଡିଏସ୍‌ପିଙ୍କ ସମେତ ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ହତ୍ୟା ମାମଲାର ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି କମିଶନରେଟ୍ ପୁଲିସ୍‌ରେ କନଷ୍ଟେବଲ୍‌ ଥିବା ପ୍ରସନ୍ନ ବେହେରାଙ୍କ କଳା କାରନାମା ସାମ୍ନାକୁ ଆସିଥିଲା । ଯେଉଁ ବାର୍‌କୁ ମନିଷ ତାଙ୍କର
କିଛି ସାଙ୍ଗ ମାନଙ୍କ ସହିତ ଯାଇଥିଲେ ଓ ଯେଉଁଠି ଘଟଣାର ସୂତ୍ରପାତ ହୋଇଥିଲା, ସେହି ବାର୍‌କୁ ବେଆଇନ ଭାବେ ନିଜ ଭାଇ ନାଁରେ ଚଲାଇଥିଲେ ପ୍ରସନ୍ନ ବେହେରା । ସେହି ସାଉଥ୍ ସିଟ୍ ହୋଟେଲ୍‌ ବାର୍‌ର ମାଲିକ ହେଉଛନ୍ତି ପ୍ରଦ୍ୟୁମ୍ନ ଜେନା । ତାଙ୍କୁ ବି ଗିରଫ କରାଯାଇଛି । ପ୍ରଦ୍ୟୁମ୍ନ ବାର୍‌ ଚଲାଇ ନ ପାରିବାରୁ ପ୍ରସନ୍ନ ଏହାକୁ ନିଜ ଭାଇଙ୍କ ନାଁରେ ଲିଜ୍‌ରେ ନେଇ ଚଲାଉଥିଲେ ।

ଏହି ବାର୍‌ର ଲାଇସେନ୍ସ ସେପ୍ଟେମ୍ବର ମାସରୁ ଶେଷ ହୋଇଯାଇଥିଲେ ବି ପ୍ରସନ୍ନ ଏହାକୁ ଚଲାଉଥିଲେ, ଯାହା ବେଆଇନ ଥିଲା । ସେହିପରି କୋଭିଡ୍ କଟକଣା ଉଲ୍ଲଂଘନ କରି ସେ ଏହାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଲାଉଥିଲେ । ଏ କଥା ଜଣାପଡ଼ିବା ପରେ ପ୍ରଥମେ ପ୍ରସନ୍ନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ପରେ ତାଙ୍କୁ ଗିରଫ କରାଯାଇଥିଲା । ଆଉ ଗିରଫ ହେବା ପରେ ତାଙ୍କୁ ଚାକିରି ବହିଷ୍କାର କରାଯାଇଥିଲା । ତେବେ ପ୍ରସନ୍ନଙ୍କ କଳା କାରନାମା ଏତିକିରେ ସୀମିତ ନାହିଁ । ପୂର୍ବରୁ ବି ତାଙ୍କ ନାଁରେ ବହୁ ମାମଲା ରହିଛି । ତାଙ୍କ ନାଁରେ ମୋଟ ୮ ଟି ବିଭାଗୀୟ ପ୍ରୋସିଡିଂ ଓ ୫ ଟି ଫୌଜଦାରୀ ମାମଲା ରହିଛି ।

ସୂଚନାଯୋଗ୍ୟ, ବାର୍‌ରେ ବିଲ୍‌ ପେମେଣ୍ଟକୁ ନେଇ ମନିଷଙ୍କର ତାଙ୍କ ସାଙ୍ଗମାନଙ୍କ ସହିତ ଝଗଡ଼ା ହୋଇଥିଲା । ସେହି ସମୟରେ ସେମାନେ ମନିଷଙ୍କୁ ମାରପିଟ କରିଥିଲେ ଓ ସେଥିରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପୁଲିସ୍ କହିଛି । ଏହି ଘଟଣାରେ ତାଙ୍କର ତିନି ଜଣ ସାଙ୍ଗ ଗିରଫ ହୋଇଛନ୍ତି ।