ନକଲି କୋଭିଡ ସାର୍ଟିଫିକେଟ ମାମଲା : କାରଣ ଦର୍ଶାଅ ନୋଟିସ୍ ଜାରି କଲା ବିଏମସି

0
159

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୯/୧୦) : ନକଲି କୋଭିଡ ସାର୍ଟିଫିକେଟ ଦେବା ମାମଲାରେ ଜେନେକ୍ସ ଡାଇଗ୍ନୋଷ୍ଟିକ୍ସକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଏମସି । କଣ ପାଇଁ ବିଏମସି ତୁମ ସଂସ୍ଥାର ଲାଇସେନ୍ସ ରଦ୍ଦ କରିବ ନାହିଁ ତାହା ଉପରେ ସ୍ପଷ୍ଟକରଣ ଦେବାକୁ କହିଛି ବିଏମସି ।

ଆସନ୍ତା ୭୨ ଘଣ୍ଟା ମଧ୍ୟରେ ପ୍ରଶ୍ନର ଉତ୍ତର ନ ଦେଲେ ସଂସ୍ଥା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନି ଦେଇଛି ବିଏମସି । ନକଲି କୋଭିଡ ସାର୍ଟିଫିକେଟ ମାମଲା ରେ ମହାମାରୀ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ଆରଟିପିସିଆର କୋଭିଡ ରିପୋର୍ଟ ପାଇଁ ୧୨ ଶହ ଟଙ୍କା ନେଇ କୋଭିଡ ସାର୍ଟିଫିକେଟ ଦେଇଥିଲା ଜେନେକ୍ସ ଡାଇଗ୍ନୋଷ୍ଟିକ୍ସ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ଉପରେ ପ୍ରତିକ୍ରିୟା ରଖି ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର କହିଥିଲେ ଆସିଥିବା ଅଭିଯୋଗର ତଦନ୍ତ ହେବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜାଲ ପଜିଟିଭ ରିପୋର୍ଟ ଦେଇଥିବା ଲାବୋରାଟୋରୀକୁ ପଚରାଉଚରା କରାଯିବ । ବିଏମସି ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ, ଭୁବନେଶ୍ୱରର ଜଣେ ଦଲାଲକୁ ସାମ୍ବାଦିକ ଫୋନ କରିଥିଲେ ଏକ ଫେକ୍ କୋଭିଡ ରିପୋର୍ଟ ଦେବାକୁ କହିଥିଳେ । ଫୋନରେ ଯୋଗାଯୋଗ କରିବାରୁ ସେପଟୁ ଉତର ଆସିଲା ଭୁବନେଶ୍ୱରରେ କୋଭିଡ ପଜିଟିଭଙ୍କ ସଂଖ୍ୟା କମି ଯାଇଥିବାରୁ ଟିକେ ସମସ୍ୟା ହେବ । ତଥାପି ଆଧାରକାର୍ଡ ପଠାଇଲେ ଚେଷ୍ଟା କରିବେ ବୋଲି କହିଥିଲେ ଦଲାଲ ଜଣକ । ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ବୋଲି ପଚାରିବାରୁ, ଲ୍ୟାବ ଅନୁଯାୟୀ ରେଟ୍ ଅଲଗା ଅଲଗା ରହିଥିବା କହିଥିଲେ ଦଲାଲ । ତେବେ ଫୋନରେ କଥାବାର୍ତ୍ତା ପରେ ହ୍ୱାଟ୍ସଆପରେ ଆଧାର କାର୍ଡ ଦିଆଯିବା ସହ ଗୁଗୁଲ ପେ’ରେ ୧୨ ଶହ ଟଙ୍କା ପୈଠ କରି ଦିଆଗଲା ।

ସୋମବାର ଅପରାହ୍ନରେ ନମୁନା ସଂଗ୍ରହ ହୋଇଥିବା ନେଇ ମୋବାଇଲକୁ ମେସେଜ ଆସିଗଲା । ଆଉ ମଙ୍ଗଳବାର ସକାଳେ ଆରଟିପିସିଆର କୋଭିଡ ପଜିଟିଭ ରିପୋର୍ଟ ସାମ୍ବାଦିକଙ୍କ ମୋବାଇଲକୁ ପଠାଇଦେଲେ ସଂପୃକ୍ତ ଦଲାଲ । ତେବେ ଏହି ରିପୋର୍ଟ ଦେଇଥିଲା ଜେନେକ୍ସ ଡାଇଗ୍ନୋଷ୍ଟିକ୍ସ । କେବଳ ଜେନେକ୍ସ ଡାଇଗ୍ନୋଷ୍ଟିକ୍ସ ନୁହେଁ ବହୁ ଲାବ୍ରୋଟେରୀ ଏଭଳି ମିଥ୍ୟ ରିପୋର୍ଟ ଦେଉଛନ୍ତି । କେବଳ ଭୁବନେଶ୍ୱର ନୁହେଁ ଉପକୂଳବର୍ତି ଜିଲ୍ଲା ଗୁଡିକରେ ଏଭଳି ବହୁଳ ମାତ୍ରାରେ ଚାଲିଛି । ଟଙ୍କା ନେଇ ନକଲି କୋଭିଡ ରିପୋର୍ଟ ଦେଉଛନ୍ତି ସମ୍ପୃକ୍ତ ସଂସ୍ଥା ।