ଗାଇଖାଇ କେନାଲରୁ ରଫାଖାଲ କୁ ଯାଇଥିବା କେନାଲ କାମ ନିମ୍ନମାନର ଅଭିଯୋଗ 

0
187

ରିପୋର୍ଟ : ବିମଳେନ୍ଦୁ ସାହୁ
ବଲାଙ୍ଗୀର,ଲୋଇସିଂହା,(୧୭/୦୭) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଗାଇଖାଇ କେନାଲରୁ ରଫାଖାଲ ଗ୍ରାମକୁ ଯାଇଥିବା କେନାଲରେ ଗତବର୍ଷ ୨୪ ଲକ୍ଷ ଟଙ୍କାରେ କଂକ୍ରିଟ କାନ୍ଥ କାମ କରାଯାଇଥିଲା । ତେବେ  ନିମ୍ନମାନର କାମ ଯୋଗୁଁ ଚଳିତ ବର୍ଷ ସାମାନ୍ୟ ବର୍ଷାରେ ତାହା ଭାଙ୍ଗି ଯାଇଛି l

ଗାଇଖାଇ କେନାଲରୁ ରଫାଖାଲ ଗ୍ରାମକୁ ଯାଇଥିବା କେନାଲ ଅତି ତରବରିଆ ଭାବେ ନିମ୍ନମାନର କାମକୁ ଘୋଡାଇବାକୁ ଯାଇ ଚଳିତ ବର୍ଷ ପୁଣି ନିର୍ମାଣ କାମ କରାଯାଇଛି l ୨୪ ଲକ୍ଷ ଟଙ୍କାରେ ନିର୍ମିତ କାନ୍ଥ ଗୋଟିଏ ବର୍ଷରେ ଭାଙ୍ଗିଯିବା  ନିମ୍ନମାନର କାମକୁ ପ୍ରମାଣିତ କରୁଛି l

ଚଳିତ ଜୁଲାଇ ମାସରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଗଜା ମରୁଡି ପରିସ୍ଥିତି ସୃଷ୍ଟି ହେବାକୁ ବସିଲାଣି l ଡ୍ୟାମକାମ ଠିକ ସମୟରେ ସରିପାରି ନ ଥିବା ବେଳେ ବନ୍ଧରୁ ପାଣି ଆସୁ ନ ଥିବାରୁ ଗାଇଖାଇ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏସବୁ ସମସ୍ୟାକୁ  ନେଇ ସ୍ଥାନୀୟ ଲୁହୁରାମୁଣ୍ଡାର ଚାଷୀ ଦିଲୀପ ବାରିକ, ବାବୁ ଫାସଡ଼ ର ବିଜୟ କୁମାର ବାବୁ, ଚାଷୀ ନେତା ପୁରନ୍ଦର ଦାଶ  ଆର୍ତ୍ତ ପଧାନ, କରୁଣା ସେଠ୍ ପ୍ରମୁଖ ଜଳସେଚନ ବିଭାଗ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି l

ଏହି କେନାଲ ବିଭାଗର ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଏସଡିଓ ଙ୍କ ବଦଳି ଦାବି କରିଛନ୍ତି ସ୍ଥାନୀୟ ଚାଷୀମାନେ । ସେମାନଙ୍କ କହିବା କଥା ହେଲା, ଜାତୀୟ ରାଜପଥ ନଂ ୨୬ କୁ ଆଖପାଖ ଲୁହୂରlମୁଣ୍ଡା, ଶଙ୍ଖୁଆ, ମନୁପାଲି ତଥା ସ୍ଥାନୀୟ ଗ୍ରାମଗୁଡିକୁ ସଂଯୋଗ କରିବା ପାଇଁ ଓଡିଶା ସରକାରଙ୍କ ତରଫରୁ ୧ କୋଟି ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପୋଲ ନିର୍ମାଣ କରାଯାଇଛି । ହେଲେ ପିଲର ଗୁଡିକର ନିହ ମାତ୍ର ନଅ ଫୁଟ ଥିବାରୁ ଏବେ ପୋଲର ଛାତରେ ଗର୍ତ୍ତ ସୃଷ୍ଟି ହୋଇ ପାଣି ଝରୁଥିବା ଦେଖିବାକୁ ମିଳିଛି ।

ଏଥିସହିତ ଗାଇଖାଇ ପ୍ରକଳ୍ପରେ ପ୍ରାୟ ୪ କୋଟି ୩୯ ଲକ୍ଷ ୯୧ ହଜାର ଟଙ୍କାର କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ ମାଟିକୁ ଆଣି ପୋଲର ଦୁଇ ପାର୍ଶ୍ଵରେ ପକାଯାଇ ମିଥ୍ୟାବିଲ କରାଯାଉଛି ବୋଲି ଅଭିଯୋଗ ହୋଇଛି । ଏହି ପ୍ରକଳ୍ପର ବଜେଟରୁ ହିଁ ୨୪ ଲକ୍ଷ ଟଙ୍କାର କେନାଲ କାମ ହୋଇଥିଲା l

ବିଭାଗୀୟ ଅଧିକାରୀ ଏବଂ ଦାୟିତ୍ୱରେ ଥିବା ଠିକାଦାରଙ୍କ ମିଳିତ ମଧୁ ଚନ୍ଦ୍ରିକା ଯୋଗୁଁ ସ୍ଥାନୀୟ ଚାଷୀ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ରହିଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଚାଷୀ ମାନେ ଦାବି କରିଛନ୍ତି ।