Friday, March 29, 2024

Top 5 This Week

Related Posts

ଅପରାଧୀ ଙ୍କୁ ସାବାଡ଼ କରିବା ପାଇଁ ଆସୁଛି ଗୁଣ୍ଡା ଆଇନ୍ : ଅତି କମରେ ୭ ବର୍ଷ ସଜା

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୮/୧୧) : ଅପରାଧୀ ଙ୍କୁ ସାବାଡ଼ କରିବା ପାଇଁ ଆସୁଛି ଗୁଣ୍ଡା ଆଇନ୍ | ଛୋଟମୋଟ ଅପରାଧ ଘଟାଇଲେ ବି ମିଳିବ କଡ଼ା ଶାସ୍ତି । ଛୋଟମୋଟ ଦଫା ଆଳରେ ସ୍ୱଳ୍ପ ସଜା କାଟି ପୁଣି ଥରେ ଆତଙ୍କ ଖେଳାଇ ପାରିବେନି ଅପରାଧୀ ।

ଏହି ଆଇନ ବଳରେ ସୁପାରୀ କିଲର ଗୋଷ୍ଠୀ ସଂଘର୍ଷ, ଯୁବତୀ କି ନାବାଳକ ଚାଲାଣ ଆଉ କଳା ଟଙ୍କା ଠୁଳରେ ବି ଅଭିଯୁକ୍ତଙ୍କୁ ମିଳିବ କଡ଼ା ଦଣ୍ଡ । ଅପରାଧୀ ଙ୍କୁ ସାବାଡ଼ କରିବାକୁ ରାଜ୍ୟ ସରକାର ଆଣୁଛନ୍ତି ‘ଗୁଣ୍ଡା ଆଇନ୍’ । ଏହି ଆଇନ୍ ବଳରେ ଅପରାଧୀଙ୍କୁ ଅତି କମରେ ୭ ବର୍ଷ ନ ହେଲେ ସର୍ବାଧିକ ୧୦ ବର୍ଷ ଜେଲ୍ ସଜା କାଟିବାକୁ ପଡ଼ିବ । ଖାଲି ଅପରାଧୀ ନୁହେଁ, ସେମାନଙ୍କୁ ସହାୟତା କରୁଥିବା ସରକାରୀ ବେତନଭୋଗୀ ଙ୍କ ସମ୍ପତ୍ତି ମଧ୍ୟ ବ୍ୟାଜାପ୍ତ ହେବ ।

ପ୍ରସ୍ତାବିତ ଗୁଣ୍ଡା ଆଇନ୍ ଏବେ ଡ୍ରାଫ୍ଟ ଭାବେ ଅଛି । ଆଇନ୍ ବିଭାଗ ଏହି ପ୍ରସ୍ତାବିତ ବିଲ୍ ଉପରେ ତର୍ଜମା ଚଳାଇଛି । ପ୍ରସ୍ତାବିତ ବିଲ୍ ର ନାଁ ରହିଛି ‘ଓଡ଼ିଶା ଗୁଣ୍ଡା ଆଣ୍ଡ ଆଣ୍ଟି ସୋଶାଲ ଆକ୍ଟିଭିଟିଜ୍ ବିଲ୍’ । ଆଇନ୍ ବିଭାଗର ଅନୁମୋଦନ ପରେ ଏହା କ୍ୟାବିନେଟ ମଞ୍ଜୁରୀ ପାଇଁ ଯିବ । ଏହାପରେ ବିଧାନସଭା ରେ ଆଗତ ହେବ । ଏହି ବିଲ୍ ପାସ୍ ହେଲେ ସରକାର ଜଣେ ବ୍ୟକ୍ତି ଙ୍କୁ ଗୁଣ୍ଡା ଘୋଷଣା କରିପାରିବେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ଚିଠା ପ୍ରସ୍ତାବ ଆଇନ୍ ବିଭାଗକୁ ପଠାଯାଇଛି । ତର୍ଜମା ପରେ ଆଗାମୀ କ୍ୟାବିନେଟ ବୈଠକରେ ଏହା ଅନୁମୋଦିତ ହେବ । ପ୍ରସ୍ତାବ ମୁତାବକ ଆଇନ୍ ର ନାଁ ରହିଛି ‘ଓଡ଼ିଶା ଗୁଣ୍ଡା ଓ ଅସାମାଜିକ କାର୍ଯ୍ୟକଳାପ ନିବାରଣ ବିଲ୍’ ।

ସ୍ୱତନ୍ତ୍ର ଆଇନ୍ ଲଙ୍ଘିବା ବ୍ୟକ୍ତିଙ୍କୁ ଅତି କମରେ ୭ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ଦରକାର ପଡ଼ିଲେ, ଅପରାଧୀଙ୍କ ସମ୍ପତ୍ତି ବ୍ୟାଜାପ୍ତି କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ମିଳିବ । ଯଦି ବେଆଇନ୍ ଉପାୟରେ କିମ୍ବା କୌଣସି ଅପରାଧିକ ଷଡଯନ୍ତ୍ରରୁ ଟଙ୍କା ଓ ସମ୍ପତ୍ତି ସଞ୍ଚୟ କରିଥିବେ, କୋର୍ଟରେ ଚାର୍ଜସିଟ ଦାଖଲ ପୂର୍ବରୁ ତାହାକୁ ବ୍ୟାଜାପ୍ତି କରାଯାଇ ପାରିବ ।

କୌଣସି ସରକାରୀ ବେତନଭୋଗୀ ପରୋକ୍ଷରେ କିମ୍ବା ପ୍ରତ୍ୟକ୍ଷରେ ଅପରାଧୀଙ୍କୁ ସହଯୋଗ କଲେ, ଜାଣିଶୁଣି କୋର୍ଟ କିମ୍ବା ଉପରିସ୍ଥ ଅପରାଧୀ ଙ୍କ ନିର୍ଦ୍ଦେଶ ନ ମାନିଲେ ଅତି କମରେ ୩ ବର୍ଷ ଓ ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ । ସେହିପରି ସରକାରୀ ବେତନଭୋଗୀ ଅପରାଧୀଙ୍କ ଠାରୁ ବେଆଇନ୍ ଉପାୟରେ ସମ୍ପତ୍ତି ଠୁଳ କଲେ, ୩ ବର୍ଷ ଜେଲଦଣ୍ଡ ର ବ୍ୟବସ୍ଥା ରହିଛି । ଏପରିକି ତାଙ୍କ ସମ୍ପତ୍ତିକୁ ବ୍ୟାଜାପ୍ତି ମଧ୍ୟ କରାଯିବ ।

ଘରୋଇ ସଂସ୍ଥାରେ କର୍ମଚାରୀଙ୍କୁ ଅସଦାଚରଣ, ଋଣ ଆଦାୟ ବେଳେ ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି, ବେଆଇନ୍ ଅସ୍ତ୍ରଶସ୍ତ୍ର ବ୍ୟବହାର, ସାଇବର ଅପରାଧ, ଏସିଡ ଆକ୍ରମଣ, ଚାଇଲ୍ଡ ପନୋଗ୍ରାଫି ପାଇଁ ଅପରାଧ ପାଇଁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ର ବ୍ୟବସ୍ଥା ରହିଛି । ସ୍ୱତନ୍ତ୍ର ଅଦାଲତରେ ଅଭିଯୁକ୍ତ ଙ୍କ ଶୁଣାଣି ହେବ । ଶୁଣାଣି ପ୍ରକ୍ରିୟା ର ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ରହିବ । ସାକ୍ଷୀମାନଙ୍କ ଠିକଣା ଓ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ । ଏପରିକି ମାମଲାର କେସ୍ ରେକର୍ଡ କିମ୍ବା ଅଦାଲତ ଙ୍କ ରାୟରେ ମଧ୍ୟ ସାକ୍ଷୀ ଙ୍କ ନାଁ ଉଲ୍ଲେଖ ରହିବନି ବୋଲି ସ୍ୱତନ୍ତ୍ର ପ୍ରସ୍ତାବରେ ଦର୍ଶାଯାଇଛି ।

ଏହି ମାମଲାରେ ବେଲ୍ ମିଳିବା କଷ୍ଟକର ହୋଇପଡ଼ିବ । ଅଭିଯୁକ୍ତ ଅପରାଧ ଘଟାଇ ନ ଥିବା ଅଦାଲତ ହୃଦୟଙ୍ଗମ କଲେ ହିଁ ବିଲ୍ ମିଳିପାରିବ । ରାଜନୈତିକ ଉଦ୍ଦେଶ୍ୟ ରଖି ଏହାର ଅପବ୍ୟବହାର ହେବାର ବହୁତ ଆଶଙ୍କା ମଧ୍ୟ ରହିଛି ।

Popular Articles