ରାୟଗଡା ଉପଖଣ୍ଡ ସ୍ତରୀୟ କପା ମଣ୍ଡି ଉଦଘାଟିତ

0
184

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା,(୧୫/୧୧) : ରାୟଗଡା ବଜାର ନିୟନ୍ତ୍ରିତ କମିଟି କାର୍ଯ୍ୟାଳୟ ପରିସରରେ ଆଜି ରାୟଗଡା ଉପଖଣ୍ଡ ସ୍ତରୀୟ କପା ମଣ୍ଡି ର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବଜାର ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ରାୟଗଡା ଉପଖଣ୍ଡ ସ୍ତରୀୟ କପା ମଣ୍ଡି ର ଶୁଭ ଉଦଘାଟନ କରିଥିଲେ । ଚଳିତ ୨୦୨୧-୨୨ ବଜାର ବର୍ଷରେ କପା କ୍ରୟ ଓ ବିକ୍ରୟ ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ନଭେମ୍ବର ୧୫ ତାରିଖରେ କପା ମଣ୍ଡି ଖୋଲଯାଇଛି ବୋଲି ଉପଜିଲ୍ଳାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

ସେହିପରି ଆସନ୍ତା ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ କପା ମଣ୍ଡି ଚାଲିବାକୁ ଥିବା ବେଳେ କପା ମଣ୍ଡିରେ ଚାଷୀଙ୍କ ଗହଳିକୁ କମାଇବା ପାଇଁ ଆଜି ଠାରୁ ମଣ୍ଡିର ଶୁଭାରମ୍ଭ କରାଯାଇଛି ଏବଂ ଚାଷୀମାନେ କିପରି ଭାବେ ସିଧାସଳଖ ଉପକୃତ ହେବେ ଏବଂ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ସମନ୍ୱୟ ରହିବ ସେ ନେଇ ମଣ୍ଡି ଖୋଲାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଚଳିତ ବର୍ଷ କପା ର ସରକାରୀ ନିର୍ଦ୍ଧାରିତ ଦର କ୍ୱିଣ୍ଟାଲ ପିଛା ୬୦୨୫ଟଙ୍କା ରହିଥିବା ବେଳେ ମଣ୍ଡିର ପ୍ରଥମ ଦିନରେ କୈାଣସି ବି ଚାଷୀ ନିଜ କପା ବିକ୍ରି କରି ନ ଥିବା ଜଣାପଡିଛି । ରାୟଗଡ ଉପଖଣ୍ଡର ୩ ଟି ସ୍ଥାନରେ ମଣ୍ଡି ଖୋଲାଯିବ । ଏଥି ମଧ୍ୟରେ ରାୟଗଡା ମୁଖ୍ୟ ବଜାର ପ୍ରାଙ୍ଗଣରେ ପ୍ରତ୍ୟେକ ଦିନ (ରବିବାର ଓ ସରକାରୀ ଛୁଟି ଦିନ ବ୍ୟତୀତ) ମଣ୍ଡି ଖୋଲିବାକୁ ଥିବା ବେଳେ କୁମୁଟିପେଣ୍ଠ ମଣ୍ଡି ପ୍ରତ୍ୟେକ ଶନିବାର ଓ ଅଣ୍ଟାମଡା ନିକଟସ୍ଥ ପାର୍ବତୀନଗର ମଣ୍ଡି ପ୍ରତ୍ୟେକ ଶୁକ୍ରବାର ଖୋଲା ରହିବ ବୋଲି ଜଣାପଡିଛି ।

ମଣ୍ଡିରେ ଚାଷୀମାନଙ୍କ କପା ବିକ୍ରି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଆରଏମସି ସମ୍ପାଦକ ବିପନ୍ ବିହାରୀ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି । ସେହିପରି ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ ବାହାର ଟ୍ରେଡର୍ସ ତଥା ବ୍ୟବସାୟୀମାନେ ଏକ ହଜାର ଟଙ୍କା ଅଧିକ ଦେଇ ଚାଷୀଙ୍କ ଠାରୁ କପା କ୍ରୟ କରି ନେଉଥିବାରୁ ଚାଷୀମାନେ ଏଥିରେ ଅଧିକ ଉପକୃତ ହେଉଥିବାରୁ ବଜାର ଦର ହ୍ରାସ ପରେ ମଣ୍ଡିରେ ଚାଷୀମାନେ ବିକ୍ରୟ କରିବେ ବୋଲି ଜିଲ୍ଲା କୃଷି ଅଧିକାରୀ ଦୁଶାସନ ପ୍ରହରାଜ ପ୍ରକାଶ କରିଛନ୍ତି |

ଆଜି ର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିସିଆଇ’ର ପ୍ରତିନିଧିଙ୍କ ସମେତ ବ୍ଲକ କୃଷି ଅଧିକାରୀ ଜେ.ସୂର୍ଯ୍ୟାରାଓ ଏବଂ ଆରଏମସି କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।