ଆଜି ନାମାଙ୍କନ ଦାଖଲ ର ଶେଷ ଦିନ

0
138

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୧/୦୧) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ଆଜି ସରିବ ।

ଏଣୁ ପ୍ରାର୍ଥୀମାନେ ଆଜି ନାମଙ୍କନ ଦାଖଲ ସମୟରେ ପୂର୍ବରୁ ଜାରି ଗାଇଡଲାଇନ ପାଳନ କରିବାକୁ କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ହେଲେ ଗତ ୪ ଦିନରେ ୧,୩୩,୫୮୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଗୁରୁବାର ରେକର୍ଡ ସଂଖ୍ୟକ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏପରିକି ୱାର୍ଡ‌ମେମ୍ବର ପଦ କୁ ଛାଡ଼ି ବାକି ତିନିଟି ପଦବି ପାଇଁ ତିନି ଦିନରେ ଯେତିକି ପ୍ରାର୍ଥିପତ୍ର ଦାଖଲ କରିଥିଲେ ଆଜି ଗୋଟିଏ ଦିନରେ ତା’ ଠାରୁ ଅଧିକ ପ୍ରାର୍ଥିପତ୍ର ଦାଖଲ ହୋଇଛି ।

ପ୍ରାର୍ଥିପତ୍ର ଦାଖଲ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ଜମୁଥିବା ବେଳେ ଶେଷ ଦିନରେ ଅସମ୍ଭାଳ ଭିଡ଼ ହେବାର ଆଶଙ୍କା ଅଛି । ପ୍ରା‌ର୍ଥୀ ଓ ସମର୍ଥକମାନେ କୋଭିଡ ଗାଇଡଲାଇନ୍ ମାନୁ ନ ଥିବା ନଜର କୁ ଆସିଥିବାରୁ ଶେଷ ଦିନରେ ଯେପରି ପରିସ୍ଥିତି ଅଣାୟତ୍ତ ନ ହୁଏ ତାହା ଉପରେ ନଜର ରଖିବା ସହ ଭିଡ଼ ନିୟନ୍ତ୍ରଣ କରିବାକୁ ଆଜି ରାଜ୍ୟ ନିର୍ବାଚନ କମିସନର ପୁଲିସ ଡିଜିଙ୍କୁ ନି‌ର୍ଦ୍ଦେଶ ଦେଇଛନ୍ତି ।

ପ୍ରାର୍ଥିପତ୍ର ଆଣିବା ଏବଂ ଦେବା ପ୍ରକ୍ରିୟା ଏକସଙ୍ଗେ ଚାଲିଥିବାରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପ୍ରବଳ ଭିଡ଼ ହେଉଛି । ଏପରିକି ପ୍ରାର୍ଥୀଙ୍କ ସହ ୫ ଜଣ ବିନା ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶନାମା ଜାରି କରିଥିଲେ ହେଁ ଅଧିକାଂଶ ପ୍ରାର୍ଥୀ ଏହାକୁ ମାନୁନାହାନ୍ତି । ପ୍ରାର୍ଥୀମାନେ ଶତାଧିକ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ।

ପ୍ରାର୍ଥିପତ୍ର ଦାଖଲ ବେଳେ‌ କୋଭିଡ କଟକଣା ଉଲ୍ଲଂଘନ ହେଉଥିବା ଜାଣିବା ପରେ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରାର୍ଥିପତ୍ର ଦାଖଲ ବେଳେ ଭିଡ଼ ନିୟନ୍ତ୍ରଣ ସହ କୋଭିଡ-୧୯ ନିର୍ଦ୍ଦେଶାବଳୀ ର କଡ଼ାକଡ଼ି ଅନୁପାଳନ ନିମନ୍ତେ ପୁଲିସ ଡିଜିଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଗତ ୧୫ତାରିଖରେ ବସିଥିବା ଜିଲ୍ଲାପାଳ-ଆରକ୍ଷୀ ଅଧୀକ୍ଷକଙ୍କ ବୈଠକରେ ନିର୍ବାଚନ କମିସନର ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ, ଜଣେ ଡିଏସ୍‌ପି ପାହ୍ୟାର ପୁଲିସ ଅଧିକାରୀଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଦାଖଲ ଓ ନିର୍ବାଚନୀ ବୈଠକ ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବା ସହ କୋଭିଡ ନିୟମାବଳୀ ର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା କାର୍ଯ୍ୟକାରୀ ହେଉ ନ ଥିବା କମିସନର ଜାଣିବା ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଅପରପକ୍ଷେ ଆଜି ୱାର୍ଡ ମେମ୍ବର ପାଇଁ ୪୦,୭୩୨ ଜଣ, ସରପଞ୍ଚ ପାଇଁ ୮୮୪୨ ଜଣ, ପଞ୍ଚାୟତ ସମିତି ପାଇଁ ୭୮୩୨ ଜଣ, ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ୧୧୮୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଚାରି ଦିନରେ ୱାର୍ଡ ମେମ୍ବର ପାଇଁ ୯୫୮୧୪ ଜଣ, ସରପଞ୍ଚ ପାଇଁ ୧୭୭୮୯ ଜଣ, ସଭିତି ସଭ୍ୟ ପାଇଁ ୧୪୦୩୭ ଜଣ, ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୭୩୦ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ନିର୍ବାଚନରେ ୯୧,୯୧୩ ୱାର୍ଡ ମେମ୍ବର, ୬୭୯୩ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବା ପାଇଁ ଏଥର ମତଦାନ ହେବ ।