ଓଡିଶା ସୀମାନ୍ତରେ ପଶିଲେ ବାଟବଣା ହେଉଛି ଜାତୀୟ ଯୋଜନା

0
253
ଓଡିଶା ସୀମାନ୍ତରେ ପଶିଲେ

ରିପୋର୍ଟ : ରବିଶଙ୍କର ମହାପାତ୍ର //
ବୋରିଗୁମ୍ମା, (୩୦/୦୧) : ଓଡିଶା ସୀମାନ୍ତରେ ପଶିଲେ ବାଟବଣା ହେଉଛି ଜାତୀୟ ଯୋଜନା । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଠାରୁ ଜୟପୁର ସହରକୁ ସଂଲଗ୍ନ କରୁଥିବା ୨୬ ନଂ ଜାତୀୟ ରାଜପଥ ପ୍ରାୟ ୨ ବର୍ଷ ହେଲା କାମ ଆରମ୍ଭ ହୋଇଥିବା ସତ୍ତ୍ବେ ଏ ଯାଏଁ ଅଧାପନ୍ତରିଆ ହୋଇ ପଡି ରହିଛି । 

୨୨ କିଲୋମିଟର ରାସ୍ତା ର ୮/୯ ଟି ସ୍ଥାନରେ ରାସ୍ତା ନିର୍ମାଣ ପରବର୍ତ୍ତୀ ଛୋଟ ଛୋଟ ବ୍ରିଜ ନିର୍ମାଣ କରାଯାଉଛି । କିନ୍ତୁ ବ୍ରିଜ ଗୁଡାକର ଆପ୍ରୋଚ ରୋଡ (ବ୍ରିଜ ସଂଲଗ୍ନ ଉଭୟ ପାର୍ଶ୍ୱ ରାସ୍ତାର କିଛି ଦୂର ପର୍ଯ୍ୟନ୍ତ ରାସ୍ତା) ଗୁଡିକ ପିଚୁ ନ କରି ବ୍ରିଜ କାମ ଶେଷ ହେବାର ମାସ ମାସ ଧରି ସେମିତି ପଡି ରହିଛି । ଓଡିଶା ସୀମାନ୍ତରେ ପଶିଲେ ବାଟବଣା ହେଉଛି ଜାତୀୟ ଯୋଜନା ।

ଉମୁରି ଓ ରଣ୍ଡାପାଲି ମଧ୍ୟରେ ଥିବା ପୋଲ, କୁମୁଲିପୁଟ ଓ ହରଡାପୁଟ ମଧ୍ୟରେ ଥିବା ପୋଲ ଜୟନ୍ତିଗିରି ଓ ଜୟପୁର କେନାଲ ଉପରିସ୍ଥ ପୋଲ ଗୁଡିକ ଅଣ ଓସାରିଆ ଥିଲେ ମଧ୍ୟ ସେଗୁଡିକ ନୂତନ ଭାବେ ନିର୍ମାଣ କରାଯାଉ ନାହିଁ କାହିଁକି ଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ରଣ୍ଡାପାଲି ଠାରୁ ଉମୁରି ସିଧା ରାସ୍ତା ଥିଲା, ଯାହାକି ବାହାର ଭାଟି ନିକଟ ଦେଇ ଯାଉଥିଲା ଓ ସେଠାରେ ଗୋଟିଏ ପୋଲ ମଧ୍ୟ ଥିଲା । କିନ୍ତୁ ତାହା ବିପଦ ଶଙ୍କୁଳ ହେବାରୁ ପ୍ରାୟ ୨୦ ବର୍ଷ ତଳେ ନୂତନ ପୋଲ ତିଆରି କରି ପରିବର୍ତ୍ତିତ ମାର୍ଗରେ ଯାନ ଚଳାଚଳ କରାଗଲା ।

କିନ୍ତୁ ସେହି ପୋଲ ମଧ୍ୟ ପୁରୁଣା ତଥା ଅଣ ଓସାରିଆ ହୋଇଥିବାରୁ ତଥା ପୁରୁଣା ରାସ୍ତା ଠାରୁ ଅଧିକ ଦୀର୍ଘ ଓ ବକ୍ର ଥିବାରୁ ରାତିରେ ଗାଡି ଚାଳକ ମାନେ ଦୁର୍ଘଟଣା ଏଡାଇବା ପାଇଁ ଅତି ସତର୍କତା ଅବଲମ୍ବନ କରି ଗାଡି ଚଲାଇ ଥା’ନ୍ତି । ଦୁର୍ଘଟଣା ଏଡାଇବା ପାଇଁ ଇତି ମଧ୍ୟରେ ଜୟପୁରରୁ ନବରଂଗପୁର ମଧ୍ୟରେ କେତେକ ସ୍ଥାନରେ ଉଚ୍ଚ ଘାଟି ଗୁଡିକୁ କଟିଂ କରିବା ସହ ଖାଲୁଆ ଅଞ୍ଚଳକୁ ଉଚ୍ଚ କରାଯାଇଥିବା ବେଳେ ଏପରି ବକ୍ର ରାସ୍ତା ଗୁଡିକୁ ସଳଖ କରିବା ପାଇଁ କୌଣସି ଉପକ୍ରମ କରାଯାଉ ନାହିଁ ।

ଜୟପୁର ଠାରୁ ବୋରିଗୁମ୍ମା ବାଇକ୍ ଚାଳକ ମାନେ ଧୂଳି ଧୂସର ହେବା ସହ ଅଧିକ ଇନ୍ଧନ ଖର୍ଚ୍ଚ ତଥା ଯାତ୍ରାରେ ବିଳମ୍ବ ସହ ଟାୟାର ପଞ୍ଚର ହେବାର ସମ୍ଭାବନା ସହ ଦୁର୍ଘଟଣାର ଭୟ ମଧ୍ୟ ରହୁଛି । ଠିକ୍ ସେହିପରି ବୋରିଗୁମ୍ମା ଠାରୁ ଛତିଶଗଡ଼ ୬୩ ନଂ ଜାତୀୟ ରାଜପଥର ସୁରଲି ନିକଟରେ ଜମି ଅଧିଗ୍ରହଣ କାର୍ଯ୍ୟ ପାଇଁ ନିର୍ମାଣାଧୀନ ପୋଲର ଆପ୍ରୋଚ ରୋଡ ତିଆରି ହୋଇପାରି ନାହିଁ ।

ଫଳ ସ୍ବରୁପ ପ୍ରାୟ ୧ କିଲୋମିଟର ରାସ୍ତାରେ ଯାନବାହାନର ଗତି ମନ୍ଥର ହେବା ସହ ଦୁର୍ଘଟଣା ଆଶଙ୍କା ବୃଦ୍ଧି ପାଉଛି । ଛତିଶଗଡ ସୀମାନ୍ତ ଚାନ୍ଦିଲି ନିକଟରେ ଉଭୟ ଛତିଶ ଗଡ ଓ ଓଡିଶା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ମଧ୍ୟରେ ଗାଡି ଚାଳନା କରୁଥିବା ଲୋକଙ୍କ ମତାମତ ପ୍ରକାରେ ଓଡିଶା ସୀମା ଭିତରେ ପଶିଲା କ୍ଷଣି ଜାତୀୟ ରାଜପଥ ଯୋଜନା ଯେପରି ବାଟବଣା ହୋଇଯାଉଛି । ସରକାର ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋର ଧରିଛି ।