ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ୧୧ଟି ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ

0
128
ସ୍ୱତନ୍ତ୍ର କୋଶଳ ରାଜ୍ୟ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୭/୦୯) : ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ୧୨ ଘଣ୍ଟିଆ ମହାବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡ଼ିଶା ର ୧୧ ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଇଛି ।

ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଦୀର୍ଘ ଦିନ ଧରି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ଦାବି କରାଯାଇଛି । ହେଲେ ଦାବି ପୂରଣ ହେଉ ନଥିବାରୁ ଆଜି ମହାବନ୍ଦ ଡାକରା ଦିଆଯାଇଥିବା ଆନ୍ଦୋଳନକାରୀ ମାନେ କହିଛନ୍ତି । ବଲାଙ୍ଗୀରରେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ କରିଛନ୍ତି ।

ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ କୋଶଲ ରାଜ୍ୟ ଦାବିରେ ଚାଲିଥିବା ବନ୍ଦର ପ୍ରଭାବ ପଡ଼ିଛି । ଭବାନୀପାଟଣା ର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରିଛନ୍ତି । କୋଶଲ ମୁକ୍ତି ମୋର୍ଚ୍ଚା ସଭାପତି ସାଗର ଚରଣ ଦାସ ବନ୍ଦକୁ ସଫଳ କରିବାକୁ ନିବେଦନ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ର ଧର୍ମଗଡ଼ରେ ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରିଛନ୍ତି । ଧର୍ମଗଡ଼ ସହରରେ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି । ରାଜ୍ୟ ସରକାର କ୍ରମାଗତ ଭାବେ ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଥିବା କୋଶଲ ମୁକ୍ତି ମୋର୍ଚ୍ଚା ଅଭିଯୋଗ କରିଛି ।

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ବରଗଡ଼ ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି । କୋଶଳ ସେନା ର ସଦସ୍ୟମାନେ ସହରରେ ପିକେଟିଂ କରି ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ଓ ଗାଡି ଚଳାଚଳ ବନ୍ଦ କରିଛନ୍ତି । ସହରର ସମସ୍ତ ପ୍ରବେଶ ପଥକୁ ବନ୍ଦ କରାଯିବା ସହ ଗାନ୍ଧୀ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି ।

ଝାରସୁଗୁଡ଼ା ଜିଲ୍ଲାରେ କୋଶଲ ସେନା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଝାରସୁଗୁଡ଼ା ସହର ର ବସ୍‌ଷ୍ଟାଣ୍ତ ଛକ, ବାଇପାସ୍ ଛକ‌ ଓ ବେଦାନ୍ତ ଫାଟକ ସାମ୍ନାରେ କୋଶଳ ସେନା ର ସଦସ୍ୟମାନେ ଉପସ୍ଥିତ ରହି ନାରାବାଜି କରିଛନ୍ତି । ବାଇପାସ୍ ଛକରେ ଗାଡ଼ି ଅଟକାଇ ନାରାବାଜି କରିଛନ୍ତି । ପୁଲିସ କୋଶଲ ସେନା ର କର୍ମୀ ମାନଙ୍କୁ ଗିରଫ କରିଛି ।