ନୂଆବର୍ଷ ରୁ ଆରମ୍ଭ : ଅନଲାଇନରେ ଚିହ୍ନଟ ହେବ ବୈଧ ଡକ୍ୟୁମେଂଟ ନଥିବା ଗାଡ଼ି

0
108
ନୂଆବର୍ଷ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୪/୧୧) : ଜାତୀୟ ଓ ରାଜ୍ୟ ରାଜପଥରେ ବୈଧ ଡକ୍ୟୁମେଂଟ ନଥାଇ ଚାଲୁଥିବା ଗାଡ଼ିଗୁଡ଼ିକୁ ଅନଲାଇନ୍ ମାଧ୍ୟମରେ ଚିହ୍ନଟ କରି ସେଗୁଡ଼ିକର ଚାଲାଣ କାଟିବା ନିମନ୍ତେ ରାଜ୍ୟ ସରକାର ଆସନ୍ତା ନୂଆବର୍ଷ ରୁ ଇ-ଡିଟେକ୍ସନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଜାନୁୟାରୀ ପହିଲାରୁ ଜାତୀୟ ରାଜପଥରେ ବୈଧ ଡକ୍ୟୁମେଂଟ ନଥାଇ ଚାଲୁଥିବା ଗାଡ଼ିଗୁଡ଼ିକ ନିମନ୍ତେ ନୂଆବର୍ଷ ରୁ ଇ-ଡିଟେକ୍ସନ ବ୍ୟବସ୍ଥା ଲାଗୁ ହେବ । ରାଜ୍ୟ ଯୁଗ୍ମ ପରିବହନ କମିଶନର (ଟେକନିକାଲ) ଦୀପ୍ତିରଞ୍ଜନ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଡକ୍ୟୁମେଂଟ ଅପଡେଟ୍ ନଥାଇ ଚାଳୁଥିବା ଗାଡ଼ିଗୁଡ଼ିକୁ ଧରିବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ କରାଯାଉଛି । ଜାତୀୟ ରାଜପଥରେ ଥିବା ବିଭିନ୍ନ ଟୋଲଗେଟରୁ ଏହି ପୋଟାଲ ତଥ୍ୟ ସଂଗ୍ରହ କରିବ ।

ପ୍ରଥମ ପର୍ଯ୍ୟାୟରେ ଜାତୀୟ ରାଜପଥର ସମସ୍ତ ଟୋଲ ଗେଟ୍ ସହ ଏହି ପୋର୍ଟାଲକୁ ସଂଯୋଗ କରାଯିବ । ପରେ ଖଣି ଓ ଶିଳ୍ପାଂଚଳରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ । ସଂଗୃହୀତ ତଥ୍ୟକୁ ବାହାନ ପୋର୍ଟାଲରେ ଯାଞ୍ଚ କରାଯାଇ ବୈଧ ଡକ୍ୟୁମେଂଟ ନଥିଲେ ସ୍ୱତଃପ୍ରବୃତ୍ତ ଇ-ଚାଲାଣ ଜାରି କରାଯିବାର ବ୍ୟବସ୍ଥା ଏହି ଇ-ଡିଟେକ୍ସନ ପୋର୍ଟାଲରେ ରହିବ । ଫାଷ୍ଟଟ୍ୟାଗ ଓ ଟେଲଗେଟରୁ ତଥ୍ୟ ସଂଗ୍ରହ କରାଯିବ । ଜାତୀୟ ରାଜପଥରେ ଥିବା ଟୋଲ ଗେଟଗୁଡ଼ିକରୁ ନମୂନା ତଥ୍ୟ ସଂଗ୍ରହ କରାଯିବା ପରେ ଏହି ଇ-ଡିଟେକ୍ସନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

ଏହି ନୂଆ ବ୍ୟବସ୍ଥା ଅନୁସାରେ ବୈଧ ଡକ୍ୟୁମେଂଟ ନଥାଇ ଚଳପ୍ରଚଳ କରୁଥିବା ଗାଡ଼ି ମାଲିକଙ୍କୁ ତୁରନ୍ତ ଇ-ଚାଲାଣ ସମ୍ପର୍କରେ ସୂଚନା ମିଳିଯିବ । ରାସ୍ତା ଦୁର୍ଘଟଣା ହ୍ରାସ କରିବା ନିମନ୍ତେ ସମସ୍ତ ଗାଡ଼ି ମାଲିକମାନେ ନିଜର ଗାଡ଼ିର ଡକ୍ୟୁମେଂଟକୁ ଅପଟୁଡେଟ୍ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଗାଡ଼ିର ଇନ୍ୟୁରାନ୍ସ, ପଲ୍ୟୁଏସନ୍, ରୋଡ୍ ଟ୍ୟାକ୍ସ ସହ ମାଲିକାନା ଆଦି ତଥ୍ୟକୁ ଅପଟୁଡେଟ୍ ରଖିବା ଜରୁରୀ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।