ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ କଇଁଛ ଚୋରା ଚାଲାଣ : ଜବତ କଲା ବନ ବିଭାଗ !

0
87
ଜିଲ୍ଲା ମତ୍ସ୍ୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପାରଳାଖେମୁଣ୍ଡି, (୧୯/୧୨) : ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ କଇଁଛ ଚୋରା ଚାଲାଣ ବେଳେ ୨୦ରୁ ଅଧିକ କଇଁଛକୁ ଜବତ କରିଛି ବନ ବିଭାଗ ।

ଗତକାଲି ରାତିରେ ଏପରି ଘଟଣା ଘଟିଛି । ପୂର୍ବରୁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ କଇଁଛ ବାହାରକୁ ଚୋରା ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ବନ ବିଭାଗ ନିକଟରେ ଅଭିଯୋଗ କରି ଆସୁଥିଲେ । ଗତକାଲି ମଧ୍ୟ କଇଁଛ ଚାଲାଣକୁ ରୋକିବା ପାଇଁ ସ୍ଥାନୀୟ ଲୋକେ ଯୋଜନା କରିଥିଲେ । ଏଥିପାଇଁ ମତ୍ସ୍ୟଅଧିକାରୀଙ୍କ କାର୍ଯ୍ୟାଳୟ ଗେଟ୍‌ ପାଖରେ ଜଗି ରହିଥିଲେ । ଗତକାଲି ରାତି ପ୍ରାୟ ୯ଟା ସମୟରେ ଜଣେ ବ୍ୟକ୍ତି ଏକ ଜରି ବସ୍ତାରେ ୨୦ରୁ ଅଧିକ କଇଁଛ ପୁରାଇ ଲୁନା ଗାଡ଼ିରେ ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବାହାରିଥିଲେ ।

ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ମାଡ଼ି ବସିଥିଲେ । ହେଲେ କଇଁଛ ନେଇ ଯାଉଥିବା ବ୍ୟକ୍ତିଟି ଗାଡ଼ି ଓ କଇଁଛକୁ ଛାଡ଼ି ଦେଇ ସେଠାରୁ ଚମ୍ପଟ ମାରିଥିଲା । ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପହଞ୍ଚି ଜରି ବସ୍ତାରୁ ୨୦ରୁ ଅଧିକ କଇଁଛ ଜବତ କରିବା ସହ ଗାଡ଼ିକୁ ଜବତ କରିଥିଲା । ଲୁନାରେ କଇଁଛ ନେଇ ଯାଉଥିବା ବ୍ୟକ୍ତି ଜଣଙ୍କ ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟଅଧିକାରୀଙ୍କ କାର୍ଯ୍ୟାଳୟର ଠିକା କର୍ମଚାରୀ ବୋଲି ଜଣାଯାଇଛି । ପାରଳାଖେମୁଣ୍ଡି ରେଂଜର ଡି.ଭି. ଶର୍ମା କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ପୁରା ତଥ୍ୟ ଜଣାପଡ଼ିବ ।

ସ୍ଥାନୀୟ ଲୋକେ କହିଛନ୍ତି, ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସବୁଦିନ କଇଁଛ ଚୋରା ଚାଲାଣ ହେଉଛି। ଏହା ସହ ମାଛ ମଧ୍ୟ ଚୋରା ଚାଲାଣ କରାଯାଉଛି । ଏ ନେଇ ପାରଳାଖେମୁଣ୍ଡି ଜିଲ୍ଲାମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର କୌଣସି କର୍ମଚାରୀ ମୁହଁ ଖୋଲିନାହାନ୍ତି । ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।