ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

0
101
ଗାୟତ୍ରୀବାଳା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୧୨) : ୨୦୨୨ ବର୍ଷ ପାଇଁ ଘୋଷଣା ହୋଇଛି ସାହିତ୍ୟ ଏକାଡେମୀ ପୁରସ୍କାର । ମୋଟ ୨୩ଟି ଭାଷା ପାଇଁ ଗାୟତ୍ରୀବାଳା ପଣ୍ଡାଙ୍କୁ ଏହି ପୁରସ୍କାର ଘୋଷଣା କରାଯାଇଛି ।

ଓଡ଼ିଆରେ କବିତା ସଙ୍କଳନ ‘ଦୟାନଦୀ’ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଗାୟତ୍ରୀବାଳା ପଣ୍ଡା । ଏହି ସଙ୍କଳନରେ ମୋଟ ୬୪ଟି କବିତା ଥିବା ବେଳେ ସେଗୁଡ଼ିକ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ । ଜଗତସିଂହପୁର ଜିଲ୍ଲାର ସାଦେଇପୁରରେ ୧୯୭୭ ମସିହାରେ ଜନ୍ମଗ୍ରହଣ କରିଥିବା ଗାୟତ୍ରୀବାଳାଙ୍କର ସାହିତ୍ୟର ବିଭିନ୍ନ ବିଭାଗରେ ୨୫ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି । ତା’ ମଧ୍ୟରେ ୧୨ଟି କବିତା ସଙ୍କଳନ, ଦୁଇଟି ଗଳ୍ପ ସଙ୍କଳନ, ଦୁଇଟି ଉପନ୍ୟାସ ଓ ଗୋଟିଏ ପ୍ରବନ୍ଧ ସଙ୍କଳନ ରହିଛି । ହିନ୍ଦୀ ଓ ଇଂରାଜୀ ଭାଷାରେ ତାଙ୍କର ୮ଟି ପୁସ୍ତକ ଅନୂଦିତ ହୋଇଛି ।

ତାଙ୍କର କବିତା ସଙ୍କଳନ ଗୁଡ଼ିକ ମଧ୍ୟରେ ରହିଛି- ଆହତ ପ୍ରତିଶ୍ରୁତି, ଅସ୍ପଷ୍ଟ, ଈଶ୍ୱର, ଅଣାୟତ୍ତ ଗାଁ, ଯେତିକି ଦିଶୁଚି ଆକାଶ ଓ ବାଘ ଇତ୍ୟାଦି । ୨୦୧୧ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲେ । ଏହା ସହିତ ଆହୁରି ଅନେକ ପୁରସ୍କାର ପାଇଛନ୍ତି । ୨୦୧୫ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ‘ରାଇଟର୍ସ-ଇନ୍-ରେସିଡେନ୍ସ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ସ୍ୱରୂପ ଗାୟତ୍ରୀବାଳା ପଣ୍ଡାଙ୍କୁ ୧ ଲକ୍ଷ ଟଙ୍କା ସହିତ ତାମ୍ରଫଳକ ପ୍ରଦାନ କରାଯିବ । ସେହିପରି ସ୍ୱର୍ଗତ ମନୋଜ ଦାସଙ୍କ ‘ଅମୃତଫଳ’ ଉପନ୍ୟାସର ସଂସ୍କୃତ ଅନୁବାଦ ପାଇଁ ପ୍ରଫେସର ଗୋପବନ୍ଧୁ ମିଶ୍ରଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ପାଇଁ ବିଭିନ୍ନ ବର୍ଗରୁ ଗାୟତ୍ରୀବାଳା ପଣ୍ଡା ଓ ପ୍ରଫେସର ଗୋପବନ୍ଧୁ ମିଶ୍ରଙ୍କୁ ଅଭିନନ୍ଦନ ସୁଅ ଛୁଟିଛି ।