ପଞ୍ଚଭୂତରେ ଲୀନ ହେଲେ ହୀରାବେନ : ଭାଇମାନଙ୍କ ସହ ମିଶି ମୁଖାଗ୍ନି ଦେଲେ ମୋଦି

0
220
ପଞ୍ଚଭୂତରେ ଲୀନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଗାନ୍ଧିନଗର, (୩୦/୧୨) : ପଞ୍ଚଭୂତରେ ଲୀନ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ । ବିନା ଆଡମ୍ବରରେ ତାଙ୍କର ଶେଷକୃତ୍ୟ ଶେଷ କରିଛନ୍ତି ପରିବାର ଲୋକ ।

ପଞ୍ଚଭୂତରେ ଲୀନ ହେଲେ ହୀରାବେନ । ଗାନ୍ଧି ନଗର ଶ୍ମଶାନରେ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ନିଜେ ପ୍ରଧାନମନ୍ତ୍ରୀ ମୋଦି ଶେଷକୃତ୍ୟରେ ସାମିଲ ହେବା ସହ ଭାଇ ମାନଙ୍କ ସହ ମିଶି ମୁଖାଗ୍ନି ଦେଇଛନ୍ତି । ୧୦୦ ବର୍ଷୀୟ ହୀରା ବେନଙ୍କ ଅନ୍ତିମ ସଂସ୍କାର ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ । ଆଜି ଭୋର ୩.୩୦ରେ ହୀରାବେନଙ୍କ ଦେହାନ୍ତ ହୋଇଥିଲା । ଏହି ଖବର ପାଇ ମୋଦି ତୁରନ୍ତ ବିମାନ ଯୋଗେ ଗୁଜରାଟ ଆସିଥିଲେ । ଘରେ ମା’ଙ୍କ ଅନ୍ତିମ ଦର୍ଶନ କରିବା ପରେ ସେ କୋକେଇକୁ ନିଜ କାନ୍ଧରେ ଅନ୍ତିମ ସଂସ୍କାର ପାଇଁ ବାହାରକୁ ଆଣିଥିଲେ ।

ଘର ପାଖରୁ ଗୋଟିଏ ଗାଡ଼ି ଯୋଗେ ହୀରାବେନଙ୍କ ମରଶରୀରକୁ ଗାନ୍ଧିନଗର ଶ୍ମଶାନ ଯାଏ ନିଆଯାଇଥିଲା । ଶ୍ମଶାନ ନିକଟରେ ମଧ୍ୟ ପୁଣିଥରେ ମୋଦି ଓ ତାଙ୍କ ଭାଇମାନେ ମା’ଙ୍କ କୋକେଇକୁ ସଂସ୍କାର ଗୃହ ଯାଏ କାନ୍ଧରେ ନେଇଥିଲେ । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ମୋଦି ମା’ଙ୍କୁ ମୁଖାଗ୍ନି ଦେବାର ବେଳର ଭିଡିଓ ସାମ୍ନାକୁ ଆସିଛି । ସେ ମୁଖାଗ୍ନି ଦେବା ପରେ ଏହାର ଚାରି ପାଖରେ ବୁଲି ମା’ଙ୍କୁ ଅନ୍ତିମ ବିଦାୟ ଓ ପ୍ରଣାମ ଜଣାଇଥିଲେ ।

ଶେଷଥର ପାଇଁ ମୋଦି ନିଜ ମା’ଙ୍କୁ ଡିସେମ୍ବର ୪ରେ ଭେଟିଥିଲେ । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ସେ ମା’ଙ୍କୁ ଭେଟି ବେଶ କିଛି ସମୟ ବିତାଇଥିଲେ । ସବୁବେଳେ ନିଜ ମା’ଙ୍କ ସଂଘର୍ଷ ଓ ପ୍ରେରଣାର କାହାଣୀ କରୁଥିବା ମୋଦି ଆଜି ତାଙ୍କ ପରଲୋକ ପରେ ବେଶ ଭାବବିହ୍ୱଳ ଟ୍ୱିଟ କରିଥିଲେ ।

ବୁଧବାର ସକାଳେ ୧୦୦ ବର୍ଷୀୟ ହୀରା ବେନଙ୍କୁ ଅସୁସ୍ଥତା କାରଣରୁ ଅହମଦାବାଦରେ ଥିବା ସୁପର ସ୍ପେଶାଲିଟି ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଓ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡାକ୍ତରମାନେ କହିଥିଲେ । ଗୁଜରାଟ ସରକାର ମଧ୍ୟ ଗୋଟିଏ ବିବୃତିରେ ହୀରାବେନ୍‌ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି ସୂଚନା ଦେଇଥିଲେ । କିନ୍ତୁ ଆଜି ଭୋର ସମୟରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି ।