ରେଲୱେ ରେ ଚାକିରି ନାଁରେ ସାଢେ ୭ ଲକ୍ଷ ଲୁଟିନେଲେ ଯୁବତୀ

0
127
ରେଲୱେ ରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୦୫/୦୧) : ରେଲୱେ ରେ ଗ୍ରୁପ-ସି ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଜଣେ ଯୁବକଙ୍କଠାରୁ ସାଢେ ୭ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଯୁବତୀଙ୍କୁ ବାନ୍ଧିଛି ବ୍ରହ୍ମପୁର ଟାଉନ ଥାନା ପୁଲିସ

ରେଲୱେ ରେ ଚାକିରି ନାଁ’ରେ ସାଢେ ୭ ଲକ୍ଷ ନେବା ପରେ ଯୁବତୀ ଜଣକ ଯୁବକଙ୍କ ହାତରେ ଜାଲ ଅଫର ଲେଟର ଧରାଇ ଆଉ ସାଢେ ୩ ଲକ୍ଷ ଟଙ୍କା ଦେବାକୁ ଧମକ ଦେଲେ । ହେଲେ ଠକାମୀର ଶିକାର ହୋଇଥିବା ଜାଣି ଯୁବକ ସୋରଡ଼ା ବ୍ଲକ ଅସୁର ବନ୍ଧ ଅଞ୍ଚଳର ହିତେଶ ପାତ୍ର ଥାନାର ଦ୍ୱାରସ୍ଥ ହେବା ପରେ ସବୁ ଘଟଣା ଉପରୁ ପରଦା ହଟିଛି । ଗିରଫ ଯୁବତୀ ଜଣକ ହେଲେ ଜଗତସିଂହପୁର ଅଞ୍ଚଳର ଜେଏମଏସ ପ୍ରଭା । ସେ କିଛି ଦିନ ହେବ ବ୍ରହ୍ମପୁର ଶରଧାବାଲି ଇଲାକାରେ ରହୁଥିବା ବେଳେ ଏହି ଭଳି ଯୁବବର୍ଗଙ୍କୁ ଟାର୍ଗେଟ କରି ସେ ଲକ୍ଷାଧିକ ଟଙ୍କା ଲୁଟି ସାରିଲେଣି ।

ଅଭିଯୋଗ ଅନୁସାରେ, ହିତେଶ ପାତ୍ର ରେଳବାଇରେ ଗ୍ରୁପ-ସି ଚାକିରି ପାଇବା ନିମନ୍ତେ ଆଶାୟୀ ଥିବା ଜେଏମଏସ ପ୍ରଭା ସୂଚନା ପାଇଥିଲେ । ଏହାପରେ ସେ କିଛି ଦିନ ତଳେ ଗାନ୍ଧୀନଗର ସ୍ଥିତ ସାଇ କମ୍ପ୍ଲେକ୍ସ ଅଞ୍ଚଳରେ ହିତେଶଙ୍କୁ ଭେଟିଥିଲେ । ୧୧ ଲକ୍ଷ ଟଙ୍କା ଦେଲେ ରେଳବାଇରେ ଗ୍ରୁପ ସି ଗ୍ରେଡରେ ଚାକିରି କରାଇଦେବି ବୋଲି ବି ପ୍ରତିଶ୍ରୁତି ଦେଇଥିଲେ । ଚାକିରି ପାଇବା ଆଶାରେ ହିତେଶ ବିଭିନ୍ନ କିସ୍ତିରେ ମୋଟ ସାଢେ ୭ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ଠକ୍ ମହିଳା ପ୍ରଭା, ହିତେଶଙ୍କ ହାତରେ ନକଲି ରେଳବାଇ ଆଇଡି, ନିଯୁକ୍ତି ପତ୍ର ଧରାଇ ଦେଇ ବଳକା ସାଢେ ୩ ଲକ୍ଷ ଟଙ୍କା ମାଗିଥିଲେ ।

ଏହା ଜାଲ ନିଯୁକ୍ତିପତ୍ର ବୋଲି ହିତେଶଙ୍କ ସନ୍ଦେହ ହେବାରୁ ସେ ଥାନାର ଦ୍ୱାରସ୍ତ ହୋଇଥିଲେ । ପୁଲିସ୍‌ ତଦନ୍ତ ଆରମ୍ଭ କରି ଗତକାଲି ପ୍ରଭାଙ୍କୁ ଗିରଫ କରିଛି । ତାଙ୍କ ଘର ଯାଞ୍ଚ ବେଳେ ପୁଲିସ୍‌ ଏକ ଡାଇରୀ ଜବତ କରିଛି । ଯେଉଁଥିରେ ସେ ବିଭିନ୍ନ ଯୁବକଙ୍କ ଠାରୁ ଚାକିରି ଆଶାରେ ଟଙ୍କା ନେଇଥିବା ତଥ୍ୟ ରହିଛି । ଏଥି ସହ ଏକ ବାଇକ୍, କିଛି ନକଲି ରେଳବାଇ କାଗଜପତ୍ର ମଧ୍ୟ ଜବତ ହୋଇଛି ।