ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ଟି’ କୁ ମିଳିଲା ସେନସର୍ ସାର୍ଟିଫିକେଟ୍

0
82
ବହୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୦୭/୦୫) : ବହୁ ପ୍ରତିକ୍ଷିତ ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ‘ଟି’ କୁ ମିଳିଲା ‘U/A’ ସେନସର୍ ସାର୍ଟିଫିକେଟ୍

ଫିଲ୍ମ ଟି ଶୁଟିଂ ଆରମ୍ଭରୁ ହିଁ ଚର୍ଚ୍ଚାରେ ଥିଲା । ପୂର୍ବରୁ ଏହି ସିନେମାର ନିର୍ମାଣ ନେଇ ସେନସର୍ ବୋର୍ଡ ପକ୍ଷରୁ ଆପତ୍ତି କରାଯାଇଥିଲା କିନ୍ତୁ ପରେ କିଛି ମାତ୍ର ସିନ କାଟି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ଟି’ କୁ ମିଳିଛି ‘U/A’ ସେନସର୍ ସାର୍ଟିଫିକେଟ୍ ଓ ଓଡ଼ିଶାରେ ବିଭିନ୍ନ ଫିଲ୍ମ ହଲରେ ରିଲିଜ ପାଇଁ ବାଟ ଫିଟିଛି । ଯଦିଓ ଫିଲ୍ମର ନିର୍ମାତା ଏହାର ରିଲିଜ ନେଇ କୌଣସି ତାରିଖ ଠିକ କରି କହିନାହାନ୍ତି କିନ୍ତୁ ଲାଗୁଛି ଚଳନ୍ତା ମେ ମାସ ମଧ୍ୟଭାଗରେ ଦର୍ଶକଙ୍କ ନିକଟସ୍ଥ ହଲରେ ନିଶ୍ଚୟ ରିଲିଜ ହେବ । ବର୍ତମାନ ରାଜ୍ୟ ତଥା ରାଜ୍ୟ ବାହାରେ ଓଲିଉଡ ଏବେ ଖୁବ୍ ଚର୍ଚ୍ଚାରେ । ଏହି ସମୟ ଭିତରେ ବିଶିଷ୍ଟ ନିର୍ଦ୍ଦେଶକ ଜିତେଶ କୁମାରଙ୍କ ନିର୍ଦ୍ଦେଶିତ ‘ଟି’ ଜୟପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୨ ପ୍ରଦର୍ଶିତ ହୋଇ ଜୁରୀ ତଥା ଦର୍ଶକଙ୍କ ହୃଦୟ ଜିତିବା ସହ ରାଜ୍ୟ ପାଇଁ ଗୌରବ ଆଣିଥିଲା ।

ଭାରତରେ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଏଭଳି ଚଳଚ୍ଚିତ୍ର ନିର୍ମାଣ କରିବାର ସାହସ ପାଇଁ ଉତ୍ସବରେ ଉପସ୍ଥିତ ଥିବା ସିନେମା ଜଗତର ସବୁ ବିଶିଷ୍ଟ ବ୍ୟକ୍ତି ‘ଟି’ର ନିର୍ଦ୍ଦେଶକଙ୍କ ସାହ ପୁରା ଟିମର ଭୁୟସୀ ପ୍ରଶଂସା କରିଥିଲେ । ସମାଜରେ ଟ୍ରାନ୍ସଜେଣ୍ଡର ସବୁବେଳେ ଅବହେଳିତ ଓ ନିଷ୍ପେସିତ କିନ୍ତୁ ତା ପରେ ବି ମେଘନା ଆଗକୁ ବଢିଛନ୍ତି । ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ତାଙ୍କ ବୈବାହିକ ଜୀବନ ଯାଏଁ ଲମ୍ବିନି ବରଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସ୍ୱର ହେବାର ପରିଧିକୁ ବି ପାର କରିଛି ଏହି ଫିଲ୍ମରେ । ‘ଟି’ର ନିର୍ଦ୍ଦେଶକ ଜିତେଶ କୁମାର ଏହି ଅବସରେ କହିଥିଲେ ଯେ, “ ଏହି ଫିଲ୍ମଟି ଆମ ପାଇଁ ବହୁତ ମହତ୍ଵ ରଖେ କାରଣ ଆମେ ଜଣେ କିନ୍ନରଙ୍କ ସଂଘର୍ଷମୟ ଜୀବନର କାହାଣୀ ଭିତରେ ତାଙ୍କ ବିବାହ ଓ ଦେଶର ପ୍ରଥମ ଟ୍ରାନସଜେଣ୍ଡର କ୍ୟାବ ଡ୍ରାଇଭର ଭାବେ କାମ କରିବା ଏ ସବୁକୁ ପରଦାରେ ଜୀବନ୍ତ କରିବାକୁ ଚେଷ୍ଟା କରିଛୁ । ଆଶା କରୁ ଫିଲ୍ମଟି ନିଶ୍ଚୟ ସମାଜ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ ।ଏହାର ରିଲିଜ ପାଇଁ ଆମେ ବହୁତ ଉତ୍ସାହିତ ।

ଜିତେଶ କୁମାର ଫିଲ୍ମଜ ଓ ଆର ଆର ଆର ମୋସନ ପିକ୍ଚର୍ସର ପ୍ରଯୋଜନା ତଥା ବିଘ୍ନହର୍ତା ମୁଭିଜ, ମୋହିତ କୁମାର ପୁରୀ ଓ ହିମାଦ୍ରି ତନୟା ଦାସଙ୍କ ସହ ପ୍ରଯୋଜନା ତଥା ଥମ୍ରିତା ମୋହନ୍ ସମ୍ଭୂତି ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ସହ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଦେବାଶିଷ ସାହୁ, ଉଷସୀ ମିଶ୍ର, ହର ରଥ, ରଣବୀର କାଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି । ପୂର୍ବରୁ ଏହି ଚଳଚ୍ଚିତ୍ର ମୁମ୍ବାଇର ଗୋଲଡେନ୍ ଜୁରି ଫିଲ୍ମ ଫେଷ୍ଟିଭାଲରେ ସର୍ବୋତ୍ତମ ଏଲଜିବିଟି ଚଳଚ୍ଚିତ୍ର ପୁରସ୍କାର ଜିତି ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ଗୌରବମୟ ପୃଷ୍ଠା ଯୋଡ଼ି ସାରିଛି ।