୫ ସାଙ୍ଗ ଙ୍କ ମାଡ଼ରେ ଛାତ୍ର ଗୁରୁତର

0
61
୫ ସାଙ୍ଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୦୪/୦୯) : ପିଲା ଖେଳରୁ ହେଲା ମହାଭାରତ । ଘଟିଲା ସାଂଘାତିକ ଘଟଣା। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ୫ ସହପାଠୀ ସଂଘବଦ୍ଧ ଭାବେ ପିଟିବାରୁ ଛାତ୍ରଜଣକ ଗୁରୁତର ହୋଇ ମେଡିକାଲ ବେଡରେ ପଡ଼ିଛନ୍ତି ।

ଏପରି ଏକ ସାଂଘାତିକ ଘଟଣା କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଶିପଡ଼ା ଗ୍ରାମରେ ଘଟିଛି । ଏହି ଘଟଣାରେ ସମ୍ପୃକ୍ତ ୫ ଛାତ୍ରଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଗୁରୁତର ହୋଇ ପଡ଼ିଥିବା ଛାତ୍ରଜଣକ ହେଲେ ହରିଶ୍ଚନ୍ଦ୍ର ବେହେରା । ହରିଶ୍ଚନ୍ଦ୍ର ବେହେରା ବିଶିପଡ଼ା ଗ୍ରାମର ଶ୍ରୀଦେବୀ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଅଟନ୍ତି । ସ୍କୁଲରେ ଚାଲିଥିବା କୌଣସି ଏକ ପରୀକ୍ଷାର ପ୍ରଶ୍ନପତ୍ର ଦିଆନିଆକୁ ନେଇ ତାଙ୍କର କିଛି ପିଲାଙ୍କ ସହ ଗଣ୍ଡଗୋଳ ହୋଇଥିଲା ।

ଗତ ୧ ତାରିଖରେ ସ୍କୁଲ ଶେଷ ହେବା ପରେ କ୍ୟାମ୍ପସ ବାହାରେ ଥିବା ଖେଳ ପଡ଼ିଆକୁ ସେ ଯାଇଥିଲେ । ସେଠାରେ ପୂର୍ବରୁ ଛକି ରହିଥିବା ୫ ଛାତ୍ର ହରିଶ୍ଚନ୍ଦ୍ରଙ୍କୁ ନିଛାଟିଆ ସ୍ଥାନକୁ ଟେକି ନେଇ ନିର୍ଧୂମ ପିଟିଥିଲେ । ସେ କୌଶଳକ୍ରମେ ସେଠାରୁ ଖସି ଘରକୁ ଆସି ସବୁ କଥା କହିଥିଲେ । ଏହାପରେ ହରିଶ୍ଚନ୍ଦ୍ରଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ସେଠାରେ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।ହରିଶ୍ଚନ୍ଦ୍ରଙ୍କ ବାପା ମୁକୁନ୍ଦ ବେହେରା ଏନେଇ ସଦର ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ସଦର ଥାନା ପୁଲିସ ୫ ଜଣ ଛାତ୍ରଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।