ବସରେ ଗଞ୍ଜେଇ ଚାଲାଣ, ଜଣେ ଗିରଫ

0
58
ବସରେ ଗଞ୍ଜେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୧୮/୦୯) : ରାଜ୍ୟରେ ମାତିଛନ୍ତି ଗଞ୍ଜେଇ ବ୍ୟବସାୟୀ । ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ ପରେ ବି ଭୟ କରୁ ନାହାନ୍ତି ମାଫିଆ ।

ବେସରକାରୀ ବସ୍‌ ର ସାହାରା ନେଇ ଆରମ୍ଭ କରିଛନ୍ତି ଗଞ୍ଜେଇ ଚୋରା ଚାଲଣ । ତେବେ ବେସରକାରୀ ବସରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରିଛି । ୧୬ କେ.ଜି ୬୦୦ ଗ୍ରାମ ର ଗଞ୍ଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ ବସ୍‌ଷ୍ଟାଣ୍ଡରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ସୂଚନା ଅନୁଯାୟୀ, ଆଜି ଫୁଲବାଣୀ ରୁ ଭୁବନେଶ୍ୱର ଯାଉଥିବା ଏକ ବେସରକାରୀ ଯାତ୍ରୀବାହୀ ବସ୍‌ରୁ ଅବକାରୀ ବିଭାଗ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି ।

ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ଏକ ଟିମ ବାଘମାରୀ ବସ୍‌ ଷ୍ଟାଣ୍ଡରେ ଜଗି ରହିଥିଲେ । ଉକ୍ତ ବେସରକାରୀ ବସ୍‌ଟି ବସ ଷ୍ଟାଣ୍ଡରେ ଲାଗିବା କ୍ଷଣି ଅତର୍କିତ ଭାବେ ଅବକାରୀ ପକ୍ଷରୁ ଚଢାଉ କରାଯାଇଥିଲା । ଚଢ଼ାଉ କରି ବସରୁ ଏକ ବସ୍ତା ଭିତରୁ ଗଞ୍ଜେଇ ସବୁକୁ ଜବତ କରିଥିଲା ଅବକାରୀ ବିଭାଗ । ମୋଟ ୧୬ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଘଟଣାରେ ସଂପୁକ୍ତ ଅଭିଯୋଗରେ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫ ମହିଳା ଜଣଙ୍କ ବାଲେଶ୍ଵର ଜିଲ୍ଲାର ଯଶୋଦା ବେହେରା ବୋଲି ସୂଚନା ଦେଇଛି ।