ନୂଆ ଓଡ଼ିଆ ଫିଲ୍ମ ‘ଡଟ୍‌ ପେନ୍‌’ ଅଡିଓ ରିଲିଜ୍

0
57
ନୂଆ ଓଡ଼ିଆ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୦୫/୧୦) : ନୂଆ ଓଡିଆ ଫିଲ୍ମ “ଡଟପେନ୍”ର ଅଡିଓ ଲୋକାର୍ପଣ ଉତ୍ସବ ବାଣୀବିହାରସ୍ଥିତ ଗାନ୍ଧୀ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ, ନିର୍ଦ୍ଦେଶକ ଓ ପ୍ରଯୋଜକ ଅଶ୍ବିନୀ ତ୍ରୀପାଠି, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତୀ, ସ୍ବୟଂପ୍ରକାଶ ପାଢୀ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ ଅଭିନେତା ଜ୍ୟୋତି, ଅଙ୍କିତ, ରୋହନ ଗର୍ଗ, ସନ୍ତୁ ନିଜେ, ଶକ୍ତି ବରାଳ, ପ୍ରିତି ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ । ନୂଆ ଓଡ଼ିଆ ଫିଲ୍ମ ‘ଡଟ୍‌ ପେନ୍‌’ । ଏହାର ସୁଟିଂ ଓ ପୋଷ୍ଟ ପ୍ରଡସନ୍ସ କାର୍ଯ୍ୟ ଶେଷ ହୋଇସାରିଛି । ଅକ୍ଟୋବର ୧୩ରେ ପ୍ରେକ୍ଷାଳୟକୁ ଆସିବ ଚଳଚ୍ଚିତ୍ର “ଡଟପେନ୍” । ଜଣେ ସାଇକୋ କିଲର୍‌ର କାହାଣୀ ଉପରେ ନିର୍ମିତ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ନଜରଆସିବେ ଜ୍ୟୋତିରଞ୍ଜନ ।

ପୂର୍ବରୁ ସେ ଏକାଧିକ ପ୍ରେମ କାହାଣୀ, ଆକ୍ସନ, ରହସ୍ୟ ଓ ରୋମାଞ୍ଚ ଆଧାରିତ ସିନେମାରେ ନଜର ଆସିଛନ୍ତି । “ଡଟ୍‌ପେନ୍‌”ରେ ସେ ଅଭିନୟ କରୁଛନ୍ତି ଜଣେ ସାଇକୋ କିଲର୍‌ ଚରିତ୍ରରେ । ଏଭଳି ବିଷୟବସ୍ତୁ ସହିତ ଫିଲ୍ମ ଓଡ଼ିଆ ନିର୍ମାଣ ଶିଳ୍ପରେ ପ୍ରଥମ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଏ ଫିଲ୍ମ ଦେଖି ଦର୍ଶକ ଜ୍ୟୋତିଙ୍କୁ ଭଲପାଇବେ, ଭୟ ମଧ୍ୟ କରିବେ।

ଫିଲ୍ମର କାହାଣୀ ଜଣେ ଭାଇ, ଭଉଣୀ ଓ “ଡଟ୍‌ପେନ୍‌” ରୁ ଆରମ୍ଭ । ଭାଇ ନିଜ ଭଉଣୀ ପାଇଁ ପ୍ରତିଶୋଧ ନେଉଛି ହେଲେ କାହିଁକି ଓ “ଡଟ୍‌ପେନ୍‌”ର ସମ୍ପର୍କ ଏହି ଦୁଇଜଣଙ୍କର କ’ଣ ଅଛି ? ଏମିତି ବହୁ ପ୍ରଶ୍ନର ଉତ୍ତର ଧୀରେ ଧୀରେ ଫିଲ୍ମରେ ମିଳିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଅଶ୍ଵିନୀ ତ୍ରିପାଠୀ ଓ ଶ୍ରୀ ବ୍ରାଇବାଲ ଏନ୍ଟରଟେନମେନ୍ଟ ପ୍ରଯୋଜିତ ଏହି ଫିଲ୍ମରେ ଜ୍ୟୋତିଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଛନ୍ତି ଦିବ୍ୟାଦିଶା ମହାନ୍ତି ଓ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି ଅଙ୍କିତ କୁମାର । ଏମାନଙ୍କ ବ୍ୟତୀତ ଶକ୍ତି ବରାଳ, ସୁପ୍ରିୟା ନାୟକ ଅର୍ପିତା ସାହୁ, ପ୍ରିୟମ୍ବଦା, ଅନନ୍ୟା ଦାସ ଓ ଓଡ଼ିଶାର ଲୋକପ୍ରିୟ ୟୁଟ୍ୟୁବର ରାଜୁ ଦାସ, ସନ୍ତୁ ନିଜେ ପରି କଳାକାର ମାନେ ମଧ୍ୟ ଅଛନ୍ତି । ଦୁଇ ନୂଆ ମୁହଁ ପ୍ରୀତି ବିଶ୍ବାଳ ଓ ରୋହନ୍ ଗର୍ଗ ଏ ଫିଲ୍ମର ଅନ୍ୟତମ ଆକର୍ଷଣ ।

ପ୍ରଯୋଜନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଦାୟିତ୍ବରେ ଅଛନ୍ତି ଅଶ୍ଵିନୀ ତ୍ରିପାଠୀ । କାହାଣୀ ଲେଖିଛନ୍ତି ଡ. ଦୀପକ କୁମାର ଓ କ୍ରିଏଟିଭ୍ ହେଡ୍ ଓ ପବ୍ଲିସିଟି ଡିଜାଇନର୍ ଅଛନ୍ତି ମିଡିଆ ପ୍ଲାନର ପ୍ରଣୟ ଜେଠୀ । ସୋମେଶ ଶତପଥୀଙ୍କ ସ୍ଵର ସଂଯୋଜନାରେ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତୀ, ସ୍ଵୟଂ ପାଢ଼ୀ, ଓ ଅର୍ପିତା। ଢେଙ୍କାନାଳର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ ଫିଲ୍ମର ଅଧିକାଂଶ ଦୃଶ୍ୟ ସୁଟିଂ ହୋଇଛି କାମାକ୍ଷା ନଗରରେ ।