ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କର ପୁଳା ପୁଳା ସମ୍ପତ୍ତି; ୩ଟି କୋଠା ଓ ୧୬ଟି ପ୍ଲଟ୍ ଠାବ

0
41
ଆୟୁର୍ବେଦିକ କଲେଜ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୧୦/୧୧) : ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍‌ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା ଜମା କରିଛନ୍ତି ପୁଳା ପୁଳା ସମ୍ପତ୍ତି । ଆଜି ଭିଜିଲାନ୍ସ ରେଡ୍ ବେଳେ ଏହା ସାମ୍ନାକୁ ଆସିଛି ।

ପ୍ରଫେସର ସୁଦର୍ଶନ ବେହେରାଙ୍କର ତିନିଟି ବହୁତଳ କୋଠା ରହିଛି । ସେଥିରୁ ଗୋଟିଏ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବ୍ଳକ୍ ଛକ ନିକଟରେ ରହିଛି । ଏହି ଘରଟି ୪ ମହଲା ବିଶିଷ୍ଟ । ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁରରେ ତାଙ୍କର ଏକ ଦୁଇ ମହଲା କୋଠା ରହିଛି । ପୁରୀ ଜିଲ୍ଲା ଗୋପର ସୋରିଷପଦାରେ ମଧ୍ୟ ତାଙ୍କର ଏକ କୋଠା ଠାବ କରାଯାଇଛି । ତିନୋଟି ବହୁତଳ କୋଠା ସହିତ ପ୍ରଫେସର ସୁଦର୍ଶନ ବେହେରାଙ୍କ ପୁରୀ ଜିଲ୍ଲାରେ ୧୬ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଭିଜିଲାନ୍ସର ବୈଷୟିକ ଟିମ୍ ତିନୋଟି ଯାକ ଘର ଓ ସମସ୍ତ ପ୍ଲଟର ମାପଚୁପ ଓ ମୂଲ୍ୟାୟନ କରୁଛି । ବ୍ୟାଙ୍କରେ ପ୍ରଫେସର ସୁଦର୍ଶନ ବେହେରାଙ୍କର ୫୦ ଲକ୍ଷ ଟଙ୍କା ଜମା ରହିଛି ।

ତାଙ୍କର ୩ଟି ୪ ଚକିଆ ଗାଡ଼ି (Honda City 5th Gen ZX, Mahindra Scorpio & Toyota ETIOS Cross-G) ଓ ଗୋଟିଏ ବାଇକ୍ ରହିଛି । ଏସବୁର ମୂଲ୍ୟ ମିଶି ୩୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ତାଙ୍କର ଡାକ ଘର ଜମା, ବୀମା ଓ ଅନ୍ୟାନ୍ୟ ଜମା ଟଙ୍କା ସଂପର୍କରେ ଭିଜିଲାନ୍ସ ଅନୁସନ୍ଧାନ ଜାରି ରଖିଛି । ରେଡ୍ ବେଳେ ଆଉ ଗୋଟିଏ କଥା ମଧ୍ୟ ଦେଖିବାକୁ ମିଳିଛି । ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କର ୩ଟି ଯାକ ୪ ଚକିଆ ଗାଡ଼ିର ନମ୍ବର ୩୨୩୨ ରହିଛି । ଏହି ନମ୍ବରଗୁଡ଼ିକ ପାଇଁ ତାଙ୍କର ଦୁର୍ବଳତା ଥିବାରୁ ସବୁ କାରଗୁଡ଼ିକ ପାଇଁ ଏହି ନମ୍ବର ଆଣିଛନ୍ତି ।