ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

0
49
ରାୟଗଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୬/୨) : ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ଚନ୍ଦ୍ର ରଇତ,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର, ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଲାଲମୋହନ ରାଉତରାଏଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବୈଠକରେ ମନେରଗା, ଡିଡିୟୁ-ଜିକେୱାଇ, ପିଏମଜିଏସୱାଇ, ରାସ୍ତା ଓ କୋଠାବାଡି ପୂର୍ତ ବିଭାଗ, ଜାତୀୟ ରାଜପଥ ବିଭାଗ, ଖାଦ୍ୟ ଯୋଗାଣ ବିଭାଗର ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ସମନ୍ୱିତ ଶିଶୁ ବିକାଶ ଯୋଜନା ଆଦି ବିଭାଗଗୁଡିକର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ବିଷୟରେ ସାଂସଦ ଶ୍ରୀ ଉଲାକା ଆଲୋଚନା କରିଥିଲେ ।

ସାଂସଦ ପାଣ୍ଠିରେ ନିର୍ମାଣ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡିକର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅନେକ ନିର୍ମାଣକାରୀ ସଂସ୍ଥାମାନେ ଅର୍ଥରାଶି ପାଇ ନ ଥିବା ଅଭିଯୋଗ ହେବାରୁ ସାଂସଦ ଉଦବେଗ ପ୍ରକାଶ କରିଥିଲେ । ତେବେ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାକୁ ଅନଲାଇନ ଡିବିଟି ମାଧ୍ୟମରେ ଅର୍ଥରାଶି ପୈଠ କରାଯାଉଥିବା ନେଇ ବୈଠକରେ ଉପସ୍ଥିତ ଯୋଜନା ଅଧିକାରିଣୀ ଜୟନ୍ତି କୁମାରୀ ନାୟକ ପ୍ରକାଶ କରିଥିଲେ । ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ସଂପର୍କୀତ ଆଲୋଚନାରେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ବିଶେଷଞ ଡାକ୍ତର,ସର୍ଜରୀ ବିଶେଷଜ୍ଞ ନ ଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବାଧା ଉପୁଜୁଥିବା ନେଇ ସିଡିଏମଓ ଡା.ରାଉତରାଏ ସୂଚନା ଦେଇଥିବା ବେଳେ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଂସଦ ଶ୍ରୀ ଉଲାକା ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଳାରେ ଆବଶ୍ୟକ ପଡୁଥିବା ଅଙ୍ଗନବାଡି କେନ୍ଦ୍ର ନିର୍ମାଣରେ ଥିବା ସମସ୍ୟା ବିଷୟରେ ଆଇସିଡିଏସ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ସେହିପରି ଜେକେପୁର-ଅମଲାଭଟ୍ଟା ମଧ୍ୟରେ ଥିବା ନାଗାବଳୀ ସେତୁ,ରାୟଗଡା ଓଭରବ୍ରିଜ୍‌ର ମରାମତି ଓ ବାଇପାସ ରାସ୍ତା ନିର୍ମାଣରେ ବିଳମ୍ବତାକୁ ନେଇ ଜାତୀୟ ରାଜପଥ ବିଭାଗ ରାୟଗଡାର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପଚାରି ବୁଝିଥିଲେ ଓଯଥାଶୀଘ୍ର ମରାମତି ଓ ନିର୍ମାଣ କାମକୁ ତ୍ୱରାନ୍ନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଳାରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ସହାୟତା ସଂପର୍କରେ ବୈଠକରେ ଜିଲ୍ଳା ମୁଖ୍ୟ ଖାଦ୍ୟ ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ୱାଇଁ ଉପସ୍ଥାପନା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦିଶା କମିଟିର ସଭ୍ୟସଭ୍ୟାମାନେ ଉପସ୍ଥିତ ରହିଥିଲେ ।