୨୦୨୯ରେ ଏକାଠି ନିର୍ବାଚନ କରାଯାଉ

0
33
୨୦୨୯ରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୪/୦୩) : ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେଲେ କୋବିନ୍ଦ କମିଟି, ସପକ୍ଷରେ ୩୨ ଦଳ, ବିରୋଧ ରେ ୧୫ ଏକ ଦେଶ-ଏକ ନିର୍ବାଚନ ଉପରେ ବିଚାର ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିଛି ।

କମିଟି ଏ ବାବଦରେ ୧୮,୬୨୬ ପୃଷ୍ଠାର ରିପୋର୍ଟ ପ୍ରଦାନ କରିବା ସହ ୨୦୨୯ରେ ଏକସଂଗରେ ନିର୍ବାଚନ କରାଇବା ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ସୁପାରିସ କରିଛନ୍ତି । ୨ ସେପ୍ଟେମ୍ବର ୨୦୨୩ରେ ଏକ ଦେଶ-ଏକ ନିର୍ବାଚନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । କମିଟି ହିତାଧିକାରୀ-ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ସହ ୧୯୧ ଦିନ ଧରି ବ୍ୟାପକ ତର୍ଜମା କରିବା ପରେ ଆଜି ରିପୋର୍ଟ ଦାଖଲ କରିଛନ୍ତି । କମିଟି ଏହି ରିପୋର୍ଟ ପ୍ରଦାନ କରିବା ପୂର୍ବରୁ ଦକ୍ଷିଣ ଆଫ୍ରିକା, ସ୍ବିଡେନ, ବେଲଜିୟମ, ଜର୍ମାନୀ, ଜାପାନ ଏବଂ ଇଣ୍ଡୋନେସିଆରେ ଏକସଂଗରେ ହେଉଥିବା ନିର୍ବାଚନ ବ୍ୟବସ୍ଥା ଉପରେ ମଧ୍ୟ ଗଭୀର ଅନୁଧ୍ୟାନ କରିଛନ୍ତି । ଭାରତରେ ଏକସଂଗରେ ନିର୍ବାଚନ କରାଗଲେ ଏହା ଦେଶର ଗଣତାନ୍ତ୍ରିକ ପରମ୍ପରାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶୀଳ କରିବ ଏବଂ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି କୋବିନ୍ଦ କମିଟି ପ୍ରଦାନ କରିଥିବା ରିପୋର୍ଟରେ କୁହାଯାଇଛି ।

ଦେଶର ୪୭ଟି ରାଜନୈତିକ ଦଳ କମିଟିକୁ ନିଜର ମତାମତ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି । ସେଥିମଧ୍ୟରୁ ସପକ୍ଷରେ ୩୨ଟି ଦଳ ମତାମତ ରଖିଥିବା ବେଳେ ଏହା ବିରୋଧରେ ୧୫ଟି ଦଳ ମତାମତ ରଖିଛନ୍ତି । ୨୦୨୯ରେ ଏକସଂଗରେ ନିର୍ବାଚନ ପାଇଁ କମିଟି ସୁପାରିସ କରିବା ସହ ଏହା ପୂର୍ବରୁ ନିଆଯିବାକୁ ଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସଂପର୍କରେ ବିସ୍ତୃତ ଉପସ୍ଥାପନା କରିଛନ୍ତି । ୨୦୨୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ବୃଦ୍ଧି କରାଯାଉ ବୋଲି କମିଟି ସୁପାରିସ କରିଛନ୍ତି । ଯଦି ଝୁଲା ବିଧାନସଭା କିମ୍ବା ଅନାସ୍ଥା ପ୍ରସ୍ତାବ ଯୋଗୁଁ ନିର୍ବାଚନ ସ୍ଥିତି ଆସେ, ତେବେ ଅବଶିଷ୍ଟ କାର୍ଯ୍ୟକାଳ ପାଇଁ ପୁଣି ଥରେ ନିର୍ବାଚନ ହୋଇପାରେ ବୋଲି କମିଟି କହିଛନ୍ତି । ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ସମ୍ବିଧାନର ଧାରା ୮୩ (ସଂସଦର କାର୍ଯ୍ୟକାଳ ଅବଧି) ଏବଂ ଧାରା ୧୭୨ (ରାଜ୍ୟ ବିଧାନସଭାର ଅବଧି)ରେ ସଂଶୋଧନ ଆବଶ୍ୟକ ହେବ । ପ୍ରଥମ ପର୍ଯ୍ୟାୟରେ ଏକସଙ୍ଗରେ ଲୋକସଭା-ବିଧାନସଭା ନିର୍ବାଚନ ଅନୁଷ୍ଠିତ କରାଯିବା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଦିନ ମଧ୍ୟରେ ପଂଚାୟତ ଓ ପୌର ନିର୍ବାଚନ ପାଇଁ କମିଟି ସୁପାରିସ କରିଛନ୍ତି ।

ଲୋକସଭା, ବିଧାନସଭା ଏବଂ ସ୍ଥାନୀୟ ସଂସ୍ଥା ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହ ପରାମର୍ଶ କରି ନିର୍ବାଚନ କମିସନ ଏକକ ଭୋଟର ତାଲିକା ଏବଂ ଭୋଟର ପରିଚୟପତ୍ର ପ୍ରସ୍ତୁତ କରିବେ । କୋବିନ୍ଦ ପ୍ୟାନେଲ ଏକସଙ୍ଗରେ ନିର୍ବାଚନ କରିବା ପାଇଁ ଉପକରଣ, ମାନବ ସମ୍ବଳ ଏବଂ ସୁରକ୍ଷା ବାହିନୀର ଆଗୁଆ ଯୋଜନା ପାଇଁ ସୁପାରିସ କରିଛନ୍ତି । ଏକ ଦେଶ-ଏକ ନିର୍ବାଚନ କମିଟିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପୂର୍ବତନ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୮ ଜଣ ସଦସ୍ୟ ଅଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଏହି କମିଟିର ସ୍ୱତନ୍ତ୍ର ସଦସ୍ୟ କରାଯାଇଛି । ଏକ ଦେଶ-ଏକ ନିର୍ବାଚନ କାର୍ଯ୍ୟକାରୀ କରିବା ପାଇଁ ଅନେକ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ହ୍ରାସ କରାଯିବ। ଯେଉଁ ରାଜ୍ୟରେ ୨୦୨୩ ଶେଷଭାଗରେ ବିଧାନସଭା ନିର୍ବାଚନ ହୋଇଥିଲା, ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ ।

ଆଇନ କମିସନଙ୍କ ପ୍ରସ୍ତାବରେ ଯଦି ସବୁ ପକ୍ଷ ରାଜି ହୁଅନ୍ତି ତେବେ ଏହା ୨୦୨୯ରୁ ହିଁ ଲାଗୁ ହେବ ବୋଲି ରିପୋର୍ଟରେ କୁହାଯାଇଛି । ଏଥିପାଇଁ ୨୦୨୬ ଡିସେମ୍ବର ସୁଦ୍ଧା ୨୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ପଡ଼ିବ। ଏକକାଳୀନ ନିର୍ବାଚନକୁ ସମର୍ଥନ କରିଥିବା ଦଳଗୁଡ଼ିକ ମଧ୍ୟରେ ଥିବା ଦୁଇଟି ଜାତୀୟ ଦଳ ହେଲା ବିଜେପି ଏବଂ କନରାଡ୍ ସାଙ୍ଗମାଙ୍କ ନେତୃତ୍ୱାଧୀନ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) । ଅନ୍ୟପକ୍ଷରେ ଅନ୍ୟ ୪ଟି ଜାତୀୟ ଦଳ କଂଗ୍ରେସ, ଆପ୍, ବିଏସପି ଏବଂ ସିପିଏମ୍‌ ଏକକାଳୀନ ନିର୍ବାଚନକୁ ବିରୋଧ କରିଛନ୍ତି ।