ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ର ମୁକାବିଲା ପାଇଁ ୨୬୬ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ଟିମ୍ ପ୍ରସ୍ତୁତ

0
157

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୩/୧୨) : ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ପରିସ୍ଥିତିର ଏକ ମୁକାବିଲା ପାଇଁ ରାଜ୍ୟ ସରକାର, ବିଭିନ୍ନ ଏଜେନ୍ସି, ବିଭାଗ ଓ ଜିଲ୍ଲା ପ୍ରଶାସନ ମାନଙ୍କ ଦ୍ୱାରା ପ୍ରସ୍ତୁତି ଜୋରଦାର କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ସୁଦ୍ଧା ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ର ସ୍ଥିତି, ଗତିପଥ ଓ ସଠିକ୍ ଦିଗ ସମ୍ପର୍କରେ ତଥ୍ୟ ମିଳିବା ପରେ ହିଁ ରାଜ୍ୟ ସରକାର ଅଧିକ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିବେ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ଏହା ସହିତ ବାତ୍ୟା ପରିସ୍ଥିତି ର ମୁକାବିଲା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ପାଇଁ ୨୬୬ ଟି ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ସେବା ଟିମକୁ ପ୍ରସ୍ତୁତ ରଖାଯାଇଥିବା ସେ କହିଛନ୍ତି ।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାର ତୀବ୍ରତା, ଲ୍ୟାଣ୍ଡଫଲ୍ ଆଦି ସମ୍ପର୍କରେ ଏବେ କିଛି ସ୍ପଷ୍ଟ ସୂଚନା ନାହିଁ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆସନ୍ତାକାଲି ଏ ସମ୍ପର୍କରେ ବାସ୍ତବ ତଥ୍ୟ ପ୍ରଦାନ କରିବେ । ମାତ୍ର ଆସନ୍ତାକାଲି ଆଇଏମଡି ପୂର୍ବାନୁମାନ ତଥ୍ୟ ଆଧାରରେ ରାଜ୍ୟ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି । ତେବେ ଏବେ ସୁଦ୍ଧା ରାଜ୍ୟ ସରକାର ଉପକୂଳ ଓଡ଼ିଶା ର ୧୪ ଟି ଜିଲ୍ଲା କୁ ହାଇ ଆଲର୍ଟରେ ରଖିଛନ୍ତି ।

ସମ୍ଭାବ୍ୟ ବାତ୍ୟା ର ଗତିପଥ ଓ ତୀବ୍ରତା ସମ୍ପର୍କରେ ଆସନ୍ତାକାଲି ସୂଚନା ମିଳିବା ପରେ ଜିଲ୍ଲାପାଳ ମାନଙ୍କୁ ସେହି ଆଧାରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯିବ । ଆଜି ସନ୍ଧ୍ୟା ୭ ଟାରେ ସେ ଜିଲ୍ଲାପାଳ ମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ପ୍ରସ୍ତୁତିର ସମୀକ୍ଷା କରିବେ । ବାତ୍ୟା ପ୍ରଭାବିତ ହେବାକୁ ଥିବା ସମସ୍ତ ଜିଲ୍ଲାର ସ୍କୁଲ, ପଞ୍ଚାୟତ ଗୃହ ଓ ଅଙ୍ଗନୱାଡ଼ି କେନ୍ଦ୍ର ଗୃହକୁ ଖୋଲା ରଖିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଫଳରେ ଲୋକମାନେ ଆବଶ୍ୟକ ପଡ଼ିଲେ ସେହି ସବୁ ଘରେ ଆଶ୍ରୟ ନେଇପାରିବେ । ଏହା ବ୍ୟତୀତ ଆସନ୍ନ ପ୍ରସବା ମହିଳାମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଆଣିବା ଉପରେ ଗୁରୁତ୍ୱ ଦିଆଯିବ ।

ଡିସେମ୍ବର ମାସରେ ପ୍ରଥମ ଥର ପାଇଁ ବାତ୍ୟା ଆସିଛି । ମୌସୁମୀ ପ୍ରାୟ ଏକ ମାସ ବିଳମ୍ବରେ ଓଡ଼ିଶା ଛାଡ଼ିଥିବାରୁ ଏହି ବାତ୍ୟା ଡିସେମ୍ବର ମାସରେ ଆସିଥାଇ ପାରେ ବୋଲି ଶ୍ରୀ ଜେନା କହିଛନ୍ତି । ଅବଶ୍ୟ ଏହାର ବୈଷୟିକ ଦିଗ କ’ଣ ଥିବ ତାହା ବିଶେଷଜ୍ଞମାନେ ମତ ଦେବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।