କୋଟିଆରେ ବାଜି ମାରିଲେ ଟିକାଇ ଗେମେଲ : ‘ସର୍ବଦଳୀୟ ପ୍ରାର୍ଥୀ’ ରଣନୀତି ଫେଲ୍‌

0
129
କୋଟିଆରେ ବାଜି ମାରିଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୭/୦୨) : କୋଟିଆ ସମେତ ୬ ପଞ୍ଚାୟତ କୁ ନେଇ ଗଠିତ ପଟାଙ୍ଗୀ ଜିଲ୍ଲା ପରିଷଦ ଜୋନ୍‌-୧ ରୁ ଏଥର ଛିଡ଼ା ହୋଇଥିଲେ ସର୍ବଦଳୀୟ ପ୍ରାର୍ଥୀ । ଉଦ୍ଦେଶ୍ୟ ଥିଲା କୋଟିଆ ପ୍ରସଙ୍ଗରେ ରାଜ୍ୟ ର ସବୁ ରାଜନୀତିକ ଦଳଙ୍କ ଏକ ସ୍ୱର ବୋଲି ଆନ୍ଧ୍ର ପ୍ରଦେଶକୁ ଦେଖାଇବା । କିନ୍ତୁ କୋଟିଆରେ ବାଜି ମାରିଲେ ଟିକାଇ ଗେମେଲ

ତେବେ ନିର୍ବାଚନରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭୋଟର । ସେମାନେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ କରି ଛିଡ଼ା ହୋଇଥିବା ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲଙ୍କ ଉପରେ ଭରସା କରିଛନ୍ତି । ମମତା ଜାନିଙ୍କୁ ୩ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି କୋଟିଆରେ ବାଜି ମାରିଲେ ଟିକାଇ ଗେମେଲ । ଆଉ ଏହି ଫଳାଫଳ ସବୁ ଦଳକୁ ବଡ଼ ଧକ୍କା ଦେଇଛି ।

ତିନି ପ୍ରମୁଖ ଦଳ- ବିଜେଡି, ବିଜେପି ଓ କଂଗ୍ରେସ ଏଥର କୋଟିଆ ପ୍ରସଙ୍ଗରେ ଏକାଠି ହୋଇ ପଟାଙ୍ଗୀ ଜିଲ୍ଲା ପରିଷଦ-୧ ଆସନରୁ ନିର୍ବାଚନ ବଦଳରେ ମନୋନୀତ ପ୍ରାର୍ଥୀଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ କରି ଜିଲ୍ଲା ପରିଷଦକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ମମିତା ଜାନିଙ୍କୁ ସର୍ବଦଳୀୟ ପ୍ରାର୍ଥୀ କରାଯାଇଥିଲା । ତେବେ ପୂର୍ବତନ ବିଧାୟକ ଚନ୍ଦ୍ରମା ସାଉଁନ୍ତାଙ୍କ ନାତୁଣୀ ବୋହୂ ଟିକାଇ ଗେମେଲ ଏହାକୁ ଗ୍ରହଣ କରି ପାରି ନଥିଲେ । ଗଣତନ୍ତ୍ରରେ ସମସ୍ତଙ୍କର ଲଢ଼ିବାର ହକ୍‌ ଅଛି ବୋଲି କହି ସେ ପ୍ରାର୍ଥୀ ହୋଇଥିଲେ ।

ଏକୁଟିଆ ନିଜ ସମର୍ଥକଙ୍କ ସହ ପ୍ରଚାର କରିଥିବା ଟିକାଇ ଗେମେଲ ଭୋଟରଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ପଟାଙ୍ଗୀ ଜିଲ୍ଲା ପରିଷଦ ଜୋନ୍‌-୧ରେ ମୋଟ ୨୨,୩୧୮ ଭୋଟରଙ୍କ ମଧ୍ୟରୁ ୧୮,୦୬୦ ଜଣ ମତ ସାବ୍ୟସ୍ତ କରିଥିଲେ । ସେମାନଙ୍କ ମଧ୍ୟରୁ ୧୦,୩୫୪ ଖଣ୍ଡ ଭୋଟ ଟିକାଇ ଗେମେଲଙ୍କ ସପକ୍ଷରେ ପଡ଼ିଥିଲା ।

ସେହିପରି ସର୍ବଦଳୀୟ ପ୍ରାର୍ଥୀ ମମିତା ଜାନିଙ୍କ ସପକ୍ଷରେ ୬,୬୪୪ ଖଣ୍ଡ ଭୋଟ୍ ପଡ଼ିଥିଲା । ସର୍ବଦଳୀୟ ପ୍ରାର୍ଥୀଙ୍କୁ ଟିକାଇ ଗେମେଲ ୩,୭୧୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଅଞ୍ଚଳବାସୀ ବିଜୟୀ କରାଇଥିବାରୁ ଏହାର ବିକାଶ ତାଙ୍କର ମୂଖ୍ୟ ଲକ୍ଷ୍ୟ ହେବ ବୋଲି ଟିକାଇ କହିଛନ୍ତି ।