ଅପରେସନ୍ ଗଙ୍ଗା ଜରିଆରେ ଭାରତ ଫେରିଲେ ୟୁକ୍ରେନରେ ଫସିଥିବା ଆଉ ୨୫୦ ଭାରତୀୟ

0
137
ଅପରେସନ୍ ଗଙ୍ଗା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ନୂଆଦିଲ୍ଲୀ, (୨୭/୦୨) : ଭାରତ ଫେରିଲେ ଯୁଦ୍ଧଗ୍ରସ୍ତ ୟୁକ୍ରେନ ଭିତରେ ଫସିଥିବା ୨୫୦ ଭାରତୀୟ ନାଗରିକ । ଆଜି ସକାଳୁ ଏୟାର ଇଣ୍ଡିଆ ର ଦ୍ୱିତୀୟ ବିମାନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ବୁଦାପେଷ୍ଟ ରୁ ଦିଲ୍ଲୀରେ ପହଞ୍ଚିଛି । ଅପରେସନ୍ ଗଙ୍ଗା ଜରିଆରେ ଏହି ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ୍‌ ରୁ ଭାରତକୁ ଅଣାଯାଇଛି ।

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ବିଦେଶ ରାଜ୍ୟ ମନ୍ତ୍ରୀ ବି.ମୁରଲିଧରନ୍‌ ବୁଖାରେଷ୍ଟ ଦେଇ ୟୁକ୍ରେନ୍‌ ରୁ ସୁରକ୍ଷିତ ଫେରିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି । ସେପଟେ ବୁଦାପେଷ୍ଟ (ହଙ୍ଗେରୀ) ରୁ ଆଉ ୨୪୦ ଭାରତୀୟ ନାଗରିକଙ୍କୁ ନେଇ ଅପରେସନ୍ ଗଙ୍ଗା ଅଧୀନରେ ତୃତୀୟ ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି ।

ରୁଷ ର ସାମରିକ ଆକ୍ରମଣ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ଶନିବାର ଏହି ପ୍ରକ୍ରିୟା ଆରମ୍ଭ କରିଛି । ପ୍ରଥମ ବିମାନ AI 1944 ସନ୍ଧ୍ୟାରେ ବୁଦାପେଷ୍ଟ ରୁ ୨୧୯ ଜଣଙ୍କୁ ନେଇ ମୁମ୍ବାଇ ଆସିଥିଲା । ଆଜି ଭୋରୁ ଦ୍ୱିତୀୟ ବିମାନ ଦିଲ୍ଲୀରେ ପହଞ୍ଚିଛି ।

ଅନ୍ୟ ଲୋକଙ୍କୁ ମଧ୍ୟ ଫେରାଇ ଆଣିବାକୁ ପ୍ରୟାସ ଚାଲିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନେଇ ପ୍ରସଙ୍ଗ ଉଠାଇଥିଲେ ।

ରୁଷ ଆକ୍ରମଣ କାରଣରୁ ୟୁକ୍ରେନ ର ଆକାଶ ମାର୍ଗ ବନ୍ଦ ରହିଛି । ଫଳରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ବିକଳ୍ପ ମାର୍ଗ ଚୟନ କରାଯାଇଛି । ଭାରତୀୟ ନାଗରିକ ୟୁକ୍ରେନରୁ ବସ୍ ଜରିଆରେ ରୋମାନିଆ ପହଞ୍ଚୁଛନ୍ତି । ଗତକାଲି ରୋମାନିଆ ସହର ର ବୁଦାପେଷ୍ଟ ରୁ ୨୧୯ ଭାରତୀୟ ଏୟାର ଇଣ୍ଡିଆର ବିମାନ ଜରିଆରେ ଭାରତ ପହଞ୍ଚିଥିଲା ।

ଯୁଦ୍ଧଗ୍ରସ୍ତ ୟୁକ୍ରେନ ଭିତରୁ ଭାତର ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଅଭିଜାନକୁ ଜୋରଦାର କରିଛି । ୟୁକ୍ରେନ ର ଭାରତୀୟ ଅଧିକାରୀମାନେ ନିଜ ଲୋକଙ୍କୁ ପଡୋଶୀ ଦେଶକୁ ପଠାଇବାରେ ଅନେକ ଜଟିଳତାର ସମ୍ମୁଖୀନ ହେଉଛନ୍ତି । ପ୍ରାୟ ୧୬,୦୦୦ ଜଣ ଭାରତୀୟ ବର୍ତ୍ତମାନ ୟୁକ୍ରେନରେ ଫସି ରହିଛନ୍ତି ।