ପାରାସୁଟ୍‌ ଯୋଗେ ଅବତରଣ କରି ଖାର୍‌କିଭ୍‌ର ସ୍ଥାନୀୟ ଡାକ୍ତରଖାନାରେ ଆକ୍ରମଣ କଲେ ରୁଷ୍‌ ସେନା

0
174
ପାରାସୁଟ୍‌ ଯୋଗେ

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୦୩) : ଗୋଟାଏ ଦିନ ବୋମା ବିସ୍ଫୋରଣ ହେବା ପରେ ଆଜି ପୂର୍ବାଞ୍ଚଳ ୟୁକ୍ରେନୀୟ ନଗରୀ ଖାର୍‌କିଭ୍‌ରେ ରୁଷ୍‌ ଲଢୁଆ ବିମାନରୁ ପାରାସୁଟ୍‌ ଯୋଗେ ଅବତରଣ କରିଥିବା ରୁଷୀୟ ସୈନିକମାନେ ଗୋଟାଏ ସ୍ଥାନୀୟ ଡାକ୍ତରଖାନାରେ ଆକ୍ରମଣ କରିଛନ୍ତି ।

ୟୁକ୍ରେନୀୟ ସେନା କହିଛି, ଆକାଶ ମାର୍ଗରେ ଆସିଥିବା ରୁଷୀୟ ସୈନିକମାନେ ଖାର୍‌କିଭ୍‌ରେ ପାରାସୁଟ୍‌ ଯୋଗେ ଅବତରଣ କରି ଗୋଟାଏ ଆଞ୍ଚଳିକ ଡାକ୍ତରଖାନା ଉପରେ ଆକ୍ରମଣ କରିଛି । ସେମାନଙ୍କ ସହ ୟୁକ୍ରେନ୍‌ ସୈନିକମାନେ ଲଢ଼େଇ କରୁଛନ୍ତି । ଏହାଛଡ଼ା, ଆଜି ଆକ୍ରମଣ ର ୭ମ ଦିବସରେ ଦକ୍ଷିଣ ୟୁକ୍ରେନୀୟ ନଗରୀ ଖେର୍‌ସନ୍‌କୁ ମଧ୍ୟ ରୁଷୀୟ ସେନା ନିୟନ୍ତ୍ରଣକୁ ନେଇଥିବା କଥା କୁହାଯାଉଛି । କିନ୍ତୁ, ଏ ସଂକ୍ରାନ୍ତରେ ଆଞ୍ଚଳିକ ସରକାରୀ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାନ୍ତି ।

ଆଜି ରୁଷୀୟ ଆକ୍ରମଣ ତୀବ୍ରତର ହେବାରୁ ଜନସାଧାରଣଙ୍କୁ ସ୍ଥାନୀୟ ପରିସ୍ଥିତି ଏବଂ ନିରାପତ୍ତା ପଦକ୍ଷେପ ସଂକ୍ରାନ୍ତ ସୂଚନା ଏବଂ ସଙ୍କଟଜନକ ଖବର ୟୁକ୍ରେନ୍‌ ର ‘ଷ୍ଟେଟ୍‌ ଇମର୍ଜନ୍‌ସି ସର୍ଭିସେସ୍‌’ ‘ହ୍ବାଟ୍‌ସ୍‌ଆପ୍‌’ରେ ‌‘ହେଲ୍‌ପଲାଇନ୍‌ ନମ୍ବର’ ଶୁଭାରମ୍ଭ କରିଛି । ସେହିପରି, ଚେର୍ଣ୍ଣିହିଭ୍‌ ଅଞ୍ଚଳରେ ବଖମାଚ୍‌ ନଗରୀ ଅଭିମୁଖେ ଅଗ୍ରସର ହେଉଥିବା ରୁଷୀୟ ସେନା ର ଗତି ମନ୍ଥର କରିବା ଲାଗି ସାହସୀ ୟୁକ୍ରେନୀୟ ନାଗରିକମାନେ ରୁଷ୍‌ କମାଣ ଉପରେ ଚଢ଼ିଯାଉଛନ୍ତି ।

ଜାତିସଂଘ ଶରଣାର୍ଥୀ ଏଜେନ୍‌ସି କହିଛି, ରୁଷୀୟ ଆକ୍ରମଣ ହେବା ଠାରୁ ୬୭୭,୦୦୦ ଲୋକେ ୟୁକ୍ରେନ୍‌ ଛାଡ଼ି ପଳାଇଛନ୍ତି । ପଳାୟନକାରୀଙ୍କ ସଂଖ୍ୟା ଦ୍ରୁତ ବ୍ରୁଦ୍ଧି ପାଉଛି । ୟୁକ୍ରେନୀୟ ଗଣମାଧ୍ୟମ ‘ଦି କିବ୍‌ ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ ଅନୁସାରେ, ବିଭିନ୍ନ ଦେଶ ଓ ସଙ୍ଗଠନ ବ୍ୟାପକ ଆର୍ଥିକ ଏବଂ ଅନ୍ୟାନ୍ୟ କଟକଣା ଜାରି କରିବା ପରେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ ଗୋଟାଏ ଘୋଷଣାନାମାରେ ସ୍ବାକ୍ଷର କରିଛନ୍ତି । ଏଥିରେ କୌଣସି ରୁଷୀୟ ନାଗରିକ ୧୦,୦୦୦ ଆମେରିକୀୟ ଡଲାର୍‌ ରୁ ଅଧିକ ଅର୍ଥ ନେଇ ଦେଶ ଛାଡ଼ି ଯାଇ ପାରିବେ ନାହିଁ ।