ଆଜିଠାରୁ ବଢିବ ପକେଟ୍ ଖର୍ଚ୍ଚ : ଥଣ୍ଡା, ଜ୍ୱର ଭଳି ଜରୁରୀ ଔଷଧ ର ବଢିବ ଦାମ

0
142

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୦୪) : ପ୍ରତ୍ୟେକ ମାସ ର ପ୍ରଥମ ଦିନରେ କିଛି ନା କିଛି ଛୋଟମୋଟ ପରିବର୍ତ୍ତନ ଦେଖାଯାଉଛି । ଆର୍ଥିକ ମାସ ମାର୍ଚ୍ଚରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିବା ବେଳେ ଏପ୍ରିଲ ମାସ ବା ଆଜିଠାରୁ ଅନେକ କିଛି ପରିବର୍ତ୍ତନ ହୋଇଛି ।

ଆଜିଠାରୁ ବା ମାସ ଆରମ୍ଭରୁ ପିଏଫ୍ ଆକାଉଣ୍ଟ ଠାରୁ ନେଇ ଜିଏସଟି ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ନିୟମରେ ପରିବର୍ତ୍ତନ ହୋଇଛି । କ’ଣ ମହାଙ୍ଗା ହୋଇଛି ଏବଂ କ’ଣ ଶସ୍ତା ହୋଇଛି ।

ପିଏଫକୁ ୨.୫ ଲକ୍ଷକୁ ଅଧିକ ଯୋଗଦାନ ଟିକସଯୋଗ୍ୟ

ନୂଆ ମାସରୁ ସବୁଠୁ ବଡ ପରିବର୍ତ୍ତନ ହେଉଛି, ପିଏଫ୍ ଆକାଉଣ୍ଟରେ ଅଧିକ ଯୋଗଦାନ କ୍ଷେତ୍ରରେ ସରକାର ସୀମା ଧାର୍ଯ୍ୟ କରିଛନ୍ତି । କେନ୍ଦ୍ରୀୟ ପ୍ରତ୍ୟେକ୍ଷ ଟିକସ ବୋର୍ଡ ଆୟକର ନିୟମ ୨୦୨୧ ଅନୁଯାୟୀ, ଇପିଏଫ୍ ଖାତାରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ମୁକ୍ତ ଅର୍ଥ ଯୋଗଦାନ କ୍ଷେତ୍ରରେ ସୀମା ଲାଗୁ କରାଯାଇଛି । ଅଧିକ ଅର୍ଥ ଯୋଗଦାନ କ୍ଷେତ୍ରରେ ହେଉଥିବା ଆୟ ଉପରେ ସଦସ୍ୟ ଟିକସ ଦେବେ । ଏଥିସହିତ ସରକାରୀ କର୍ମଚାରୀଙ୍କ ଜିପିଏଫକୁ ଟିକସମୁକ୍ତ ଅର୍ଥ ଯୋଗଦାନର ସୀମା ବାର୍ଷିକ ୫ ଲକ୍ଷ ଟଙ୍କା ରଖାଯାଇଛି ।

କ୍ରିପ୍ଟୋରୁ ଆୟ ଉପରେ ଲାଗଲା ଟିକସ

ଆଜିଠାରୁ ଏକ ପ୍ରମୁଖ ପରିବର୍ତ୍ତନ ହୋଇଛି, କ୍ରିପ୍ଟୋ କରେନ୍ସି ଉପରେ ଟିକସ ଲାଗୁ ବ୍ୟବସ୍ଥା ହୋଇଛି । ୨୦୨୨-୨୩ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ଭର୍ଚୁଆଲ ଡିଜିଟାଲ ସମ୍ପତ୍ତି କିମ୍ବା କ୍ରିପ୍ଟୋ କରେନ୍ସି ଉପରେ ୩୦ ପ୍ରତିଶତ ଟିକସ ଘୋଷଣା କରିଛନ୍ତି । ଏହା ଅଧିନରେ ଯଦି ନିବେଶକ କ୍ରିପ୍ଟୋ ସମ୍ପତ୍ତି ବିକ୍ରୟ କରିବାରେ କିଛି ଲାଭ କରନ୍ତି ତେବେ ତାଙ୍କୁ ସରକାରଙ୍କୁ ଟିକସ ଦେବାକୁ ପଡିବ ।

ଡାକଘର ଆୟ

ଡାକ ଘର ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଜମା କିମ୍ବା ଡାକଘର ଅବଧି ଜମା ଯୋଜନାରେ ବିନିଯୋଗ ସହିତ ଜଡିତ ନିୟମ ବଦଳିବାକୁ ଯାଉଛି । ଏହି ଯୋଜନାଗୁଡିକରେ ସୁଧ ପରିମାଣ ଏପ୍ରିଲ ପହିଲାରୁ ନଗଦ ଆକାରରେ ଉପଲବ୍ଧ ହେବ ନାହିଁ । ଏଥିପାଇଁ ଆପଣଙ୍କୁ ସଞ୍ଚୟ ଖାତା ଖୋଲିବାକୁ ପଡିବ ।

ଔଷଧ ମହଙ୍ଗା

ସାଧାରଣ ଲୋକଙ୍କ ପାଇଁ ଚିନ୍ତା ବଢାଇଲା ଔଷଧ ର ମୂଲ୍ୟ ବୃଦ୍ଧି । ମୁଦ୍ରାସ୍ପୀତି ର ପ୍ରଭାବରେ ୮ ଶହ ଜରୁରୀ ଔଷଧ ମୂଲ୍ୟ ୧୦.୭ ପ୍ରତିଶତ ବୃଦ୍ଧି ହୋଇଛି । ଏଥିରେ ଜ୍ୱର, ସଂକ୍ରମଣ, ଚକ୍ତଚାପ, ହୃଦରୋଗ ଭଳି ରୋଗରେ ଉପଯୋଗ ହେଉଥିବା ଔଷଧ ର ମୂଲ୍ୟ ବଢିଛି ।

ସରଳ ହେବ ଇ-ଚାଲାଣ ନିୟମ

ସିବିଆଇସି ଦ୍ରବ୍ୟ ଏବଂ ଜିଏସଟି ଅଧିନରେ ଇ-ଚାଲାଣ ପ୍ରଦାନ ର କାରବାର ସୀମାକୁ ୫୦ କୋଟି ଟଙ୍କାରୁ ୨୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି ।
ଆକ୍ସିସ୍ ବ୍ୟାଙ୍କ ନିୟମରେ ବଡ ପରିବର୍ତ୍ତନ

ଆକ୍ସିସ୍ ବ୍ୟାଙ୍କ ନିୟମରେ ବଡ ପରିବର୍ତ୍ତନ

ଯେଉଁ ଗ୍ରାହକଙ୍କ ପାଇଁ ଆକ୍ସିସ୍ ବ୍ୟାଙ୍କରେ ଦରମା କିମ୍ବା ସଞ୍ଚୟ ଖାତା ଅଛି ସେମାନଙ୍କ ପାଇଁ ବଡ ଖବର । ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ସୀମାକୁ ୧୦ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରିଛି ।

ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି

ପ୍ରତ୍ୟେକ ମାସ ପରି ଚଳିତ ମାସରେ ପୁଣି ଗ୍ୟାସ୍ ସିଲିଣ୍ଡର ର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି । ଦେଶରେ ପେଟ୍ରୋଲ ଏବଂ ଡିଜେଲ ର ମୂଲ୍ୟ ଦିନକୁ ଦିନ ବଢି ଚାଲିଛି । ସେହିଭଳି ଭାବରେ ଗ୍ୟାସ୍ ଦର ପୁଣି ବଢିପାରେ ବୋଲି ସୂଚନାରୁ ଜଣାପଡିଛି । ନିକଟରେ ଏଲପିଜି ସିଲିଣ୍ଡର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି ହୋଇଥିଲା, ଯାହା ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଥିଲା ।