୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ନେଇ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଆଜି

0
240

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୦୨/୦୮) : ଆସନ୍ତା ୧୬ ତାରିଖରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ଜା‌ରି ହୋଇଥିବା ଗାଇଡ୍‌ଲାଇନ୍‌ ଆଧାରରେ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।

କରୋନା କଟକଣା ମଧ୍ୟରେ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିବ । ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯିବ । ଏବେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଚାଲୁଥିବାରୁ ୯ମ ଶ୍ରେଣୀ ପିଲାଙ୍କ କ୍ଲାସରୁମ ପାଠପଢ଼ା କିଭଳି ହେବ ସେନେଇ ବିଶେଷଜ୍ଞଙ୍କ ସହ ଆଲୋଚନା ଚାଲିଛି । ପୂର୍ବଥର ପରି ଏଥର ବି ୯ମ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ ଦୁଇଟି ସିଟିଂରେ କରିବାକୁ ଯୋଜନା ହୋଇଛି । ଏନେଇ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ନି‌ୟମାବଳୀ ପ୍ରକାଶ କରାଯିବ ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଏସ୍‌.ଆର.ସି. ଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ଯେଉଁ ଗାଇଡ୍‌ଲାଇନ୍ ଜାରି କରାଯାଇଛି, ସେଥିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସମ୍ପୃକ୍ତ ବିଭାଗଗୁଡ଼ିକ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି । ୯ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଅଗଷ୍ଟ ୧୬ରୁ ଆରମ୍ଭ ହେବ ବୋଲି ଆଗରୁ କୁହାଯାଇଥିଲା । ସେଥିପାଇଁ ବିଭାଗ ପ୍ରସ୍ତୁତି ଚଲାଇଛି ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ସ୍କୁଲ୍ ଖୋଲିବ କି ନାହିଁ, ସେନେଇ ଅଧିକ ତର୍ଜମା ଚାଲିଛି । ତେବେ ଏକାଦଶ ଶ୍ରେଣୀ ଲାଗି ନାମଲେଖା ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ତେଣୁ ସେମାନଙ୍କ କ୍ଲାସରୁମ ପାଠପଢ଼ା ନେଇ ପରବର୍ତୀ ସମୟରେ ନିଷ୍ପତ୍ତି ନିଆଯିବ ।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁ.ଜି.ସି.) ପକ୍ଷରୁ ୧୦ ଦିନ ହେଲା ଶିକ୍ଷା କ୍ୟାଲେଣ୍ଡର ଓ ପରୀକ୍ଷା ସମ୍ପର୍କିତ ନିୟମାବଳୀ ପ୍ରକାଶ ପାଇଥି‌ଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇପାରି ନାହିଁ । ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ସୋମବାର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ବୈଠକ ଡକାଯାଇଛି ।

ଭର୍ଚୁଆଲରେ ହେବାକୁ ଥିବା ଏହି ବୈଠକରେ ପିଲାଙ୍କ ପାଠପଢ଼ା ଓ ପରୀକ୍ଷା ସମ୍ପର୍କରେ ଆଲୋଚନା ହେବ । ଉଚ୍ଚ ଶିକ୍ଷାନୁଷ୍ଠାନ କେବେଠାରୁ ଖୋଲିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ । ୟୁଜି ଓ ପିଜିର ଗୋଟିଏ ଶିକ୍ଷାବର୍ଷ ଶେଷ ହୋଇଯାଇଥିଲେ ମଧ୍ୟ ପିଲାଙ୍କର ପ୍ରଥମ ସେମିଷ୍ଟର ପାଠପଢ଼ା ସରି ନାହିଁ ।

ପରୀକ୍ଷା ସମ୍ପର୍କରେ ବିଭାଗ କୌଣସି ସ୍ପଷ୍ଟ ସୂଚନା ଦେଉ ନ ଥିବାରୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ମଧ୍ୟ କୌଣସି ଠୋସ୍‌ ପଦକ୍ଷେପ ଉଠାଇପାରୁ ନାହାନ୍ତି । ଏମିତିକି ଇଣ୍ଟରନାଲ ପରୀକ୍ଷା କରିବା ପାଇଁ ବିଭାଗୀୟ ସଚିବଙ୍କ ନିର୍ଦେଶକୁ ଅପେକ୍ଷା କରି ରହିଛନ୍ତି । କେତେବେଳେ ନିର୍ଦ୍ଦେଶ ଆସିବ ଏବଂ ସେମାନେ ପରୀକ୍ଷା କରିବେ ତାହାକୁ ଚାହିଁ ବସିଛନ୍ତି ।

ୟୁଜି ଓ ପିଜି ଦ୍ବିତୀୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏପର୍ଯ୍ୟନ୍ତ ହୋଇପାରି ନାହିଁ । ଯେତେବେଳେ କି ଏବେ ତୃତୀୟ ‌ସେମିଷ୍ଟର ପାଠପଢ଼ା ଆରମ୍ଭ ହେବା କଥା । ଆସନ୍ତା ୧୨ ମାସ ମଧ୍ୟରେ ପିଜି ଛାତ୍ରଛାତ୍ରୀଙ୍କ ୩ଟି ସେମିଷ୍ଟର ପରୀକ୍ଷା କିଭଳି ହେବ ତାହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ, ଆଇ.ଟି.ଆଇ., ଡିପ୍ଲୋମା ଓ ଇଞ୍ଜିନିୟରିଂ କଲେଜଗୁଡ଼ିକ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇ ନାହିଁ ।

ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଏସ୍‌.ଆର.ସି. ଙ୍କ ଅଗଷ୍ଟ ମାସ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରିଥିଲୁ । ‌ଶନିବାର ନିୟମାବଳୀ ଆସିଥିବାରୁ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି । ଅଗଷ୍ଟ ୧୦ ଭିତରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ।