ରାଜ୍ୟରେ ଟିକା ନେଲେଣି ୧ କୋଟି ୭୮ ଲକ୍ଷ ଲୋକ : ବିଜୟ ପାଣିଗ୍ରାହୀ

0
184

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର,(୦୯/୦୮) : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ ଟିକାକରଣ ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ଏବେ ସୁଦ୍ଧା ରାଜ୍ୟରେ ଟିକା ନେଲେଣି ମୋଟ ୧ କୋଟି ୭୮ ଲକ୍ଷ ଲୋକ ।

ପ୍ରଥମ ଡୋଜ ୧ କୋଟି ୩୭ ଲକ୍ଷ ନେଇଥିବା ବେଳେ ଦ୍ୱିତୀୟ ଡୋଜ ୪୧ ଲକ୍ଷ ଲୋକ ରାଜ୍ୟରେ ଟିକା ନେଲେଣି । ୪୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଦିଆଯିବାର ଥିଲା । ଏବେ ରାଜ୍ୟରେ କୋଭାକ୍ସିନ କମ୍ ଅଛି । ଏଣୁ ସାମାନ୍ୟ ଅସୁବିଧା ହୋଇଛି । ଟିକା ଆସିଲେ ସମସ୍ୟା ଦୂର ହେବ ।

ସେ ଆହୁରି କହିଛନ୍ତି, ଗର୍ଭବତୀ ମହିଳାଙ୍କର ଟିକାକରଣ ଚାଲିଛି । ଇତିମଧ୍ୟରେ ୫୭ ହଜାର ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଛି । ୧୩୫୩ କେନ୍ଦ୍ରରେ ଟିକାକରଣ ହେଉଛି । ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଅଧିକରୁ ଅଧିକ ଟିକାକରଣ ପାଇଁ ଯୋଜନା କରାଯାଇଛି । ଟିକାକରଣରେ ପ୍ରଥମେ ସହରାଞ୍ଚଳକୁ ଫୋକସ କରାଯାଉଥିବା ବେଳେ ୮୦ ପ୍ରତିଶତ ସରିଲାଣି । ଏବେ ଗ୍ରାମାଞ୍ଚଳକୁ ଫୋକସ କରାଯାଉଛି ବୋଲି ସେ କହିଛନ୍ତି ।

ତୃତୀୟ ଲହର ସଂପର୍କରେ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଏହା ଏତେ ପ୍ରଭାବିତ ହେବନି ବୋଲି ଆଶା କରାଯାଉଛି । ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା କରି ପ୍ରସ୍ତୁତି କରାଯାଉଛି । ତେବେ ଏଥିଲାଗି ସରଞ୍ଜାମ, ମାନବସମ୍ୱଳ, ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି । ଆଜି ଠୁ ଶିଶୁଙ୍କ ଚିକିତ୍ସା ନେଇ ତାଲିମ ଆରମ୍ଭ ହୋଇଛି । ଆଗଧାଡ଼ିର ଯୋଦ୍ଧା, ଅଙ୍ଗନବାଡି, ଆଶାକର୍ମୀମାନଙ୍କର ତାଲିମ ଶେଷ ହୋଇଛି । ଆଗକୁ ଶିଶୁମାନେ ଯଦି ସଂକ୍ରମିତ ହୁଅନ୍ତି ସେମାନେ କିପରି ସଠିକ ଚିକିତ୍ସା ପାଇ ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ଟିକା ମିକ୍ସ ନେଇ କିଛି ପରାମର୍ଶ ଆସିନି । ବୈଜ୍ଞାନିକ ସମ୍ମତ ହେବା ପରେ ତାହା ଆସିଲେ ସେନେଇ ଚିନ୍ତା କରାଯିବ ।

ଟିକା ସାର୍ଟିଫିକେଟ ଡାଉନଲୋଡ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ଜାରି କରାଯାଇଛି । ହ୍ୱାଟ୍ସଆପ ନମ୍ବରରୁ ଟିକାକରଣ ସାର୍ଟିଫିକେଟ ଡାଉନଲୋଡ କରିହେବ । ଅନ୍ୟ ସୂଚନା ମଧ୍ୟ ପାଇପାରିବେ । ୯୦୧୩୧୫୧୫୧୫ ନମ୍ବରକୁ ଆଡ୍ କରି ସାର୍ଟିଫିକେଟ ଡାଉନଲୋଡ୍ କରାଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି । ଏପରି ସ୍ଥଳେ କଟକଣା କଡାକଡି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି ।