୭୬ ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

0
139
୭୬ ତମ ଜିଲ୍ଲା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୦/୦୮) : ଆଜି ପର୍ବାହ୍ନ ୧୧ ଘଟିକା ସମୟରେ ୭୬ ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଗତ ବର୍ଷ ପରି ଏହି ବର୍ଷ ମଧ୍ୟ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ୭୬ ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଭାରପ୍ରାପ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କରୋନା କଟକଣାରେ ସ୍ଵାଧୀନତା ଦିବସ ପାଳନ ବିଷୟରେ ଆଲୋଚନା କରାଯାଇଥିଲା ।

ରାଜ୍ୟ ସରକାରଙ୍କ କୋଭିଡ ନିୟମାବଳୀ ଅନୁଯାୟୀ ସୀମିତ ଅଧିକାରୀ, ସମସ୍ତ ବର୍ଗରୁ ୧୦ ଜଣ ଲେଖାଏଁ କରୋନା ଯୋଦ୍ଧା, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଗଣ ମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ ସ୍ଥାନୀୟ କଚେରୀ ପଡିଆ ଠାରେ ଅନୁଷ୍ଠିତ ହେବ । ଏଥିରେ କେବଳ ପୋଲିସ ବାହିନୀ ଅଂଶଗ୍ରହଣ କରିବେ । କୌଣସି ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ନାହିଁ । ସେହିପରି ଉତ୍ସବ ସ୍ଥଳରେ ଜନସମାଗମଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । କେବଳ ସୀମିତ ସଂଖ୍ୟକ କୋଭିଡ ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯିବ । ସକାଳ ଘ. ୯.୧୫ ମି ସମୟରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯିବ ।

ପ୍ରାତଃ ଘ. ୪.୩୦ ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାମଧୂନ, ସକାଳ ୭ ଘଟିକା ସମୟରେ ସମସ୍ତ ସରକାରୀ ଅଫିସ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ୭.୪୫ ମି ସମୟରେ ବୌଦ୍ଧ ସହରର ବିଭିନ୍ନ ଛକରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ତା ୧୧ ରିଖ ଠାରୁ ତା. ୧୩ ରିଖ (୩ ଦିନ) ସକାଳ ୮ ଘଟିକା ସମୟରେ ପୋଲିସ ବାହିନୀ ଦ୍ଵାରା କଚେରୀ ପଡିଆ ଠାରେ ପ୍ୟାରେଡ ପୁର୍ବାଭ୍ୟାସ କରାଯିବ ।

ସେହିପରି ଜିଲ୍ଲା ର ସମସ୍ତ ବ୍ଲକ ଏବଂ ପଞ୍ଚାୟତରେ ଉକ୍ତ ଦିନ କୋଭିଡ କଟକଣାରେ ସକାଳ ୭ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ବନ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯିବ । ତା.୧୩ ରିଖ ଠାରୁ ୧୫ ରିଖ ପର୍ଯ୍ୟନ୍ତ ବ୍ଲଡ଼ ବ୍ୟାଙ୍କ ଠାରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଜିଲ୍ଲା ରେଡକ୍ରସ ପକ୍ଷରୁ ତା.୧୫ ରିଖ ଦିନ ରକ୍ତ ଦାନରେ ସାମିଲ ହେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରାଯାଇ ଅଗଷ୍ଟ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ, କାର୍ଯ୍ୟାଳୟ ମାନଙ୍କରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ବୈଠକରେ ସ୍ଥିର କରାଗଲା ।

ଏଥି ସହିତ ତ୍ରିରଙ୍ଗା ଶୋଭାଯାତ୍ରା ପରିଚାଳନା କମିଟି ଦ୍ଵାରା ୭୫ ମିଟର ଜାତୀୟ ପତାକା ଶୋଭାଯାତ୍ରା ରାମ ମନ୍ଦିରରୁ ବାହାରି ବସଷ୍ଟାଣ୍ଡ, NAC ଛକ ଦେଇ କଚେରୀ ପଡିଆ ସମ୍ମୁଖରେ ସକାଳ ୯ ଟା ସମୟରେ ପହଞ୍ଚିବ । ଏହି ଦିନ ପ୍ରତ୍ୟେକ କାର୍ଯ୍ୟାଳୟ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଏହି ଦିବସ ଉପଲକ୍ଷେ ବୌଦ୍ଧ ଜିଲ୍ଲା ର ପାଞ୍ଚଟି ସ୍ଥାନରେ ଦେଶାତ୍ମବୋଧକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏହି ପ୍ରସ୍ତୁତି ବୈଠକରେ ନଗରପାଳ, NAC ବୌଦ୍ଧଗଡ ମୃତ୍ୟୁଞ୍ଜୟ ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ଵିନୀ କୁମାର ମେହେର, DPHO ଡଃ. ମଦନ ମୋହନ ପ୍ରଧାନ, ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନା, CRCC ସନ୍ତୋଷ କୁମାର କର୍ଣ୍ଣ, ABEO ଅଖିଲ କୁମାର ପ୍ରଧାନ, ସହକାରୀ କମାନଡେଣ୍ଟ (5th IRBn) ବି. ମେହେର, କୃଷୀ ଯନ୍ତ୍ରୀ, ଉଦ୍ୟାନ ବିଭାଗ ରଶ୍ମୀ ରଞ୍ଜନ ସେଠୀ, DDM ଅଶୋକ ମିଶ୍ର, ଅଗ୍ନିଶମ କର୍ମଚାରୀ କାର୍ତ୍ତୀକେଶ୍ଵର ନାଥ, IPE ଆନନ୍ଦ କୁମାର ବେହେରା, ସମ୍ପାଦକ, ରକ୍ତଦାତା ପ୍ରବର୍ତ୍ତକ ଦେବାଶିଷ ପୁରୋହିତ, ଅଂଶୁମାନ ହୋତା, ସୁମନ ଷଡଙ୍ଗୀ, ବିଶ୍ଵଜିତ ପଟ୍ଟନାଏକ, ଅସିମ କୁମାର ମିଶ୍ର, JRA ମଣ୍ଟୁ ପାଣ୍ଡେ, କର୍ମଚାରୀ ଯୁଧିଷ୍ଠିର ପ୍ରଧାନୀ, ଅକ୍ଷୟ କୁମାର ମହାକୁଡ, ଜିତେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂହ ସ୍ଵାଗତ ଭାଷଣ ସହ ସଭା ସଂଯୋଜନା କରିଥିଲେ ଏବଂ ସଭା ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୂ ସ୍ଵାଇଁ ଧନ୍ୟବାଦ ଅର୍ପଣ ପରେ ସଭାଭଙ୍ଗ କରାଯାଇଥିଲା ।