ହୀରାକୁଦ ଡ୍ୟାମ ର ଆଉ ୪ଟି ଗେଟ୍‌ ଖୋଲିଲା : ତଳିଆ ଅଞ୍ଚଳକୁ ଘାରିଲା ବନ୍ୟା ଭୟ

0
97
ହୀରାକୁଦ ଡ୍ୟାମ ର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୩/୦୮) : ମହାନଦୀ ଉପମୁଣ୍ଡ ଓ ତଳ ମୁଣ୍ଡରେ ବର୍ଷା ହେବା ଯୋଗୁଁ ହୀରାକୁଦ ଡ୍ୟାମ ର ଜଳସ୍ତର ବୃଦ୍ଧି ପାଉଛି । ଜଳପତ୍ତନ ବୃଦ୍ଧି ପାଉଥିବାରୁ ଆଜି ସକାଳେ ହୀରାକୁଦ ଡ୍ୟାମ ର ଆଉ ୪ଟି ଗେଟ୍‌ ଖୋଲାଯାଇଛି । ଦରକାର ପଡ଼ିଲେ ଆଉ ଅଧିକ ସଂଖ୍ୟାକ ଗେଟ୍‌ ଖୋଲା ଯିବ ବୋଲି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି ।

ବର୍ତ୍ତମାନ ହୀରାକୁଦ ଭଣ୍ଡାରରୁ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଆଜି ସକାଳେ ହୀରାକୁଦ ଡ୍ୟାମ ର ଜଳ ପତ୍ତନ ୬୧୬. ୭୩ ଫୁଟ୍‌ ଥିଲା । ଡ୍ୟାମକୁ ସେକେଣ୍ଡ ପିଛା ୪ ହଜାର ୩୯ ହଜାର ୩୩୩ ଘନ ଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୮ ହଜାର ୭୬୦ ଘନଫୁଟ ଜଳ ନିଷ୍କାସିତ ହେଉଛି ।

ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି, “ହୀରାକୁଦ ଜଳ ଭଣ୍ଡାରରୁ ୨୪ଟି ଗେଟ୍‌ ଖୋଲିବା ପୂର୍ବରୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଗେଟ୍‌ ଖୋଲିବା ଦ୍ୱାରା ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ । ସେହି ଅନୁସାରେ ଜିଲ୍ଲାପାଳ ଲୋକଙ୍କୁ ସତର୍କ କରାଇବେ ।”

ହୀରାକୁଦ ଜଳ ଭଣ୍ଡାରରେ ୨୪ଟି ଗେଟ୍ ଖୋଲାଯିବା ପରେ ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ହେବା ସମ୍ଭାବନା ରହିଛି । ତେଣୁ ତଳିଆ ଅଞ୍ଚଳ ଓ ନଦୀ ତଳ ଅଞ୍ଚଳ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନ୍ୟାନ ଦାସ । ଲୋକଙ୍କୁ ସତର୍କ କରାଇବାକୁ ମାଇକ୍ ଯୋଗେ ପ୍ରଚାର କରାଯାଇଛି । ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳରେ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେଉଥିବାରୁ ବିଭିନ୍ନ ନଦୀର ଜଳସ୍ତର ଧୀରେ ଧୀରେ ବଢୁଛି ।

ସୂଚନାଯୋଗ୍ୟ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ୩ ଦିନ ଯାଏ ବର୍ଷା ଲାଗି ରହିବ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଟ୍ୱିନ୍ ସିଟିରେ ଦିନ ତମାମ ବର୍ଷା ଲାଗି ରହିବ । ପ୍ରବଳ ବର୍ଷା ଯୋଗୁ ଟ୍ୱିନ୍ ସିଟିରେ କୃତିମ ବନ୍ୟା ର ଆଶଙ୍କା ରହିଛି । ଏହାସହ ଟ୍ରାଫିକ୍ ସମସ୍ୟା ଓ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।