ପାକିସ୍ତାନରେ ଜଳପ୍ରଳୟ : ଅବସ୍ଥା ବେହାଲ

0
133
ପାକିସ୍ତାନରେ ଜଳପ୍ରଳୟ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଇସଲାମାବାଦ/ପାକିସ୍ତାନ, (୩୧/୦୮) : ପାକିସ୍ତାନରେ ଜଳପ୍ରଳୟ । ଜୁନ ରୁ ଏ ପର୍ଯ୍ୟନ୍ତ ହଜାରେ ଲୋକଙ୍କ ମୃତ୍ୟୁ ହେଲାଣି । ଜୁଆଡ଼େ ଦେଖିବ ଖାଲି ପାଣି ।

ପାକିସ୍ତାନରେ ଜଳପ୍ରଳୟ । ପରିସ୍ଥିତି ଏପରି ଯେ, ହେଲିକପ୍ଟର ଓହ୍ଲାଇବାକୁ ଶୁଖିଲା ଜାଗା ମିଳୁନି । ୩୦ ବର୍ଷ ଭିତରେ ପାକିସ୍ତାନରେ ଏ ବର୍ଷ ସବୁଠାରୁ ଅଧିକ ବର୍ଷା ହୋଇଛି । ଏହା ଫଳରେ ଯେଉଁ ବନ୍ୟା ହୋଇଛି, ତାହା ପୁରା ଦେଶରେ ରଚାଇଛି ଧ୍ୱଂସଲୀଳା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସିନ୍ଧ ଓ ବଲୁଚିସ୍ତାନ । ପ୍ରଳୟଙ୍କରୀ ବନ୍ୟାରେ ୧୧ ଶହରୁ ଧିକ ଲୋକଙ୍କ ଜୀବନ ଯାଇଛି ।

ବିଲିୟନ ଡଲାର ର ସମ୍ପତି ନଷ୍ଟ ହୋଇଥିବାର ଆକଳନ କରାଯାଇଛି । ପାକିସ୍ତାନ ର ପାଣିପାଗ ବିଭାଗ ମନ୍ତ୍ରୀ ସେରି ରେହମାନ କହିଛନ୍ତି, କେତେକ ଜିଲ୍ଲା ତ ଲାଗୁଛି ପୁରା ମହାସାଗର ଭଳି । ଏହି ବନ୍ୟାରେ ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଲାଗିଛି ନୌସେନା ।

ବନ୍ୟା ପ୍ରଭାବ ଯୋଗୁଁ ସେଠାରେ ଦରଦାମ ଆକାଶଛୁଆଁ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ର ଦାମ୍ ଏତେ ବଢ଼ିଛି ଯେ ତାହା ଲୋକଙ୍କ କ୍ରୟଶକ୍ତି ବାହାରକୁ ଚାଲିଯାଇଛି । ଲକ୍ଷ ଲକ୍ଷ ହେକ୍ଟର କପା ଚାଷ ନଷ୍ଟ ହୋଇଥିବାରୁ ଏହା ପାକିସ୍ତାନ ର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବାର ଆଶଙ୍କା ଅଛି ।

ବନ୍ୟାରେ ବୁଡିଥିବା ପାକିସ୍ତାନ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରଙ୍କୁ ଶାନ୍ତ୍ୱନା ଦେବା ସହିତ ପାକିସ୍ତାନ ଖୁବ ଶୀଘ୍ର ଏହି ବିପର୍ଯ୍ୟୟରୁ ମୁକ୍ତି ପାଉ ବୋଲି କାମନା କରିଛନ୍ତି ମୋଦି । ସେପଟେ ପାକିସ୍ତାନ ର ବନ୍ୟା ବିପନ୍ନଙ୍କୁ ଖାଦ୍ୟ ସହାୟତା ଦେବା ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି ।