ବିଧାୟକ ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଦେଲେ ଚରମ ଚେତାବନୀ

0
114
ବିଧାୟକ ନରସିଂହ ମିଶ୍ର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୦/୦୯) : ସମସ୍ୟା ବହୁଳ ବଲାଙ୍ଗୀର ଜିଲ୍ଲା । ଏହି ଜିଲ୍ଲା ପ୍ରତି ରାଜ୍ୟ ସରକାର ଙ୍କ ବୈମାତୃକ ମନୋଭାବ କୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ତୀବ୍ର ନିନ୍ଦା କରିଛନ୍ତି ।

ବିକାଶ ର ବାଃ ବାଃ ନେଉଥିବା ବିଜେଡି ସରକାର ବିଭିନ୍ନ ଆଇନ ଶୃଙ୍ଖଳା ଉଲଂଘନ ପୂର୍ବକ କାର୍ଯ୍ୟରତ ବିଧାୟକ ଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । ଜଣେ ଲୋକ ପ୍ରତିନିଧି ଯେକୌଣସି ପଦବୀରେ ଥାଆନ୍ତୁ ଜିଲ୍ଲାରେ ହେଉଥିବା ସରକାରୀ କାର୍ଯ୍ୟକ୍ରମରେ ସାମିଲ କରିବା ପରିବର୍ତ୍ତେ ଅଣଦେଖା କରିବା କେତେଦୂର ଯଥାର୍ଥ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ବଲାଙ୍ଗୀର ବିଧାୟକ ୨ ଲକ୍ଷ ଲୋକଙ୍କ ଜନ ପ୍ରତିନିଧି । ଏଣୁ ସେ ଯାହା କହିବେ ତାହା ୨ ଲକ୍ଷ ଲୋକଙ୍କ ଭାଷା ବୋଲି ଭାବିବା ଉଚିତ ବୋଲି ବଲାଙ୍ଗୀର ସର୍କିଟ ହାଉସ ଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଜଣେ ଲୋକ ପ୍ରତିନିଧି ଙ୍କୁ ସରକାର ସମସ୍ତ ସଭାରେ ନିମନ୍ତ୍ରଣ କରିବା ଜରୁରୀ । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଙ୍କୁ କୌଣସି ସରକାରୀ କାର୍ଯକ୍ରମରେ ଡକାଯାଉ ନ ଥିବାରୁ ସେ ସରକାରଙ୍କ ମନୋମୁଖୀ କାର୍ଯକଳାପ ଉପରେ କ୍ଷୁବ୍ଧ ପ୍ରକାଶ କରିଥିଲେ । ବିଧାୟକ ନରସିଂହ ମିଶ୍ର କହିଥିଲେ ସେ ତାଙ୍କର ପ୍ରଚାର, ପ୍ରସାର ଚାହୁ ନାହାଁନ୍ତି । ସେ ଓଡ଼ିଶାରେ ବେଶ୍ ପରିଚିତ । ସରକାର ତାଙ୍କ ପ୍ରତି ଯେଉଁ ଭଳି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ସେ ଚାହିଁଲେ ବିଧାନ ସଭାରେ Breach of Privilege ଉପସ୍ଥାପନ କରିପାରିବେ ।

ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରରେ କିଛି ଭିତ୍ତପ୍ରସ୍ତର ସ୍ଥାପନ କଲେ ଯେଉଁଥିରେ ବଲାଙ୍ଗୀର ବିଧାୟକ ବାଦ ପଡିଲେ । ଭିତ୍ତପ୍ରସ୍ତର ହୋଇଥିବା କିଛି ସ୍ଥାନ ମଧ୍ୟରେ ଟ୍ରକ୍ ଟର୍ମିନାଲ ଫାସଡ ରୁ ଫଟାବାହାଲ ରାସ୍ତା ଯାହାକି ବିନା ଟେଣ୍ଡର ପ୍ରସେସରେ ଜନ ପ୍ରତିନିଧି ଙ୍କୁ ନ ଡାକି ଛାନିଆ ହୋଇ କରିଥିଲେ । ବଲାଙ୍ଗୀର ବିଧାୟକ ଙ୍କୁ ରାଜ୍ୟ ସରକାର ଚରମ ଅବହେଳା କରିଥିବାର ଅନେକ ନମୁନା ଦର୍ଶାଇଥିଲେ । ବଲାଙ୍ଗୀର ମ୍ୟୁନିସପାଲିଟି ସହ ସମ୍ପର୍କ ନ ଥିବା ବ୍ୟକ୍ତି ବିଶେଷ ଙ୍କୁ ନେଇ ସଭାରେ ବସାଉଥିବା କୁ ସେ ବିରୋଧ କରିଥିଲେ ।

ଇତି ମଧ୍ୟରେ କ୍ୟୁଇନ୍ ଏଲିଯାବେଥ ଙ୍କ ମୃତ୍ୟୁ ହେବାରୁ ତାଙ୍କର ଶୋକ ଦିବସ ସର୍ବ ଭାରତୀୟ ସ୍ତରରେ ପାଳନ କରାଯାଇ ସେହି ଗୋଟିଏ ଦିନ କୌଣସି ଉତ୍ସବ ପାଳନ ନ କରିବା ପାଇଁ ପ୍ରଚାର କରାଯାଇଥିବା ବେଳେ ସେହି ଦିନ ସରକାରୀ ସଂସ୍ଥା କରଡ଼ି (ବାଉଁଶ ଗଜା) ରେ ୧୦୦ ପ୍ରକାର ର ବ୍ୟଞ୍ଜନ ତିଆରି କରି ଲୋକଙ୍କୁ ଡାକି ବାଃ ବାଃ ନେଇଥିଲେ । କରଡ଼ି କାଟିବା ନିଷେଧ ଥିବାବେଳେ ଜଙ୍ଗଲ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଫରେଷ୍ଟ ଆକ୍ଟ ଉଲଂଘନ ହୋଇନାହିଁ କି ? ବୋଲି ପ୍ରଶ୍ନ କରିଛନ୍ତି ।

ବଲାଙ୍ଗୀର କୁ ଅନେକ ଯୋଜନା ଆସିଥିବା ବେଳେ ବର୍ଷ ବର୍ଷ ଧରି କାମ ନ ହୋଇ ପଡ଼ି ରହିଛି । ବଲାଙ୍ଗୀର ମହାରାଣୀ ସାଗର ର ପୁନରୁଦ୍ଧାର ପାଇଁ ବିଧାୟକ ୩ କୋଟି ଟଙ୍କା ମଞ୍ଜୁର କରାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ବଲାଙ୍ଗୀର ସହର ର ବୃହତ୍ ଜଳାଶୟ ବଲାଙ୍ଗୀରରେ Collectorate ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ କୁ ଗୋଟିଏ ପରିସରରେ ନିର୍ମାଣ କରିବା ପାଇଁ ଟଙ୍କା ଆସିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ । ଏହି ନୂତନ ଭାବରେ ନିର୍ମାଣ ହେବାକୁ ଥିବା Collectorateକୁ ମିନି Secretariat ନାମରେ ନାମିତ କରାଯାଇଛି ।

ବଲାଙ୍ଗୀର ଲକ୍ଷ୍ମୀ ଜୋର୍ ର ସୌନ୍ଦର୍ଯ୍ୟ କରଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ କାମ ନ ହୋଇ ପଡ଼ିରହିଛି । ବଲାଙ୍ଗୀର ଇରିଗେଶନ ବିଭାଗ କୁ ଏହି କାମ ହସ୍ତାନ୍ତର କରାଯାଇଥିଲେ ହେଁ ଅଧୁନା କାମ ଆରମ୍ଭ ହୋଇନାହିଁ । ବଲାଙ୍ଗୀରରେ ଥିବା ବହୁ ପୁରାତନ ଗନ୍ଧରେଲ ଡେମ କାମ ପାଇଁ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ କାମ ହୋଇନାହିଁ । ସେହିଭଳି ରାସ୍ତା ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇ ପଡ଼ିରହିଛି । ବଲାଙ୍ଗୀର, ବରପାଲି ହାଇ ୱେ ଏବଂ ବାଇପାସ୍ ପାଇଁ ଟଙ୍କା ମଞ୍ଜୁର ହୋଇ କାମ ହୋଇପାରୁ ନାହିଁ । ବଲାଙ୍ଗୀରରେ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଛି ।

ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ, ବଲାଙ୍ଗୀରରେ ଥିବା ମନ୍ଦିର ମାନଙ୍କ ପ୍ରତି ଅବହେଳା କରାଯାଉଛି । ଦେବୋତ୍ତର ର ବିକାଶ ପାଇଁ ସରକାର ଦୃଷ୍ଟି ଦେଉ ନାହାଁନ୍ତି । ବଲାଙ୍ଗୀରରେ ଥିବା ମନ୍ଦିର ମାନେ ବହୁ ପୁରାତନ ହୋଇଥିବାରୁ ଭଗ୍ନ ଅବସ୍ଥାରେ ପହଞ୍ଚିଲାଣି । ସରକାର ଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ବଲାଙ୍ଗୀର ସହର ର ଧର୍ମାନୁଷ୍ଠାନ । ବଲାଙ୍ଗୀର ସହରରେ ଦେବୋତ୍ତର ବିଭାଗ ର ଅନେକ ଷ୍ଟଲ ଅଛି । ବହୁ ପୂର୍ବରୁ ଅର୍ଦ୍ଧ ନିର୍ମିତ ସୁପର ମାର୍କେଟ ସମ୍ପୂର୍ଣ୍ଣ ନ ହୋଇ ଖଣ୍ଡହର ହେବାକୁ ବସିଲାଣି ।

ରାଜଶ୍ରୀ ଧର୍ମଶାଳା ବିପଦ ସଙ୍କୁଳ ଅବସ୍ଥାରେ ଅଛି । ଏଣୁ ଏହି ଧର୍ମଶାଳା କୁ ଭାଙ୍ଗି ସମଲେଶ୍ଵରୀ ମନ୍ଦିର ନିର୍ମାଣ କରି ସେହି ପରିସରରେ ଷ୍ଟଲ ନିର୍ମାଣ କଲେ କିଛି ବେକାର ଯୁବକ ରୋଜଗାର କରିପାରନ୍ତେ ବୋଲି କହିଥିଲେ । ବଲାଙ୍ଗୀରରେ ଚାଷୀଙ୍କ ଦୁର୍ଦ୍ଦଶା କହିଲେ ନ ସରେ । ରାଜ୍ୟ ସରକାର ବଲାଙ୍ଗୀର ଚାଷୀ ଙ୍କ ପ୍ରତି ଅବହେଳା କରୁଛନ୍ତି । ଚାଷୀ ଇନ୍ସୁରାନ୍ସ ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ନ ପାଇ ହତାଶ ହୋଇଛି । ଅନେକ ସ୍ଥାନରେ ଚାଷୀ ରାସ୍ତା ରୋକ ମଧ୍ୟ କରିଛି । ଏହା ସତ୍ତ୍ୱେ ମଧ୍ୟ ତାର ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଛି ।

ବଲାଙ୍ଗୀରରେ ଚାଷୀ ହେଉ କିମ୍ବା ସାଧାରଣ ନାଗରିକ ସମସ୍ତେ ଏ ସରକାର ଶାସନରେ ଅବହେଳିତ । ପ୍ରଧାନମନ୍ତ୍ରୀ ଗୃହ ପ୍ରାୟ ୨ ବର୍ଷ ରୁ ଉର୍ଦ୍ଧ୍ଵ ହେବ ଆସିନାହିଁ । ଗରିବ, ଭୂମିହୀନ, ବାସହୀନ ଙ୍କୁ ଭୂମି ଏବଂ ଘର ସରକାର ଦେଉ ନାହାଁନ୍ତି । ବଲାଙ୍ଗୀରରେ କୋଟି କୋଟି ଟଙ୍କା ର ଜମି ଦୁର୍ନୀତି ହେଉଛି । ୪୦୦ ଏକର ଜମି କୁ ଘରବାରି କିସମ କରି କୋଟି କୋଟି ଟଙ୍କାରେ ବିକ୍ରି କରୁଥିବା ବେଳେ ବାସହୀନ ଗରିବ ଖଟିଖିଆ ମାତ୍ର ୪ ଡିସିମିଲ ଜମିପଟ୍ଟା ପାଇବାରୁ ବଞ୍ଚିତ ହେଉଛି । ବଲାଙ୍ଗୀର ର ଅନେକ ଅଞ୍ଚଳ ମରୁଡିଗ୍ରସ୍ତ ହୋଇଥିବା ବେଳେ ସରକାର ଙ୍କ ଦୃଷ୍ଟି ନାହିଁ ।

ଏହି ସରକାର ଶିକ୍ଷ୍ୟା ଏବଂ ସ୍ୱାସ୍ଥ୍ୟକୁ ଗୁରୁତ୍ଵ ଦେବା ପାଇଁ କହିଥିବା ବେଳେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତର ଅଭାବ । ତିନି ଭାଗ ରୁ ଦୁଇ ଭାଗ ଡାକ୍ତର ଏଠାରେ ରହୁନଥିବା ବିଧାୟକ ପ୍ରକାଶ କରିଥିଲେ । ଏଣୁ ରୋଗୀ କୁ ଏଠାରୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଉଛି । ତେବେ ଏଠାରେ ମେଡିକାଲ କଲେଜ୍ କରିବାର ଉଦ୍ଦେଶ୍ୟ କ’ଣ ବୋଲି ସେ ରାଜ୍ୟ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ।

ଗ୍ରାମାଞ୍ଚଳରେ ଡାକ୍ତର ଙ୍କ ଅଭାବ । ଚୁଡ଼ାପାଲି ଏବଂ ଦେଓଗାଁରେ ଡାକ୍ତର ନାହାଁନ୍ତି । ଡାକ୍ତର ରାତିରେ ରହୁନାହାଁନ୍ତି । ହସ୍ପିଟାଲ ମାନଙ୍କରେ ବେଡସିଟ୍ ନାହିଁ । ମେଡିକାଲ କଲେଜ ନିକଟରେ ୬୫୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ନିର୍ମାଣ ଶେଷ ହୋଇନାହିଁ । ହାର୍ଟ ସ୍ପେଶଲିଷ୍ଟ ନାହାଁନ୍ତି । ମେଡିକାଲ କଲେଜ ଗବର୍ଣିଂ ବଡି ବସୁନାହିଁ । ନୂତନ ନିର୍ମିତ ମେଡିକାଲ କଲେଜ୍ ଛାତରୁ ପାଣି ଗଲୁଛି । ବଡ଼ ସଂସ୍ଥା କୁ ନିର୍ମାଣ କାମ ଦେଇ ଅବସ୍ଥା ଖରାପ । ନିମ୍ନମାନ ର କାମ ହୋଇଥିବା ଅନୁମାନ କରାଯାଏ । ଅରାଜକତାରେ ଚାଲିଛି ବଲାଙ୍ଗୀର ।

ଶିକ୍ଷା କ୍ଷେତ୍ରରେ ମଧ୍ୟ ବଲାଙ୍ଗୀର ପଛୁଆ ଥିବା ଅନୁମାନ କରାଯାଏ । ସ୍କୁଲ କଲେଜ ମାନଙ୍କରେ ଶିକ୍ଷକ ଅଭାବ । ବଲାଙ୍ଗୀର ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଖୋଲିବା ପରେ ଅଧ୍ୟାପକ ନାହାଁନ୍ତି । ଗେଷ୍ଟ ଫେକଲ୍ଟିରେ ଚାଲିଛି ମହିଳା ମହାବିଦ୍ୟାଳୟର ବିଜ୍ଞାନ ବିଭାଗ । ନାମକୁ ମାତ୍ର ରାଜେନ୍ଦ୍ର University । ୧୦୦ ଏକର୍ ଜମି ମାଗିଲେ ଜମି ମିଳୁନାହିଁ । University ମାନ୍ୟତା ପାଇଛି ସତ କିନ୍ତୁ ନାହିଁ ନାହିଁରେ ଚାଲିଛି ରାଜେନ୍ଦ୍ର University ।

ଜଳ ସେଚନ କଥା ନ କହିବା ଭଲ । ଜିଲ୍ଲାରେ ଜଳସେଚନ ର ଘୋର ଅଭାବ । ବର୍ଷ କୁ ଥରୁଟିଏ ଚାଷ ହେବା କଷ୍ଟକର । ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ୨୦୨୪ ରେ ସମାପ୍ତ ହେବାପାଇଁ ମନ୍ତ୍ରୀ କହୁଥିବା ବେଳେ ସରକାର ୨୦୨୫ ରେ ସମାପ୍ତ ହେବ ବୋଲି କହିଛନ୍ତି । ତେବେ ମନ୍ତ୍ରୀ ଏବଂ ସରକାର ଙ୍କ କଥାରେ ତାଳମେଳ ନ ଥିବା ଦେଖିବାକୁ ମିଳେ । ନାହିଁ ନାହିଁରେ ଚାଲିଛି ବଲାଙ୍ଗୀର । ଏହି ଜିଲ୍ଲାରେ ମାଷ୍ଟର, ଡାକ୍ତର ଏବଂ ସରକାରୀ ଅଫିସର ଙ୍କ ମରୁଡି ପଡ଼ିଛି ।

ଶେଷରେ ବିଧାୟକ ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଶାଣିତ ସ୍ଵରରେ ଚେତାବନୀ ଦେଇ କହିଛନ୍ତି, ଯଦି ସରକାର ବିଭେଦ ଏବଂ ବୈମାତୃକ ମନୋଭାବ ରଖିବେ ତେବେ ଆଗାମୀ ଦିନରେ ଆନ୍ଦୋଳନ ହେବ । କିନ୍ତୁ ସେ ଆନ୍ଦୋଳନ କରିବା ପାଇଁ ଚାହୁଁ ନାହାଁନ୍ତି । କାରଣ ବଲାଙ୍ଗୀରରେ ଆନ୍ଦୋଳନ ହେଲେ ବିପ୍ଳବ ସୃଷ୍ଟି ହୁଏ ଏବଂ ନିଆଁ ଜଳେ । ଏଣୁ ସେ ଏଭଳି ପରିସ୍ଥିତି ସୃଷ୍ଟି କରିବା ପାଇଁ ଚାହୁଁ ନାହାଁନ୍ତି । ସରକାର ନିୟମରେ ରହି କାର୍ଯ୍ୟ କରିବା ପାଇଁ ସୂଚାଇ ଦେଇଛନ୍ତି ।