ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

0
103
ଧାମନଗର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୧୦) : ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୪ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଅକ୍ଟୋବର ୧୭ ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ନଭେମ୍ବର ୬ ରେ ଭୋଟ ଗଣତି ହୋଇ ସେହିଦିନ ରେଜଲ୍ଟ ପ୍ରକାଶ ପାଇବ ।

ଗତ ସେପ୍ଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କର ପରଲୋକ ହୋଇଥିଲା । ଏହା ପରଠୁ ଏହି ଆସନଟି ଖାଲି ପଡ଼ିଛି । ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ଧରି କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କର ନିୟମିତ ଡାଇଲିସିସ୍ ଚାଲିଥିଲା । ତେବେ ପରେ ଫୁସ୍‌ଫୁସ୍‌ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ମାସେ ଧରି ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଗତ ସେପ୍ଟେମ୍ବର ୧୯ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା ।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଏହି ଆସନ ଖାଲି ହୋଇଛି । ଧାମନଗର ଉପନିର୍ବାଚନ ପାଇଁ ଏ ଯାଏଁ କୌଣସି ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ବିଜେପି ପକ୍ଷରୁ ଦିନେ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରାଯିବ । ନାଁ ଘୋଷଣା ପୂର୍ବରୁ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ଭେଟୁଛନ୍ତି । ବାପାଙ୍କ ଦେହାନ୍ତ ପରେ ଏବେ ସେ ଲୋକଙ୍କ ଦାୟିତ୍ୱ ନେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।