ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
221

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୧୩/୦୮) : ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଦିଗପହଣ୍ଡି ଠାରେ ଏକ Cotton Ginning & Pressing Mill ଏବଂ ଏକ ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛୋଟ ଛୋଟ ସହରର ଲୋକଙ୍କ ରୋଜଗାର ବୃଦ୍ଧି ସହ ବିଭିନ୍ନ ନାଗରିକ ସୁବିଧାର ବିକାଶ ପାଇଁ ଆମେ କାମ କରୁଛୁ । ରାସ୍ତାଘାଟ, ଡ୍ରେନେଜ୍‌ ସୁବିଧା ସହିତ ପିଇବା ପାଣିର ସୁବିଧା ଉପରେ ଆମେ ଗୁରୁତ୍ବ ଦେଉଛୁ । ଦିଗପହଣ୍ଡିର ସବୁ ପରିବାରକୁ ପାଇପ ପାଣି ସଂଯୋଗ ଦିଆଯାଇଛି । ଆଜି ବସ୍‌ ଟର୍ମିନାଲ ମଧ୍ୟ ଉଦ୍‌ଘାଟିତ ହେଲା । ଏହିସବୁ ସୁବିଧା ଦିଗପହଣ୍ଡି ଜନସାଧାରଣଙ୍କ ଜୀବନଯାପନର ମାନରେ ଗୁଣାତ୍ମକ ଉନ୍ନତି ଆଣିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ତୁଳା ଜିନିଙ୍ଗ ମିଲ୍‌ ରାଜ୍ୟର ସମବାୟ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଆମର କପା ଚାଷୀ ମାନଙ୍କ ରୋଜଗାର ବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହାସହିତ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଫସଲର ବିବିଧକରଣ (crop diversification) ପାଇଁ ପ୍ରେରଣା ଦେବ । ଚାଷୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ଆମର ଲକ୍ଷ୍ୟ ପୂରଣ କରିବାରେ ଏହା ବହୁତ ସହାୟକ ହେବ ବୋଲି ସେ କହିଥିଲେ ।

ରାଜ୍ୟର କ୍ରିଡା ଭିତ୍ତିଭୂମି ଉପରେ ଆଲୋକପାତ କରି ସେ କହିଲେ ଯେ ନିକଟରେ ରାଜ୍ୟ ସରକାର କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ନିଷ୍ପତ୍ତି କରିଛନ୍ତି । ଏଥିରେ ସାରା ରାଜ୍ୟରେ ୮୯ଟି Multipurpose Indoor Stadium ନିର୍ମାଣ କରାଯିବ। କ୍ରୀଡା ସହିତ ବାତ୍ୟା ଆଶ୍ରୟସ୍ଥଳ ଠାରୁ ଆରମ୍ଭ କରି ଡାକ୍ତରଖାନା ପରି ମଧ୍ୟ ଏହା କାମ କରିବ । ଦିଗପହଣ୍ଡିରେ ମଧ୍ୟ ଗୋଟିଏ Multipurpose Indoor Stadium କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସେ କହିଥିଲେ । ଏହା ଆମର ପିଲାମାନଙ୍କର କ୍ରୀଡା ପ୍ରତିଭାକୁ ବିକଶିତ କରିବାରେ ବିଶେଷ ସହାୟକ ହେବ ।

ରାଜ୍ୟର କ୍ରୀଡା ବିକାଶରେ ଆଜି ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ କ୍ରୀଡା ହିଁ ଯୁବସମାଜର ଦକ୍ଷତା ଓ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଥାଏ । ନିକଟରେ ଭାରତୀୟ ହକି ଦଳ ଦୀର୍ଘ ୪୦ ବର୍ଷ ପରେ ଅଲମ୍ପିକ୍‌ରେ ମେଡାଲ ଜିତିପାରିଛି । ଆମ ଓଡିଶାର ଦୁଇ ଜଣ ଖେଳାଳୀ ମଧ୍ୟ ଏହି ଟିମ୍‌ରେ ଅଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର କଥା ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଲେ ଯେ ଏହି ଦୁଇଟିଯାକ ପ୍ରକଳ୍ପ ଦିଗପହଣ୍ଡିର ସାମଗ୍ରୀକ ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦିଗପହଣ୍ଡି ଓ ଗଞ୍ଜାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ସେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ସୂଚନାଯୋଗ୍ୟ ଯେ ଦିଗପହଣ୍ଡି ଅଞ୍ଚଳରେ ପୂର୍ବରୁ ମାତ୍ର ୫୦୦ ହେକ୍ଟର ଜମିରେ କପା ଚାଷ କରାଯାଉଥିବା ବେଳେ ଏବେ ଏହା ୫୦୦୦ ହେକ୍ଟରେ ପହଞ୍ଚିଛି । ପୂର୍ବରୁ ୪ କ୍ବିଣ୍ଟାଲ ତୁଳା ଅମଳ ହେଉଥିବା ବେଳେ, ଏବେ ୪୪ କ୍ବିଣ୍ଟାଲ ତୁଳା ଅମଳ ହେଉଛି । Cotton Ginning Mill ପାଇଁ ୩.୨୮ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଏହା ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲାର କପା ଚାଷୀ ମାନଙ୍କ ପାଇଁ ଏକ ବଡ ବଜାର ସୃଷ୍ଟି କରିପାରିବ ।

ସେହିପରି ବସ୍‌ ଟର୍ମିନାଲ ଯୋଗୁ ଦିନକୁ ପ୍ରାୟ ୧୦୦ ରୁ ୧୫୦ ବସ୍‌ ଚଳାଚଳ ହୋଇପାରିବ ଏବଂ ଏହାଦ୍ବାରା ଲୋକଙ୍କ ଯାତାୟତରେ ଅନେକ ସୁବିଧା ଆସିପାରିବ ବୋଲି ଜଣାଯାଇଛି ।