ପଟିଆ ନାବାଳିକା ଦୁଷ୍କର୍ମ : ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା

0
108
ପଟିଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ଭୁବନେଶ୍ୱର, (୧୯/୦୧) : ରାଜଧାନୀ ଭୁବନେଶ୍ୱର ରେ ବିଶ୍ୱକପ୍ ହକି ମ୍ୟାଚ୍ ପାଇଁ ସୁରକ୍ଷା କଡ଼ାକଡ଼ି ଥିବାବେଳେ ପଟିଆ ଅଂଚଳରେ ଦୁଇଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣାକୁ ନେଇ ଆଜି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପଟିଆ ନାବାଳିକା ଦୁଷ୍କର୍ମ ମାମଲା ! ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତର ଅଭିଯୋଗ ଆଣି ଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଉପରେ ଅଣ୍ଡାମାଡ଼ କରାଯାଇଥିବାବେଳେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଓ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରାଯାଇଛି । ଏହା ସହିତ ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ରାଜ୍ୟରେ ବାରମ୍ବାର ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା କରାଯାଉଥିବାରୁ ପୁଲିସ ବିଭାଗର ନିଷ୍କ୍ରିୟତା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ପୋଲିସ ବିଭାଗରେ କର୍ମଚାରୀ ନାହାନ୍ତି କହି ପୁଲିସ ଦୋଷ ଠେଲୁଥିବାବେଳେ ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଦାୟିତ୍ୱ ନେଇ ମହିଳାଙ୍କ ପ୍ରତି ଅନ୍ୟାୟକୁ ଦେଖି ଖୁସି ହେବା ସହ ରାଜ୍ୟବାସୀଙ୍କୁ ଆପଣମାନେ ଖୁସି ତ ବୋଲି ପଚାରିବା ଲଜ୍ଜ୍ୟା ଓ ତାଚ୍ଛଲ୍ୟର ବିଷୟ ।

ଏବେ ରାଜଧାନୀରେ ହକି ବିଶ୍ୱକପ୍ ଚାଲିଥିବାରୁ ରାଜ୍ୟ ସରକାର ତ୍ରିସ୍ତରୀୟ ସୁରକ୍ଷାବଳୟ କରିଛନ୍ତି, କିନ୍ତୁ ମହିଳା ଦୁଷ୍କର୍ମ ଓ ହତ୍ୟା କିଭଳି ଘଟୁଛି ତାହା ପରିତାପର ବିଷୟ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା କଥା କହୁଥିବା ରାଜ୍ୟ ସରକାର ମହିଳାଙ୍କ ଦୁଷ୍କର୍ମ ଓ ମୃତ୍ୟୁ ଲାଗି ସମ୍ପୂର୍ଣ୍ଣ ଦାୟୀ । ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଅପହରଣ, ଦୁଷ୍କର୍ମ ଓ ହତ୍ୟାରେ ୨୩ବର୍ଷର ନବୀନ ସରକାର ସର୍ବାଗ୍ରେ ରହିଛନ୍ତି । ଆଜି ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ୫ଜଣିଆ ପ୍ରତିନିଧି ମଣ୍ଡଳୀ ପଟିଆ ରେଲୱେ ଷ୍ଟେସନ ନିକଟରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଦ୍ୱୟଙ୍କ ପରିବାର ଲୋକଙ୍କ ସହ କଥାହେବା ସହିତ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟ ସରକାର ମହିଳା ସୁରକ୍ଷା ପ୍ରତି ଯଦି ପଦକ୍ଷେପ ନନିଅନ୍ତି ତାହାଲେ ଆଗାମୀ ଦିନରେ ବିଜେପି ମହିଳାମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ସେହିପରି ସନ୍ଧ୍ୟାରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦାବି ହୋଇଛି । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ ସେ କହିଛନ୍ତି ଯେ, ଶାସକ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବ୍ୟସ୍ତ ଥିବା ରାଜଧାନୀ ପୁଲିସ ଏବେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ।