ପୁଟାସିଙ୍ଗ ସରକାରୀ (ଏସ୍ ଏସ୍ ଟି) ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

0
152
ପୁଟାସିଙ୍ଗ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣପୁର, (୧୫/୨) : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଙ୍ଗ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।

ବର୍ଷସାରା ଶ୍ରେଣୀ ଗୃହରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା, ବର୍ଷସାରା ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ପୁରସ୍କାର ବିତରଣ ସହ ମନଭରି ନାଚିଗାଇ ନିଜକୁ ହଜାଇ ଦେବାକୁ ପାଳନ କରାଯାଏ ବାର୍ଷିକ ଉତ୍ସବ । ସବୁଜ ବନାନୀ ଓ ପାହାଡ ପାଦଦେଶରେ ଅବସ୍ଥିତ ପୁଟାସିଙ୍ଗ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ । କରୋନା କଟକଣା ହଟିବା ପରେ ମହା ସମାରୋହରେ ପାଳିତ ହୋଇଛି ବାର୍ଷିକ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ ଓ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ମୁଖ୍ୟବକ୍ତା ଭାବେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥୀ, ପି ଏ ଆଇ ଟି ଡି ଏ ଶାନ୍ତିପ୍ରଭା ପ୍ରଧାନ, ବିଡ଼ିଓ ପ୍ରଭାତି ଝୋଡିଆ , ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଚାସୀନ ଥିଲେ ।

ମନ୍ତ୍ରୀ ଶ୍ରୀଯୁକ୍ତ ସାରକା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପ୍ରଦିପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ବୃନ୍ଦାବନ ଚନ୍ଦ୍ର ସାହୁ ପୈାରହିତ୍ୟ କରି ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ । ମଞ୍ଚାସିନ ଅତିଥି ମାନେ ମଣିଷ ଜୀବନରେ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ ଶତପଥୀ ନିଜ ଅଭିଭାଷଣରେ ଶିକ୍ଷା ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଇବା ସହ ବର୍ତ୍ତମାନର ଆଶ୍ରମ ବିଦ୍ୟାଳୟ ଗୁରୁକୂଳ ଆଶ୍ରମର ବିକଳ୍ପ ବୋଲି କହିଥିଲେ ।

ପୁଟାସିଙ୍ଗ ସରପଞ୍ଚ ଏସିଅ ଶବର ନିଜ ଅଞ୍ଚଳରେ ଏକ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ରୀଡାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିବା ସହ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।