ଗୋଟିଏ ଡାକ୍ତର ଭରସାରେ ଚାଲିଛି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

0
102
ଗୋଟିଏ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୦୩ ) : ଗୋଟିଏ ଡାକ୍ତର ଭରସାରେ ଚାଲିଛି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ରୋଗୀ ସେବା ବିପର୍ଯ୍ୟସ୍ତ : ପୁଣି ଦାନା ବାନ୍ଧୁଛି ଆନ୍ଦୋଳନ । ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଉଛି ବୋଲି ଡିମଡିମ ପିଟୁଥିବା ବେଳେ ଅନେକ ଡାକ୍ତରଖାନା ଗୁଡିକରେ ଡାକ୍ତର ର ଘୋର ଅଭାବ ଦେଖା ଦେଇଛି ।

ଏଥିଯୋଗୁଁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏମିତି ଏକ ଡାକ୍ତରଖାନା ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏଠାରେ ଗୋଟିଏ ଡାକ୍ତର ଭରସାରେ ଚାଲିଛି ସ୍ୱାସ୍ଥ୍ୟସେବା । ଏହି ଡାକ୍ତରଖାନା କେବଳ ସ୍ତ୍ରୀ ପ୍ରସୂତି ବିଭାଗ ର ଡାକ୍ତର ସତ୍ୟନାରାୟଣ ପାଣିଗ୍ରାହୀ ଙ୍କୁ ସରକାର ଏଠାରେ ନିଯୁକ୍ତି ଦେଇଛନ୍ତି । ଆଉ ୨ ଜଣ ଡାକ୍ତର ଙ୍କୁ ଡେପୁଟେସନ ରେ ଦିଆଯାଇଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ୧୩ ଜଣ ଡାକ୍ତର ରହିବା କଥା । ଯଥା ଭେଷଜ ଶିଶୁ , ସର୍ଜରୀ ସମେତ ୫ ଜଣ ଏମବିବିଏସ ଡାକ୍ତର ପଦ ଖାଲି ପଡିଛି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଅଞ୍ଚଳ ର ଲକ୍ଷ ଲକ୍ଷ ଲୋକ ନିର୍ଭର କରୁଥିବା ବେଳେ ଉଲୁଣ୍ଡା ବ୍ଲକ ଅଞ୍ଚଳର କେତେକ ଗ୍ରାମର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି ।

ରୋଗୀ ମାନେ ବହୁ ଆଶା ନେଇ ଚିକିତ୍ସା ପାଇଁ ଏହି ଡାକ୍ତରଖାନା କୁ ଆସୁଥିବା ବେଳେ ଡାକ୍ତର ନଥିବାରୁ ସୋନପୁର, ବୁର୍ଲା, କୁ ରେଫର କରାଯାଉଛି । ସେହିପରି ବିନିକା ଅଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ମଧ୍ୟ ଡାକ୍ତର ଶୂନ ରହିଛନ୍ତି । କିଛି ମାସ ପୂର୍ବେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ନୂତନ କୋଠାଘର ଉଦଘାଟନ କରାଯାଇ ଥିବା ବେଳେ ଡାକ୍ତରଖାନା ପରିସର ଚିକଚାକ କରୁଛି । ଏହା ଦେଖି ଲୋକେ ଏଠାରେ ଭଲ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ଆଶା ରଖିଥିବା ବେଳେ ମାତ୍ର ଡାକ୍ତର ଅଭାବ ରୁ ସ୍ୱାସ୍ଥ୍ୟସେବା ଭୁଷୁଡି ପଡିଛି । ଅନ୍ୟ ପକ୍ଷରେ ରାଜ୍ୟ ସରକାର 5-T ସ୍କିମ ଅଧିନରେ ଆମ ହସ୍ପିଟାଲ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟ ରେ ପ୍ରଥମ ପର୍ଯ୍ୟାୟରେ ୧୪୭ଟି ହସ୍ପିଟାଲ ଏହି ଯୋଜନାରେ ସାମିଲ କରାଯାଇଥିବା ତାଲିକା ପ୍ରକାଶ ପାଇଛି । ତେବେ ଉକ୍ତ ହସ୍ପିଟାଲ ତାଲିକା ରେ ସର୍ବ ପୁରାତନ ବିନିକା ହସ୍ପିଟାଲ କୁ ବାଦ ଦିଆଯାଇଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି ।

ଏପଟେ ଡାକ୍ତର ସମସ୍ୟା ଅନ୍ୟପଟେ ଆମ ହସ୍ପିଟାଲ ଯୋଜନାରେ ବିନିକା କୁ ସାମିଲ କରାନଯିବା ରାଜ୍ୟ ସରକାର ବିନିକା କୁ ଅଣଦେଖା କରୁଥିବା ସାଧାରଣରେ ଅଭିଯୋଗ ହେଉଛି । କିଛିବର୍ଷ ପୂର୍ବେ ବିନିକା ସାମ୍ବାଦିକ ସଂଘ ଡାକ୍ତର ସମସ୍ୟା ନେଇ ୨୪ଦିନ ଧରି ଧାରଣା ଦେଇଥିବା ସହ ଅଞ୍ଚଳର ବିଭିନ୍ନ ସଂଗଠନ ଓ ଜନସାଧାରଣ ଙ୍କ ତରଫରୁ ବିରାଟ ଆନ୍ଦୋଳନ ହେବାପରେ କିଛି ଡାକ୍ତର ପଦବୀ ପୂରଣ ହୋଇଥିଲା । ପୁଣି ଏବେ ଆଗ ଅବସ୍ଥା ଭଲି ପରିସ୍ଥିତି ଦେଖା ଦେଲାଣି । ପୁଣି ଆଗଭଲି ଆନ୍ଦୋଳନ କରାଯିବାର ଆଶଙ୍କା ଦେଖା ଦେଉଛି । ଯଦି ତୁରନ୍ତ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରାନଯାଏ ତେବେ କିଛି ଦିନ ମଧ୍ୟରେ ଆନ୍ଦୋଳନାତ୍ମକ ପନ୍ଥା ଅଵଲମ୍ବନ କରାଯିବ ବୋଲି ବିନିକା ଅଞ୍ଚଳର ବିଭିନ୍ନ ସଂଗଠନ ତରଫରୁ କୁହାଯାଉଛି ।