ବିପଦପୂର୍ଣ୍ଣ ଅବସ୍ଥାରେ ତେଲନଦୀ ସେତୁ : ୫୦ ବର୍ଷର ତଳର ତେଲ ନଦୀ ସେତୁ

0
85
ବିପଦପୂର୍ଣ୍ଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୩/୦୫) : ୫୦ ବର୍ଷର ତଳର ତେଲ ବ୍ରିଜ୍‌ ଭାରିଯାନ ଗଲେ ଦୋହଲୁଛି ପୋଲ ବିପଦପୂର୍ଣ୍ଣ ହେଉଛି ଗମନାଗମନ l

ଖୋର୍ଦ୍ଧା – ବଲାଙ୍ଗୀର ଜାତୀୟ ରାଜପଥ ତଥା ସୁବର୍ଣ୍ଣପୁର -ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ତେଲନଦୀ ସେତୁ କଥା ଯାହା ଏବେ ଦୁର୍ବଳ ହେବାରେ ଲାଗିଛ l ଦୀର୍ଘ ୫୦ ବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ମଧ୍ୟରେ ସଂଯୋଗର ସେତୁ ସାଜିଛି ତେଲ ବ୍ରିଜ୍ । ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ଏକ ପ୍ରମୁଖ ପୋଲ ହେଲା ତେଲନଦୀ ବ୍ରିଜ୍ । ଏହି ବ୍ରିଜ ସୁବର୍ଣ୍ଣପୁର ଏବଂ ବୌଦ୍ଧ ଦୁଇଟି ଜିଲ୍ଲାକୁ ସଂଯୋଗ କରୁଛି । ଏହାଯେ କେବଳ ଦୁଇଟି ଜିଲ୍ଲାକୁ ସଂଯୋଗ କରୁଛି ତାହା ନୁହେଁ । ଭବାନୀପାଟଣା, ନବରଙ୍ଗପୁର, ବଲାଙ୍ଗିର, ସୁବର୍ଣ୍ଣପୁର ଜିଲ୍ଲାରୁ ଭୁବନେଶ୍ୱର ଯିବା ପାଇଁ ଏହା ମୁଖ୍ୟ ସଡକ ପଥ । ବିଭିନ୍ନ ସ୍ଥାନରୁ ପ୍ରତ୍ୟହ ହଜାର ହଜାର ଗାଡି ମଟର ଏହି ପୋଲ ଦେଇ ରାଜଧାନୀକୁ ଯିବା ଆସିବା କରେ । ତେବେ ଏହି ତେଲନଦୀ ପୋଲ ବହୁତ ପୁରୁଣା ହୋଇ ଯାଇଥିବାରୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲାଣି । ବିଭିନ୍ନ ସ୍ଥାନରେ ସିମେଟ ଛାଡି ଯାଇଛି । ପୋଲର ଉଭୟ ପାଶ୍ୱର୍ରେ ଥିବା ବାଡ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ପୋଲ ଉପରେ ଟ୍ରକ କିମ୍ବା ବସ୍ ଯାଉଥିଲେ ଦୋହଲି ଯାଉଛି ତେଲନଦୀ ବ୍ରିଜ୍ ।

ସେହି ସମୟରେ ଲୋକଙ୍କ ଚାହିଦାକୁ ଦେଖି ଏହି ବ୍ରିଜ୍ ନିର୍ମାଣ ହୋଇଥିଲା । ଏବେ ଗାଡି ମଟର ସଂଖ୍ୟା ବହୁ ଗୁଣରେ ବୃଦ୍ଧି ହୋଇଛି । ଏବେକାର ସ୍ଥିତିକୁ ଦେଖିଲେ ଏହା ଅଣ ଓସାରିଆ ମନେ ହୁଏ । ବିପଦପୂର୍ଣ୍ଣ ଭାବେ ହଜାର ହଜାର ଲୋକ ତେଲନଦୀ ବ୍ରିଜ୍ ଉପରେ ଦୈନନ୍ଦିନ ଯାତାୟତ କରୁଛନ୍ତି । ବ୍ରିଜ ନିର୍ମାଣ ହେବା ପୂର୍ବରୁ ସୋନପୁର, ବଲାଙ୍ଗିରଠୁ ଭୁବନେଶ୍ୱର ଯିବାକୁ ହେଲେ ଡଙ୍ଗାରେ ତେଲନଦୀ ପାରି ହୋଇ ଯିବାକୁ ପଡୁଥିଲା । ନଦୀର ଉଭୟ ପାର୍ଶ୍ୱରେ ଗାଡି ଛାଡି ଯିବାକୁ ହେଉଥିଲା ଅଥବା ଡଙ୍ଗାରେ ଜିପ, କାର୍ ଭଳି ଛୋଟ ଗାଡି ପାର କରି ଲୋକେ ଭୁବନେଶ୍ୱର ଯାତାୟତ କରୁଥିଲେ । ତେବେ ତତ୍କାଳୀନ ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ (୧୯୬୭-୧୯୭୧) ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ପୋଲ ନିର୍ମାଣ ହୋଇଥିଲା ।

୩୦ ତାରିଖ ନଭେମ୍ବର ୧୯୭୩ରେ ତତ୍କାଳୀନ ରାଜ୍ୟପାଳ ବି.ଡି. ଜଟ୍ଟିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ତେଲନଦୀ ବ୍ରିଜ୍ । ଏହି ପୋଲ ଏବେ ୫୦ ବର୍ଷ ପୂରଣ କଲାଣି । ତେବେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ନୂତନ ପୋଲ ନିର୍ମାଣ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।ତେବେ ଓଜନ ଗାଡି ଗୋଟିଏ ଗଲେ ଦୋହଲି ଯାଉଛି ଏହି ପୋଲ । ପୋଲର ଉଭୟ ପାଶ୍ୱର୍ରେ ଖାଲ ସୃଷ୍ଟି ହେଲାଣି । ତେଣୁ ଭବିଷ୍ୟତରେ ବଡ ଅଘଟଣ ଘଟିବାର ଭୟ ଦେଖା ଦେଇଛି l ତେବେ ଏହା ରାଜଧାନୀ ସହ ମୁଖ୍ୟ ସଂଯୋଗପଥ ହୋଇଥିବାରୁ ପୋଲରେ କୌଣସି ସମସ୍ୟା ଦେଖାଦେଲେ ସୋନପୁର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ । ନୂତନ ବ୍ରିଜ୍ ନିର୍ମାଣ ପାଇଁ ଘୋଷଣା ହୋଇଥିବାରୁ ନିର୍ମାଣ କାମ ତ୍ୱରାନ୍ୱିତ କରାଯାଉ ବୋଲି ଦାବି ହେଉଛି l