ଭବାନୀପାଟଣା ମ୍ୟୁନିସିପାଲିଟି ରେ ଟେଣ୍ଡର ଫିକ୍ସିଂ ଅଭିଯୋଗ ପରେ ବାତିଲ

0
109
ଭବାନୀପାଟଣା ମ୍ୟୁନିସିପାଲିଟି

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୯/୦୫) : କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ମ୍ୟୁନିସିପାଲିଟି ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କାଗଜ କଳମରେ ଟେଣ୍ଡର ଡକା ଯାଇ ଫିକ୍ସିଂ କରାଯାଇଥିବାର ଅଭିଯୋଗ ହେବା ପରେ ଉକ୍ତ ଟେଣ୍ଡର ଗୁଡ଼ିକୁ ବାତିଲ କରା ଯାଇଥିବା ଜଣା ପଡିଛି ।

ମିଳିଥିବା ତଥ୍ୟ ଅନୁସାରେ ମ୍ୟୁନିସିପାଲିଟି ର ବିଡ ନଂ- ବିଏମପି/୦୧/୨୦୨୩-୨୪ ନଂ ୧୨୮୧ ତା.୧୮.୦୪.୨୦୨୩ ରେ ମୋଟ ୯ କୋଟି ଟଙ୍କା ବ୍ୟୟ ଅଟାକଳ ରେ ୧୫୮ ଟି କାର୍ଯ୍ୟ ପାଇଁ ଟେଣ୍ଡର ମଇ ୩ ତାରିଖ ଅନ୍ତିମ ସମୟ ଦିଆଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଦୀର୍ଘ ଦିନ ପରେ ଭବାନୀପାଟଣା ମ୍ୟୁନିସିପାଲିଟି ରେ ଠିକା କାର୍ଯ୍ୟ ରେ ସ୍ଵଚ୍ଛତା ଆଣିବା ପାଇଁ ଟେଣ୍ଡର ପ୍ରକ୍ରିୟା କରାଯାଉଥିବା କୁହାଯାଉଥିଲେ ହେଁ ସେଥିରେ ବ୍ୟାପକ ପ୍ରିୟା ପ୍ରୀତି ତୋଷଣ କାରବାର ହୋଇଥିବାର ଅଭିଯୋଗ ହୋଇଥିଲା । ଟେଣ୍ଡର ମୂଲ୍ୟ ଅନୁସାରେ ସିକ୍ୟୁରିଟି ଦାଖଲ କୁ ନେଇ ବଡ ଧରଣର ଫିକ୍ସିଂ ହୋଇଥିବାର ଅଭିଯୋଗ ଆସିଥିଲା । ସେହି ଫିକ୍ସିଂ ଅନୁସାରେ ଠିକାଦାର ମାନଙ୍କୁ ଅତିରିକ୍ତ ସିକ୍ୟୁରିଟି ଦାଖଲ କରିବାକୁ ପଡି ନ ଥାନ୍ତା ଯାହା ଫଳରେ ସରକାରଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଥାନ୍ତା । ଏହି ଟେଣ୍ଡର ପ୍ରକ୍ରିୟାରେ ଜନୈକ ମୂଳ ଠିକାଦାର ରହିଥିବା ବେଳେ ଅନ୍ୟମାନେ ଡମି ଠିକାଦାର ଭାବେ ବୁଝାମଣା ମାଧ୍ୟମରେ ଟେଣ୍ଡର ଦାଖଲ କରିଥିବା ଆଲୋଚନା ହୋଇଥିଲା ।

ଅନ୍ୟ ପକ୍ଷରେ ତରବରିଆ ଭାବରେ ଏହି ଟେଣ୍ଡର କରାଯାଇଥିବାରୁ ଓଡ଼ିଶା ସରକାରଙ୍କ ୨୦୨୨ ମସିହାର ନୂଆ ଧାର୍ଯ୍ୟ ଦର କୁ ଅଣଦେଖା କରାଯାଇ ୨୦୧୪ ମସିହା ଦରରେ ହିଁ ଟେଣ୍ଡର କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା କମ ଦରରେ ଟେଣ୍ଡର ପକା ଯାଇଥିବା ହେତୁ ସରକାର ସିକ୍ୟୁରିଟି ବାବଦ କୁ ଲକ୍ଷ ଲକ୍ଷ ଟଙ୍କା ହରାଇବାର ଆଶଙ୍କା ଦେଖା ଯାଇଥିଲା । ପୁନଶ୍ଚ ପୂର୍ତ୍ତ ବିଭାଗ ଚିଠି ନମ୍ବର ୬୭୮୫/୨୦.୦୪.୨୦୨୩ ରେ ନୂଆ ସିଡ଼୍ୟୁଲ ଦର ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି । ଠିକାଦାର ମାନଙ୍କୁ ଶୁହାଇବା ଭଳି ପୁରୁଣା ଦରରେ ହିଁ ଟେଣ୍ଡର ଡକା ଯାଇଥିବା ଏବଂ ଟେଣ୍ଡର ଫିକ୍ସିଂ ହୋଇଥିବା ସମ୍ପର୍କରେ ଅଭିଯୋଗ ହେବା ପରେ ନିର୍ବାହୀ ଅଧିକାରୀଙ୍କ ପତ୍ର ସଂଖ୍ୟା ୧୪୨୮/୦୩.୦୫.୨୦୨୩ ରେ ଉକ୍ତ ଟେଣ୍ଡର ସବୁକୁ ବାତିଲ କରାଯାଇଥିବା ଜଣାପଡିଛି ।