ଗ୍ରାମାଞ୍ଚଳ ଉନ୍ନତି ପାଇଁ ଡିଆରଏମ ଙ୍କୁ ଭେଟିଲା ସେବାୟତ ମହାସଂଘ ଓ ନାଗରିକ ମଞ୍ଚ

0
170
ଗ୍ରାମାଞ୍ଚଳ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୧/୫) : ରାୟଗଡା ନାଗରିକ ମଞ୍ଚ ଗଠନ ଠାରୁ ଏହାର ସଭ୍ୟମାନେ ସବୁବେଳେ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରର ଉନ୍ନତି ନିମନ୍ତେ ଆଜି ପର୍ଯ୍ୟନ୍ତ ଅହରହ ଉଦ୍ୟମ ଜାରି ରଖିଛି ।

ଗ୍ରାମାଞ୍ଚଳ ଉନ୍ନତି ପାଇଁ ଡିଆରଏମ ଙ୍କୁ ଭେଟିଲା ସେବାୟତ ମହାସଂଘ ଓ ନାଗରିକ ମଞ୍ଚ । କେତେବେଳେ ଜେଏସକୋ ଜମି ସରକାରୀ ଖାତାକୁ କିଭଳି ଫେରିବ ତ ଆଉ କେତେବେଳେ ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ଭଳି ଅନେକ ଗୁରୁତ୍ୱପୂର୍ଣ ସମସ୍ୟା ପ୍ରତିପାଦିତ କରି ମଞ୍ଚ ଅଗ୍ରଣୀ ଭୂମିକା ଗ୍ରହଣକରି ଆସିଥିବା ବେଳେ ଗତ ବୁଧବାର ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସମାଜସେବୀ ବାଦଲ କୁମାର ତା ଏବଂ ଶ୍ରଦ୍ଧା ଶ୍ରୀକ୍ଷେତ୍ର ସେବାୟତ ମହାସଂଘର ଆବାହକ ରଞ୍ଜନ ରଥଙ୍କ ନେତୃତ୍ୱରେ ଏକ ସାତ ଜଣିଆ କମିଟି ବିଶାଖାପାଟଣା ଗସ୍ତରେ ୱାଲ୍ଟିୟର ରେଳ ଡିଭିଜନର ଡି ଆର ଏମ ଅନୁପ ଶତପଥୀଙ୍କ ସହ କାର୍ଯ୍ୟାଳୟ ବୈଠକ ଗୃହରେ ଏକ ସ୍ୱତନ୍ତ୍ର ସାକ୍ଷାତକାର କରିଥିଲେ । ପ୍ରଥମେ ମଞ୍ଚ ଏବଂ ସେବାୟତ ମହାସଂଘ ତରଫରୁ ଶ୍ରୀ ଶତପଥୀଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଡିଆରଏମ ଅନୁପ ଶତପଥୀ ରାୟଗଡା ଗସ୍ତରେ ଆସିବା ପୂର୍ବରୁ ଗଣମାଧ୍ୟମ, ବୁଦ୍ଧିଜୀବି ସହ ବିଭିନ୍ନ ସଙ୍ଗଠନକୁ ସୂଚନା ଦେବା ସହ ରେଳ ବିଭାଗ ଦ୍ଵାରା କୌଣସି ସମସ୍ୟା କିମ୍ବା ଉନ୍ନତି କ୍ଷେତ୍ରରେ ଉପଦେଶ ନିମନ୍ତେ ଜଣାଇଥାନ୍ତି । ତାଙ୍କର ଏଭଳି ପ୍ରୟାସକୁ ମଞ୍ଚ ଏବଂ ସେବାୟତ ମହାସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି ସାକ୍ଷାତରେ ସହରର ମଝଘରିଆଣି ମନ୍ଦିର ଜମି ବଦଳରେ ଅନ୍ୟତ୍ର ଛଅ ଏକର ତିରିଶି ସେଣ୍ଟ ଜମି ହସ୍ତାନ୍ତର, ଜଗନ୍ନାଥ ମନ୍ଦିର ସମ୍ପର୍କିତ ଉନ୍ନୟନ କାର୍ଯ୍ୟ ନିମନ୍ତେ ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ରାୟଗଡା ଶ୍ରୀ ଭୀମସେନ ଶବର, ତହସିଲଦାର ତାପସ ରାଉତ ଏକ ରିପୋର୍ଟ ପ୍ରଦାନ କରିଥିଲେ ।

ଉକ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳଙ୍କ ତରଫରୁ ଡି ଆର ଏମଙ୍କୁ ଲିଖିତ ଆକାରରେ ଆବେଦନ କରାଯାଇଛି । ପ୍ରଶାସନର ଉକ୍ତ ଆବେଦାନ ଆଧାରରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସାତ ଜଣିଆ ଟିମ ପକ୍ଷରୁ ଅନୁରୋଧ କାରାଯାଇଛି । ତା’ସହିତ ବସ ଷ୍ଟାଣ୍ଡ ଜମି ହସ୍ତାନ୍ତର ସହ ସହରର ଆଉ ଅନେକ ଉନ୍ନୟନ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରାଯାଇଥିଲା । ଶ୍ରୀ ଶତପଥୀ ରେଳ ବିଭାଗ ତରଫରୁ ଜିଲ୍ଲା ପ୍ରଶାସନ ସହିତ ଯୋଗସୂତ୍ର ରକ୍ଷା କରି ନିୟମ ଅନୁଯାୟୀ ଯାହା ସମ୍ଭବ ସଂପୂର୍ଣ୍ଣ ସହଯୋଗ ରହିବା ନେଇ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏହି ସାକ୍ଷାତ କାର୍ଯ୍ୟକ୍ରମରେ ମଞ୍ଚ ତରଫରୁ ବାଦଲ ତାଙ୍କ, ସହ ସେବାୟତ ମହାସଂଘ ତରଫରୁ ରଞ୍ଜନ ରଥ, ଅଜୟ ରଥ, ସୁରେଶ ପଣ୍ଡା, ଅଶୋକ ପଣ୍ଡା, ସତ୍ୟନାରାୟଣ ପାଢ଼ୀ, ସନ୍ତୋଷ ରଥ, ପ୍ରମୁଖ ଯୋଗ ଦେଇଥିଲେ ।